ଥରେ ବାପା ଓ ଝିଅ ମନ୍ଦିରକୁ ଯାଇଥିଲେ। ଦୁଇଟି ଦୀପ କିଣିଲେ। ଝିଅକୁ ଗୋଟିଏ ଦୀପ ଦେଲେ ନେ, ଠାକୁରଙ୍କ ପାଖେ ଗୋଟେ ଜଳାଇଦେ। ଦୀପ ସବୁ ପାପ ଦୂର କରିଦେବ। ବାପା ଦୀପଟିକୁ ଜାଳିବା ପରେ ଝିଅ ବି ଦୀପଟିକୁ ଜଳାଇ ମୁଣ୍ଡିଆ ମାରିଲା। ଦୀପଟି ଜଳିବାର ଦେଖି ଝିଅ ବହୁତ ଖୁସି ହେଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାଟିଦୀପ ଭିତରେ ଥାଇ ଏସବୁ କଥା ବଳିତା ଦେଖୁଥିଲା। ଦୀପର ପ୍ରଶଂସା ବଳିତା ଦେହରେ ଗଲାନାହିଁ। ସେ ରାଗ ତମତମ ହୋଇ ମନକୁମନ କହିଲା-ବଡ଼ ବିଚିତ୍ର ଏଇ ମଣିଷ। ନିଆଁରେ ଜଳିପୋଡ଼ି ମଁୁ ପାଉଁଶ ହୋଇଯାଉଛି ପଛକେ ଆଲୁଅ ଦେଉଛି। ଅଥଚ ଏ ଲୋକମାନେ ମୋତେ ଟିକିଏ ପ୍ରଶଂସା ନକରି ଏଇ ମାଟି ଦୀପଟିକୁ କରୁଛନ୍ତି। ନା! ନା! ଆଉ ସହିହେବନି।
ବଳିତା କଥା ଶୁଣି ଘିଅ କହିଲା- ମୋର ବି ସେଇ ଅବସ୍ଥା। ନିଆଁରେ ଆମେ ଦୁହେଁ ଜଳୁଛେ। ବହୁତ କଷ୍ଟ ପାଉଛେ। ହେଲେ ସମସ୍ତେ ଖାଲି ଦୀପଟିକୁ ପ୍ରଶଂସା କରୁଛନ୍ତି। ନା ତା’କୁ ଥରେ ପାନେ ଦେବାକୁ ପଡ଼ିବ। ଦେଖିବା ସେ କେମିତି ଜଳିବ!
ବଳିତା ଆଉ ଘିଅ କଥା ଶୁଣି ଦୀପ ଭାରି ମନଦୁଃଖ କଲା। ସେ ଜାଣିପାରିଲା ଯେ ଦୁହେଁ ଈର୍ଷାପରାୟଣ ହୋଇ ଏମିତି କହୁଛନ୍ତି। ତାଙ୍କ ମନରୁ ଏ ଭାବ ଦୂରେଇ ଦେବାକୁ ପଡ଼ିବ। ତା’ ନହେଲେ ଦୁନିଆ ତାକୁ ନିନ୍ଦା କରିବ! ଦୁହିଁଙ୍କୁ ବାଟକୁ ଆଣିବାକୁ ଯାଇ ଦୀପ କ’ଣ କଲାନା, ତା ଦେହରୁ ବଳିତା ଆଉ ଘିଅକୁ କାଢ଼ିଦେଲା। ଏଥର ବଳିତା ଅଲଗା ଆଉ ଘିଅ ବି ଅଲଗା। ଦେହରୁ ଘିଅ ନିଗିଡ଼ି ପଡ଼ିବାରୁ ବଳିତା ଆଉ ଜଳିଲା ନାହିଁ। ଫଟ୍କିନା ଲିଭିଗଲା। ଜଳିବାକୁ ବହୁତ ଚେଷ୍ଟା କଲା। ହେଲେ ପାରିଲା ନାହିଁ। ସମସ୍ତେ ସେଇଠି ମୁହଁମାଡ଼ି ପଡ଼ିରହିଲେ। କେହି ତାଙ୍କୁ ଆଦର କଲେ ନାହିଁ।
ଏତେବେଳକେ ଯାଇ ବଳିତା ଆଉ ଘିଅ ନିଜର ଭୁଲ୍ ବୁଝିପାରିଲେ। ସେମାନେ ନିଜର କାମ ପାଇଁ ମାଟିଦୀପ ପାଖରେ ଭୁଲ ମାଗିଲେ। ଦୀପ ଏଥର ଆଗପରି ଦୁହିଁଙ୍କୁ କୋଳେଇ ନେଲା। ଘିଅ ଦେହରେ ବଳିତା ଗୋଟାପଣେ ଭିଜିଗଲା। ଏତିକିବେଳେ କେହିଜଣେ ନିଆଁ ଧରେଇଦେଲେ। ଦୀପଟି ଏଥର ଝଳସି ଉଠିଲା। ଏହାଦେଖି ସମସ୍ତେ ଖୁସି ହେଲେ।
ଦୀପ ବୁଝାଇଲା, ଭଲ କାମ କଲେ ହିଁ ପ୍ରଶଂସା ମିଳେ। ମୋ ଜଳିବା ପଛରେ ତୁମ ଦୁହିଁଙ୍କ ଅବଦାନ ଢେର ବେଶି। ତୁମ ଦୁହିଁଙ୍କୁ ଆଦର କରିଛି ବୋଲି ତ ମୁଁ ଜଳୁଛି। ତା’ ନ ହେଲେ ମୁଁ ଜଳନ୍ତି କେମିତି ଯେ! ସବୁ ପ୍ରଶଂସା ପାଇବାକୁ ତୁମେ ହିଁ ହକ୍ଦାର। ଏକଥା ଶୁଣି ବଳିତା ଓ ଘିଅର ଖୁସି କହିଲେ ନସରେ।
ଇନ୍ଦୁପୁର, କେନ୍ଦ୍ରାପଡ଼ା