ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବ ବିଧାୟକ ଅଜିତ ଦାସ (୮୦ ବର୍ଷ)ଙ୍କ ସ୍ଥାନୀୟ ବଡ଼ପଡ଼ା ବାସଭବନରେ ପରଲୋକ ହୋଇଛି। ସେ ହେଉଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ବଡ଼ଭାଇ।
Sambad is now on WhatsApp
Join and get latest news updates delivered to you via WhatsApp
ଦିବାକର ