ସାଉଦି ତୈଳ ଭଣ୍ଡାରରେ ମହଙ୍ଗା ହେଲା ଅଶୋଧିତ ତୈଳ
ବଢ଼ିପାରେ ପେଟ୍ରୋଲ୍, ଡିଜେଲ୍ ଦାମ୍
ରିୟାଦ୍ଧ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ଥିବା ବେଳେ ବିଶ୍ବ ସ୍ତରରେ ଏଭଳି ଏକ ଘଟଣା ଘଟିଛି ଯାହା ଏହି ଦୁଇ ପ୍ରକାର ଇନ୍ଧନ ମୂଲ୍ୟରେ ଆହୁରି ବୃଦ୍ଧିର କାରଣ ହୋଇପାରେ। ବିଶ୍ବର ଏକ ପ୍ରମୁଖ ଉତ୍ପାଦନକାରୀ ଦେଶ ସାଉଦି ଆରବର କିଛି ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ ହୋଇଛି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ଆଞ୍ଚଳିକ ବିବାଦର ପରିଣାମ ସ୍ବରୂପ ଏଭଳି ଆକ୍ରମଣ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୦ ଡଲାରରୁ ଅଧିକ ହୋଇଯାଇଛି। ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ, ଡିଜେଲ୍ ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ସାମଗ୍ରୀ ଉତ୍ପାଦନ କରାଯାଏ। ଯେହେତୁ ଆମଦାନି କରାଯାଉଥିବା ଅଶୋଧିତ ତୈଳ ମହଙ୍ଗା ହୋଇଛି ତାହାର ସିଧାସଳଖ ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ର ଖୁଚୁରା ଦାମ୍ରେ ପଡ଼ିବାର ଆଶଙ୍କା ରହିଛି। ଯଦି ତେଲ କଂପାନିଗୁଡ଼ିକ ଏହି ବୋଝ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ନିଷ୍ପତ୍ତି ନେବେ ତେବେ ଖୁବ୍ଶୀଘ୍ର ପେଟ୍ରୋଲ୍ ଦାମ୍ରେ ଆଉ କିଛି ଟଙ୍କାର ବୃଦ୍ଧି ହେବ। ଇରାନର ବିଦ୍ରୋହୀ ହାଉଥି ଗୋଷ୍ଠୀ ତରଫରୁ ସାଉଦି ଆରବର ବିଭିନ୍ନ ତୈଳ ଭଣ୍ଡାର ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ପ୍ରଭାବରେ ୨୦୨୦ ଜାନୁଆରି ପରେ ପ୍ରଥମ ଥର ଲାଗି ଅଶୋଧିତ ତୈଳ ଦାମ୍ ୭୦ ଡଲାର ଭଳି ସ୍ତରରେ ପହଞ୍ଚିଛି। ୨୦୧୯ ସେପ୍ଟେମ୍ବରରେ ସାଉଦି ଆରବର ଦୁଇଟି ପ୍ରମୁଖ ତୈଳ ସମ୍ପତ୍ତିରେ ଅଗ୍ନିକାଣ୍ଡ ଘଟିବାରୁ ତୈଳ ଉତ୍ପାଦନ ହ୍ରାସ ପାଇଥିଲା। ଉତ୍ପାଦନ ହ୍ରାସ ହେବାର ଅର୍ଥ ହେଉଛି ବଜାରକୁ କମ୍ ତେଲ ଆସିବ। ଗ୍ରାହକଙ୍କ ଚାହିଦା ଅନୁସାରେ ଯୋଗାଣ କମ୍ ରହିଲେ ଦାମ୍ ବଢ଼ିବ। ଅଶୋଧିତ ତୈଳ ଦାମ୍ ଯେତେ ବଢ଼ିବ ତେଲ ଉତ୍ପାଦନକାରୀ ଦେଶ ପାଇଁ ତାହା ସେତେ ଲାଭଦାୟକ ହେବ। କିନ୍ତୁ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଭାରତ ଭଳି ଦେଶ ଗୁରୁତର ଭାବେ ପ୍ରଭାବିତ ହେବ। ବିପୁଳ ପରିମାଣର ବୈଦେଶିକ ମୁଦ୍ରା ତେଲ କିଣିବାରେ ବ୍ୟବହାର କରିବାକୁ ପଡ଼ିବ। ତାହା ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେବ ଏବଂ ଅନ୍ୟପଟେ ଗ୍ରାହକଙ୍କ ପାଇଁ ତେଲ ଦାମ୍ ବେଲଗାମ ହୋଇପଡ଼ିବ।