ରାଉରକେଲା: ବଟି ନ ଦେବାରୁ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ଯୁବକ ହେଉଛନ୍ତି ବନ୍ଧମୁଣ୍ଡା ଶୀତଳନଗରର ଟି. ଚିରଞ୍ଜୀବୀ(୩୩)। ସେ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ରେ ଚିକିତ୍ସାଧୀନ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ଜଣେ ଯୁବକ ଫୋନ କରି ଚିରଞ୍ଜୀବୀଙ୍କୁ ଡାକିଥିଲା। ଫଳରେ ସେ ନିଜ ବାଇକ୍ରେ ସେକ୍ଟର ଏ’ ରେଲୱେ ହାଇସ୍କୁଲ ପାଖରେ ପହଞ୍ଚିଥିଲେ। ସେ ପହଞ୍ଚିବାମାତ୍ରେ ପୂର୍ବରୁ ଜଗି ରହିଥିବା ପ୍ରାୟ ୩/୪ ଜଣ ଯୁବକ ତାଙ୍କୁ ବଟି ମାଗିଥିଲେ। ତେବେ ପାଖରେ ଟଙ୍କା ନ ଥିବା କହି ବଟି ଦେବାକୁ ମନା କରିଦେଇଥିଲେ। ପରେ ଦୁର୍ବୃତ୍ତମାନେ ଯାବତୀୟ ଧମଚମକ ଦେଇଥିଲେ। କିନ୍ତୁ ଚିରଞ୍ଜୀବୀ କୌଣସି ପରିସ୍ଥିତିରେ ବଟି ଦେଇପାରିବେନିବୋଲି କହି ସେଠାରୁ ପଳାଇ ଆସିଥିଲେ।
ଚିରଞ୍ଜୀବୀ ବାଇକ୍ରେ କିଛି ଦୂର ଆସିବାପରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ପଛପଟୁ ଗୁଳି କରିଥିଲେ। ଗୁଳି ଚିରଞ୍ଜୀବୀଙ୍କ ବାମ ଗୋଡ଼ରେ ବାଜିଥିଲା। ଗୁଳିମାଡ଼କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିଛି ସମୟପରେ ତାଙ୍କୁ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି।