୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବ ବିଏମ୍‌ସି

୭୨ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୨୫ରୁ ସ୍ଥାନାନ୍ତର ଆରମ୍ଭ ହେବ, ଜିରୋ କାଜୁଆଲଟି ଲକ୍ଷ୍ୟ

ଭୁବନେଶ୍ବର : ବାତ୍ୟା ୟାସ୍ ଆସନ୍ତା ୨୬ ରେ ସ୍ଥଳ ଭାଗ ଛୁଇଁବ। ଏହା ପ୍ରଭାବରେ ୨୫ରୁ ବର୍ଷା, ପବନ ଆରମ୍ଭ ହୋଇଯିବ। ତେଣୁ ଏହାର ଯଥାସମ୍ଭବ ମୁକାବିଲା କରିବା ପାଇଁ ବିଏମ୍‌ସି ଜୋରଦାର୍ ପ୍ରସ୍ତୁତି କରିଛି। ଯେପରି ବାତ୍ୟାରେ ଭୁବନେଶ୍ବରରେ ଜିରୋ କାଜୁଆଲଟି (କାହାରି ମୃତ୍ୟୁ ହେବ ନାହିଁ) ହେବ, ତାହାକୁ ନଜରରେ ରଖି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିର ଡେପୁଟି କମିସନର (ଏମରଜେନ୍ସି) ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ବାତ୍ୟାରେ ଯେପରି କୌଣସି ଜୀବନହାନି ହେବନି, ଆମେ ସେଥିପ୍ରତି ଅଧିକ ଗୁରୁତ୍ବ ଦେବୁ। କୋଭିଡ୍‌ କଟକଣା ମାନି ସବୁ ପଦକ୍ଷେପ ନିଆଯାଉଛି। ବାତ୍ୟା ୨୬ ତାରିଖରେ ସ୍ଥଳଭାଗ ଛୁଇଁବାକୁ ଥିଲେ ହେଁ ଆମେ ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରିବୁ। ପାଣିପାଗ କେନ୍ଦ୍ର ଭୁବନେଶ୍ବରରେ କେବେଠାରୁ କେତେ ବର୍ଷା, ପବନ ହେବ ଆକଳନ କରି ଠିକ୍‌ ଭାବେ କହିବା ପରେ ଆମେ ସେହି ଅନୁଯାୟୀ ପଦକ୍ଷେପ ନେବୁ। ବର୍ତ୍ତମାନର ଯୋଜନା ଅନୁଯାୟୀ, ୨୫ ତାରିଖରେ ହିଁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ବାତ୍ୟା ପାଇଁ ମୁଖ୍ୟତଃ ବସ୍ତି ଅଞ୍ଚଳର ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କ ଚାଳଘର ବା ଅସୁରକ୍ଷିତ ଘର ଅଛି, ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ବିଏମ୍‌ସି ୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିଛି। ବିଭିନ୍ନ ସ୍କୁଲ, କଲେଜ, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟରକୁ ବଛା ଯାଇଛି। ପ୍ରତି ୱାର୍ଡରେ ୨୦ରୁ ୨୫ଟି ଆଶ୍ରୟସ୍ଥଳୀ ଅଛି। ପ୍ରତି ଆଶ୍ରୟସ୍ଥଳୀରେ ଯେପରି କୋଭିଡ୍ କଟକଣା ପାଳନ ହୋଇପାରିବ ଏବଂ କରୋନା ଆକ୍ରାନ୍ତଙ୍କୁ ବି ପୃଥକବାସରେ ରଖାଯିବ, ସେ ବ୍ୟବସ୍ଥା କରାଯାଇଛି।

ଶ୍ରୀ ଜେନା‌ଙ୍କ କହିବାନୁଯାୟୀ, ପ୍ରତି ଆଶ୍ରୟସ୍ଥଳୀରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଇସୋଲେସନ୍ ସେଲ୍‌ ରଖାଯାଇଛି। ଏଠାରେ ପୂର୍ବରୁ ଯେଉଁମାନେ କରୋନା ଆକ୍ରାନ୍ତ ହୋଇ ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ରଖାଯିବ। ଏହାବାଦ୍ ଯେଉଁମାନଙ୍କର କିଛି ଲକ୍ଷଣ ଥିବ, ସେମାନଙ୍କୁ ଅଲଗା ରଖାଯିବ। ଏହାଦ୍ବାରା କରୋନା ସଂକ୍ରମଣ ବ୍ୟାପିବନି ଏବଂ ଆକ୍ରାନ୍ତଙ୍କୁ ଆବଶ୍ୟକସ୍ଥଳେ ଉପଯୁକ୍ତ ଚିକିତ୍ସା ଯୋଗା ଯାଇପାରିବ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରିବ। ଏଠାରେ ସମସ୍ତଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଯିବ। ସକାଳେ ଜଳଖିଆ, ମଧ୍ୟାହ୍ନ ଓ ରାତିରେ ଭାତ, ଡାଲମା ଦିଆଯିବ ବୋଲି ବିଏମ୍‌ସିରୁ ଜାଣିବାକୁ ମିଳିଛି। ଏପରିକି ଲୋକଙ୍କୁ ଆଶୁ ଚିକିତ୍ସା ଯୋଗାଇବା ବ୍ୟବସ୍ଥା ବି କରାଯାଇଛି। ସେହିପରି ଯେଉଁମାନେ ଘର ଛାଡ଼ି ନ ଆସିବେ ବା ତଳି ଅଞ୍ଚଳରେ ଥିବେ, ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ସବୁ ପ୍ରକାରର ବନ୍ଦୋବସ୍ତ କରିଥିଲେ ହେଁ ଯଦି ଅଧିକ ବର୍ଷା ପବନ ଭୁବନେଶ୍ବରରେ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବ, ତେବେ ଲୋକଙ୍କୁ ସ୍ଥାନାନ୍ତର କରାଯିବନି ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର