କଂଗ୍ରେସର ହାତ ଧରିଲେ ସୋନୁଙ୍କ ଭଉଣୀ ମାଳବିକା, ସିଦ୍ଧୁଙ୍କ ସହ ଦୁହିଁଙ୍କ ଫଟୋ ଭାଇରାଲ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ପଞ୍ଜାବରେ ଏବେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ଦମ ଲଗାଇ ଦେଇଛି । ଆଉ ଏହି କ୍ରମରେ ଆଜି ବଲିଉଡ ଅଭିନେତା ତଥା ଲକଡାଉନ ସମୟରୁ ଅସହାୟଙ୍କ ସାହାରା ପାଲଟିଥିବା ସୋନୁ ସୁଦଙ୍କୁ ଭେଟିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ମୋଗାସ୍ଥିତ ବାସଭବନରେ ସୋନୁ ଓ ତାଙ୍କ ଭଉଣୀ ମାଳବିକା ସୁଦଙ୍କୁ ଭେଟିଛନ୍ତି ସିଦ୍ଧୁ ।

ମିଳିଥିବା ସୂଚନା ମୁତାବକ, ଏହି ଭେଟଘାଟ ପରେ ସୋନୁଙ୍କ ଭଉଣୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସବୁଠୁ ବଡ କଥା ହେଉଛି ମାଲବିକାଙ୍କୁ କଂଗ୍ରେସରେ ସାମିଲ କରି ମୋଗାରୁ ପ୍ରାର୍ଥୀ କରିପାରେ ଦଳ । ଏପରିକି ଏନେଇ ଆଜି ଘୋଷଣା ମଧ୍ୟ ହୋଇପାରେ । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମଧ୍ୟ ମୋଗାରେ ସୋନୁଙ୍କ ଭଉଣୀଙ୍କୁ ଭେଟିପାରନ୍ତି ।

ସୋନୁଙ୍କ ଭଉଣୀଙ୍କୁ ଦଳରେ ସାମିଲ କରି କଂଗ୍ରେସ ପଞ୍ଜାବରେ ବଡ ବାଜି ଖେଳିବାକୁ ଯାଉଛି । କାରଣ ଏହାଦ୍ୱାରା କେବଳ ଯେ କଂଗ୍ରେସ ଶକ୍ତିଶାଳୀ ହେବ ତାହା ନୁହେଁ ବରଂ ସୋନୁଙ୍କ ପ୍ରଂଶସକଙ୍କ ଭୋଟ ହାତେଇବାରେ ମଧ୍ୟ ସଫଳ ହେବ ବୋଲି ଆକଳନ କରୁଛି କଂଗ୍ରେସ । ଲକଡାଉନ ସମୟରେ ଶ୍ରମିକଙ୍କ ଭଗବାନ ସାଜି ସୋନୁ ପୂରା ଦେଶବାସୀଙ୍କ ମନ ଜିଣିଥିଲେ । ଆଉ ପଞ୍ଜାବର ପୁଅ ହୋଇଥିବାରୁ ପଞ୍ଜାବବାସୀ ମଧ୍ୟ ଏଥିପାଇଁ ବେଶ ଗର୍ବ ଅନୁଭବ କରିଥିଲେ । ତେଣୁ ସୋନୁଙ୍କ ଭଉଣୀଙ୍କ ଜରିଆରେ ପଞ୍ଜାବବାସୀଙ୍କ ଆର୍ଶୀବାଦ ଆପଣାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସୋନୁ ସୁଦ ନିଜେ ରାଜନୀତି ମୈଦାନକୁ ଲମ୍ଫ ମାରିନଥିଲେ ମଧ୍ୟ ଭଉଣୀ ମାଳବିକା ଏଥର ରାଜନୀତି ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଆଉ ସୋନୁଙ୍କ ଲୋକପ୍ରିୟତା ମାଳବିକାଙ୍କ ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ବୋଲି କୁହାଯାଉଛି । ଅନ୍ୟପଟେ ମୋଗା ଆସନରେ ପୂର୍ବରୁ କଂଗ୍ରେସର ଦବଦବା ରହିଛି । ତେଣୁ ମୋଗା ଆସନରୁ ମାଳବିକା ଲଢିବାକୁ ମନ ବଳାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର