ରାଜଧାନୀରେ ବାତ୍ୟା ମୁକାବିଲା: ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ସପ୍ତମ ବାଟାଲିଅନରେ ଓଡ୍ରାଫ ଟିମ୍ ସଜାଗ

ଭୁବନେଶ୍ବର : ବାତ୍ୟା ୟାସର ଆଂଶିକ ପ୍ରଭାବ ରାଜଧାନୀ ଭୁବନେଶ୍ୱର ଉପରେ ପଡ଼ିପାରେ ବୋଲି ଆକଳନ କରାଯାଉଛି। ବର୍ଷା ପାଇଁ ରାଜଧାନୀରେ କୃତ୍ରିମ ବନ୍ୟା ଓ ଗଛ ଭାଙ୍ଗିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଭୟ ଅଗ୍ନିଶମ ଏବଂ ଓଡ୍ରାଫ୍ ସଜାଗ ରହିଛନ୍ତି।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀର ବିଭିନ୍ନ କେନ୍ଦ୍ରରେ ୬ଟି ଟିମ୍ ୨୪ଘଣ୍ଟା ସଜାଗ ରହିବେ। ସେଗୁଡ଼ିକ ହେଲା, ସଚିବାଳୟ, ଚନ୍ଦ୍ରଶେଖରପୁର, ଜଟଣୀ, ବାଲିଅନ୍ତା ଓ ବାଲିପାଟଣା। ଏହି ୬ଟି ଟିମ୍ ପାଖରେ ଗଛ କାଟିବା ପାଇଁ ପାଵାର କଟର୍‌, କଂକ୍ରିଟ୍ କଟର୍‌, ବୋଲ୍ଟ କଟର୍‌, ଆସ୍କା ଲାଇଟ୍‌ ରହିବ। ସେହିପରି ଜଳ ନିଷ୍କାସନ ପାଇଁ ପମ୍ପ ମଧ୍ୟ ରହିବ। ଗୋଟିଏ ଟିମ୍‌ରେ ୬ଜଣ ସଦସ୍ୟ ରହିଥିବା ବେଳେ ଆବଶ୍ୟକସ୍ଥଳେ ଏହାକୁ ବଢ଼ାଯାଇପାରେ। ଏହି ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରବିବାର ମକ୍‌ ଡ୍ରିଲ୍ କରାଯାଇଥିଲା।

ସେହିପରି ବରମୁଣ୍ଡାସ୍ଥିତ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ଗୋଟିଏ ଟିମ୍ ରିଜର୍ଭ ରହିବ। ଯେଉଁଠି ଆବଶ୍ୟକ ପଡ଼ିବ, ସେହି ଟିମ୍ ସେଠାକୁ ଯାଇ କାର୍ଯ୍ୟ କରିବ। ଅନ୍ୟପକ୍ଷରେ ଓଡ୍ରାଫ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସପ୍ତମ ବାଟାଲିଅନର ଏକ ଓଡ୍ରାଫ୍ ଟିମ୍‌ ଖୋର୍ଦ୍ଧା ଯାଇଛି। ସେଠାରେ ଏହି ଟିମ୍ କାର୍ଯ୍ୟ କରିବ। ରାଜଧାନୀ ଭୁବନେଶ୍ବରରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସପ୍ତମ ବାଟାଲିଅନ୍ କ୍ୟାମ୍ପସରେ ମଧ୍ୟ ଏକ ଟିମ୍ ସଜାଗ ରହିଛି। ଆବଶ୍ୟକସ୍ଥଳେ ଏହି ଟିମ୍ କାମ କରିବ ବୋଲି ଡିସିପି(ସଶସ୍ତ୍ର ବାହିନୀ) ବିଜୟ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର