ଆଶା ଓ ବିଶ୍ବାସର ଟିକା
ଶ୍ୟାମସୁନ୍ଦର ଅଗ୍ରୱାଲା
ବନ୍ଧୁ ଗଣ, ଆଜି ଆମେ ସମସ୍ତେ ଏକ ଯନ୍ତ୍ରଣାଦାୟକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛେ। ପ୍ରତ୍ୟହ ଚତୁର୍ଦିଗରେ ହଜାର ହଜାର ସଂଖ୍ୟାରେ କରୋନାଗ୍ରସ୍ତ ମୃତ୍ୟୁର କରାଳ ରୂପ ଦର୍ଶନ କରୁଛେ। ଏଥିରୁ ରକ୍ଷା ପାଇବାକୁ ଯାଇ ଆମେ ବର୍ତ୍ତମାନ କରୋନା ସହିତ ଜୀବିକା ବଦଳରେ ଜୀବନର ସୌଦା କରୁଛେ। ଏବଂ ବିଭିନ୍ନ ଲକଡାଉନ ଓ ସଟଡାଉନ ଦ୍ବାରା ଘର ଭିତରେ ବାନ୍ଧି ହୋଇ ରହିବାକୁ ବାଧ୍ୟ ହେଉଛେ। କିନ୍ତୁ ଏହି ପୃଥିକ୍ବାସ ଓ ସଙ୍ଗରୋଧ ଯଦି ଆମକୁ ବିଷାଦଗ୍ରସ୍ତ କରି ପୁନଶ୍ଚ ରୋଗଗ୍ରସ୍ତ କରିଦିଏ, ତେବେ ଭାବି ନେବାକୁ ପଡ଼ିବ ଯେ ଆମର ଏହି ସୌଦା କ୍ଷତିଗ୍ରସ୍ତ ହେଲା ଆଉ ଆମେ ମହର୍ଗରୁ ଯାଇ କାନ୍ତାରରେ ପଡ଼ିଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରିଆର ବିଶିଷ୍ଟ ମନସ୍ତତ୍ତ୍ବବିତ୍ ଭିକ୍ଟର ଫ୍ରାଙ୍କଲ, ଯିଏ ଜଣେ ଈହୁଦୀ ଥିଲେ ଓ ନାଜି ନରସଂହାର ଶିବିରରୁ ନିଜର ଜୀବନ ରକ୍ଷା କରିପାରିଥିଲେ, ସିଏ କୁହନ୍ତି ଯେ ମନୁଷ୍ୟ କ୍ୟାନସର ଓ ହୃଦ୍ଘାତ ଭଳି ମାରାତ୍ମକ ରୋଗରେ ଯେତେ ମରନ୍ତି ନାହିଁ, ତା’ ଠାରୁ ଅଧିକ ବିଷାଦ ରୋଗରେ ମରିଯାନ୍ତି। ତାଙ୍କ ସହିତ ନାଜି ଶିବିରରେ ବନ୍ଦୀ ଥିବା ଜଣେ ବନ୍ଧୁଙ୍କୁ ସୂଚନା ଦିଆଗଲା ଯେ ତାଙ୍କୁ ସେହି ବର୍ଷ ମାର୍ଚ୍ଚ ମାସ ତିରିଶ ତାରିଖ ଦିନ ମୁକ୍ତି ଦିଆଯିବ। ବନ୍ଧୁ ଜଣକ ଖୁସିରେ ମାର୍ଚ୍ଚ ମାସ ତିରିଶ ତାରିଖ ଦିନ ପର୍ଯ୍ୟନ୍ତ ମୁକ୍ତ ହେବା ଆଶାରେ ବଞ୍ଚି ରହିଲେ। କିନ୍ତୁ ଯେତେବେଳେ ସେହି ଦିନ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ କୌଣସି ମୁକ୍ତିର ଆଦେଶ ଆସିଲା ନାହିଁ, ସେ ତତ୍କ୍ଷଣାତ୍ ମୃତ୍ୟୁବରଣ କରିଥିଲେ। ଆଉ ଥରେ ଖ୍ରୀଷ୍ଟମାସ ଅବସରରେ ବନ୍ଦୀମାନଙ୍କର ମୁକ୍ତି ପ୍ରସ୍ତାବକୁ ସମସ୍ତେ ଚାତକ ଭଳି ଅପେକ୍ଷା କରି ରହିଥିଲେ। କିନ୍ତୁ ନୂଆ ବର୍ଷ ପର୍ଯ୍ୟନ୍ତ ଯେତେବେଳେ କୌଣସି ଘୋଷଣା କରା ନ ଗଲା, ଅଧିକାଂଶ ବନ୍ଦୀ ହତାଶାରେ ସେହି ନୂଆ ବର୍ଷ ଦିନ ହିଁ ମୃତ୍ୟୁବରଣ କରିଥିଲେ। ଏହି ଉଦାହରଣଗୁଡ଼ିକ ପ୍ରମାଣ କରେ ଯେ ଆଶା ଓ ବିଶ୍ୱାସ ହିଁ ଆପଣଙ୍କର ଜୀବନ ଏବଂ ଏହା ହିଁ ଆପଣଙ୍କର ସର୍ବଶ୍ରେଷ୍ଠ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିଥାଏ। କରୋନା ହେଉ କି କ୍ୟାନସର ହେଉ; ଯେଉଁ ଦିନ ଆପଣ ନିରାଶା ଜର୍ଜର ହୋଇ ବିଷାଦଗ୍ରସ୍ତ ହୋଇ ପଡ଼ିବେ, ସେଇ ଦିନ ହିଁ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଆଜି ପରିସ୍ଥିତି ଏପରି ହୋଇଯାଇଛି ଯେ ଆମର ବିଭିନ୍ନ ଗଣମାଧ୍ୟମ ଏହି ଆଶାକୁ ପ୍ରଜ୍ଜ୍ବଳିତ କରିବା ଅପେକ୍ଷା ଅତ୍ୟନ୍ତ ନୈରାଶ୍ୟଜନକ ବାତାବରଣ ସୃଷ୍ଟି କରିବାକୁ ବାଧ୍ୟ ହେଉଛନ୍ତି। ଟେଲିଭିଜନ ଚ୍ୟାନେଲମାନଙ୍କର ରଙ୍ଗିନ ପର୍ଦା ଉପରେ ଯେତେବେଳେ ଦେଖିବେ ସେତେବେଳେ କରୋନାର ପେଣ୍ଡୁ ଉପରକୁ ଉପର ଡେଇଁ ଡେଇଁ ଚାଲିଛି। ରାସ୍ତାରେ, ଘାଟରେ କୁଢ଼ କୁଢ଼ ଶବ ସବୁ ଗଦା ହୋଇ ପଡ଼ିଛି। ମଶାଣିମାନଙ୍କରେ ଦିନରାତି ନିଆଁ ହୁତୁ ହୁତୁ ହୋଇ ଜଳି ଚାଲିଛି। କୌଣସି ଖବର ମିଥ୍ୟା କିମ୍ବା ଅତିରଞ୍ଜନ ନୁହେଁ। ସମସ୍ତ ଖବର ସତ୍ୟ ଓ ଗଣମାଧ୍ୟମ ସେମାନଙ୍କର ବୃତ୍ତିଗତ ଧର୍ମ ଅନୁଯାୟୀ ସତ୍ୟ ପ୍ରକାଶ କରିବାକୁ ବାଧ୍ୟ ହେଉଛନ୍ତି। ଏହା ହିଁ ଆଜିର ବିଡ଼ମ୍ବନା ଯେ ସତ୍ୟ ପ୍ରକାଶିତ ହେବାକୁ ବାଧ୍ୟ କିନ୍ତୁ ସତ୍ୟର ମୁକାବିଲା କରିବାକୁ ଆମର ସାମର୍ଥ୍ୟର ଘୋର ଅଭାବ, ଯାହା କି ଏକ ଘୋର ବିମର୍ଷକର ପରିସ୍ଥିତି ସୃଷ୍ଟି କରି ଅନେକ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛି।
ବର୍ତ୍ତମାନ ପରିସ୍ଥିତିରେ ଏତିକି କୁହାଯାଇପାରେ ଯେ ଆମମାନଙ୍କୁ ଏହି ଆତଙ୍କିତ ଅବସ୍ଥାରୁ ଯଥାଶୀଘ୍ର ମୁକ୍ତ ହୋଇ କରୋନାକୁ ସ୍ବୀକାର କରି ଆଗକୁ ବଞ୍ଚିବାକୁ ପଡ଼ିବ। ଏହା ଏକ ଭୂତାଣୁ ମାତ୍ର। ଯେ ପର୍ଯ୍ୟନ୍ତ ଆମେ ଏହାକୁ ଏକ କୋକୁଆ ରାକ୍ଷସ ଭାବି ଭୀତତ୍ରସ୍ତ ହୋଇ ରହିଛେ, ସେ ପର୍ଯ୍ୟନ୍ତ ଆମେ ବିଷାଦଗ୍ରସ୍ତ ହୋଇ ରହିବା, ଯାହା କରୋନା ଠାରୁ ବି ଅଧିକ ଭୟଙ୍କର ହେବ। ପାଣି ଯେତେ ଗଭୀର ହେଉ ନା କାହିଁକି, ସେଥିରେ ଆଜି ଯାଏଁ କେହି ବୁଡ଼ିକି ମରି ନାହାନ୍ତି, ଯିଏ ବି ବୁଡ଼ି ମରିଛନ୍ତି ସେମାନେ ପହଁରା ନ ଜାଣି ଥିବାରୁ ହିଁ ମରିଛନ୍ତି। ତେଣୁ, ଗଭୀର ଜଳକୁ ନ ଡରି ନିଜ ପହଁରିବାର କ୍ଷମତା ଉପରେ ଆଶା ଓ ଭରସା ରଖନ୍ତୁ।
