ମାଲକାନଗିରି : ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାରେ ଯେଭଳି ମଣ୍ଡି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବ ସେନେଇ ଜୋରଦାର ଉଦ୍ୟମ ଚଳାଉଥିବା ବେଳେ କୋରକୋଣ୍ଡା ମଣ୍ଡିରେ ଦଲାଲମାନେ କିପରି ନିଜର ଧାନକୁ ମଣ୍ଡିରେ ବିକ୍ରି କରିବା ନେଇ ଯୋଜନା କରୁଛନ୍ତି ସେନେଇ ଖବର ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରି ଧାନ ଜବତ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ଜିଲ୍ଲାରେ ଚାଲିଥିବା ୬୫ ମଣ୍ଡିରେ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ଧାନ କିଣା ଚାଲିଥିବା ବେଳେ କାଁ ଭାଁ ମଣ୍ଡିରେ ଦଲାଲମାନେ ସକ୍ରିୟ ହୋଇ ନିଜର ଗଚ୍ଛିତ ଧାନକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି।ତେବେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ସବୁ ମଣ୍ଡି ଉପରେ ନଜର ରଖିଛି।କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଇର୍ମା ପଡିଆମି ନାମକ ଚାଷୀକୁ ଦଲାଲ ମଣ୍ଡିରେ ଛିଡା କରି ୬୩.୯୧ କ୍ବିଣ୍ଟାଲ ଧାନ ବିକ୍ରି କରିବାକୁ ଚେଷ୍ଟା କରୁଥିଲା।ସେହିପରି ଏନ.ଧାରବତ ନାମକ ବ୍ୟକ୍ତି ମଧ୍ୟ ୧୯.୯୭ କ୍ବିଣ୍ଟାଲ ଧାନ ବିକ୍ରି କରିବା ନେଇ ମଣ୍ଡିରେ ଉପସ୍ଥିତ ଥିଲା।
ତେବେ ଏହି ଦୁଇ ବ୍ୟକ୍ତିଙ୍କୁ ଯେତେବେଳେ ଯୋଗାଣ ଅଧିକାରୀ ଏବଂ ଟିମ ଚଢାଉ କରି ପଚରାଉଚରା କରିଥିଲା,ଏମାନେ ଏହି ଧାନ କେଉଁଠୁ ଆସିଲା କିଛି କହିପାରିନଥିଲେ।ତେବେ ଏମାନଙ୍କ ପଛରେ ଦଲାଲଙ୍କ ହାତ ଥିବା ଯୋଗାଣ ବିଭାଗ ଜାଣିପାରିଥିଲା।ମଣ୍ଡ ଆରମ୍ଭ ପୂର୍ବରୁ ଗରିବ ଚାଷୀଙ୍କ ଠାରୁ କମ୍ ଦରରେ ଧାନ ଖରିଦ କରି ଧାନ ଚାଷ କରିପାରିନଥିବା ଚାଷୀଙ୍କୁ ଧରି ସେମାନଙ୍କ ନାମରେ ପଞ୍ଜିକରଣ କରି ଟୋକେନ ପାଇବା ପରେ ଧାନକୁ ବିକ୍ରି କରିଥାନ୍ତି।ତେବେ ଯୋଗାଣ ବିଭାଗ ମୋଟ ୮୩ କ୍ବିଣ୍ଟାଲ ଧାନକୁ ଜବତ କରିବା ପରେ କୋରକୋଣ୍ଡାର ଏକ ଧାନ ମିଲକୁ ପଠାଇ ଦେଇଥିବା ଜଣାପଡିଛି।ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି।ତେବେ ଅନ୍ୟ ଦୁର୍ଗମ ମଣ୍ଡିଗୁଡାକରେ ମଧ୍ୟ ଚଢାଉ କରାଗଲେ ବହୁ ଦଲାଲ ଧରାପଡିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।