ଏହି ଆଶାର ଭରସା ଉପରେ ନିକଟରେ ‘ସମ୍ବାଦ’ରେ ପ୍ରକାଶିତ କଥାଟିଏ କହୁଛି। ଜଣେ ହେତୁବାଦୀ ବିଦ୍ବାନ ପ୍ରତ୍ୟହ ଫୁଟପାଥ ଉପରେ ବସିଥିବା ଜଣେ ଦରିଦ୍ର ଜ୍ୟୋତିଷକୁ ଦେଖନ୍ତି। ହେତୁବାଦୀ ବିଦ୍ବାନଙ୍କ ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା। ପତ୍ନୀଙ୍କ ସହିତ ମନୋମାଳିନ୍ୟ ଓ ପୁଅଝିଅମାନଙ୍କର ଦୁର୍ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲେ। ଦିନକର କଥା ସେ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଜ୍ୟୋତିଷ ଜଣକ ତାଙ୍କର ପାଞ୍ଜି ଖୋଲି ବସିଛନ୍ତି। ସେ ଜ୍ୟୋତିଷଶାସ୍ତ୍ରରେ ଆଦୌ ବିଶ୍ବାସ କରନ୍ତି ନାହିଁ। କିନ୍ତୁ କେଜାଣି କାହିଁକି ସେ ଦିନ ସେ ତାଙ୍କ ଭବିଷ୍ୟତ ବିଷୟ ଜାଣିବାକୁ ରହିଲେ। ଜ୍ୟୋତିଷଜଣକ ହାତ ଦେଖି ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ବିଷୟ କହିବାକୁ ଆରମ୍ଭ କରିଦିଅନ୍ତେ ବିଦ୍ବାନ ଖୁବ୍ ରାଗିଗଲେ ଆଉ କହିଲେ, “ତୁମ ଭଳି ପ୍ରବଞ୍ଚକ ମୁଁ ଆଦୌ ଦେଖିନାହିଁ। ମୁଁ ବର୍ତ୍ତମାନ ଏତେ ଦୁଃଖରେ ଭାଙ୍ଗିପଡ଼ିଛି ଯେ ଆତ୍ମହତ୍ୟା କରିବାକୁ ଯାଉଛି। ଆଉ ତୁମେ ମୋତେ ମୋ’ର ଉଜ୍ଜ୍ବଳ ଭବିଷ୍ୟତର ଆଶା ଦେଖଉଛି?”
ଜ୍ୟୋତିଷଜଣକ ଉତ୍ତର ଦେଇ କହିଲେ, “ଆଜ୍ଞା, ସତ କହୁଛି ଆପଣଙ୍କ ଜୀବନରେ କି ଦୁଃଖ ଅଛି ମୁଁ ଜାଣିନାହିଁ। କିନ୍ତୁ ମୋ ଜୀବନର ଦୁଃଖ ଶୁଣିଲେ ଆପଣଙ୍କର ଛାତି ଫାଟିଯିବ। ମୋ ସ୍ତ୍ରୀ ଗତ ଦଶ ବର୍ଷ ହେଲା ରୋଗଗ୍ରସ୍ତା ହୋଇ ଖଟ ଧରିଛି। ମୋ’ର ବଡ଼ ପୁଅ ମଦ୍ୟପ ଓ ସାନପୁଅ ଗିରଫ ହୋଇ ଜେଲରେ ଦିନ କାଟୁଛି। ମୋ’ର ଝିଅ ପତି ପରିତ୍ୟକ୍ତା ଓ ଗତ ପାଞ୍ଚ ବର୍ଷ ହେଲା ତା’ର ଦୁଇଟି ଛୁଆ ସାଥିରେ ଆମ ସହିତ ରହୁଛି। ଆମେ ଆଠ ଦଶ ପ୍ରାଣୀ କୁଟୁମ୍ବ। ଦିନେ ଖାଇଲେ ଦି ଦିନ ଉପାସ ରହିବାକୁ ପଡୁଛି। ମୁଁ ବିଦ୍ବାନ ନୁହେଁ ତଥାପି ମୁଁ କେବେ ଆପଣଙ୍କ ଭଳି ହତାଶ ହୋଇ ଆତ୍ମହତ୍ୟା କରିବାକୁ ଭାବିନାହିଁ। ମୋର ଏତିକି ଆଶା ଓ ବିଶ୍ବାସ ରହିଛି ଯେ ଦିନେ ନା ଦିନେ ମୋ’ ଭାଗ୍ୟରେ ପରିବର୍ତନ ଆସିବ।”
ବନ୍ଧୁଗଣ, ବର୍ତ୍ତମାନ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ଚାଲିଛି। ଭବିଷ୍ୟତକୁ ସ୍ପୁଟନିକ, ଫାଇଜର ଓ ମଡର୍ନା ଆଦି ଟିକା ମଧ୍ୟ ବଜାରକୁ ଆସିବ। କିନ୍ତୁ ଯେ ପର୍ଯ୍ୟନ୍ତ ଆପଣ ଆଶା ଓ ବିଶ୍ବାସର ଟିକା ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ ନାହିଁ।
୯୭, ଜନପଥ, ଭୁବନେଶ୍ବର
ମୋ: ୯୪୩୭୦୬୭୫୬୭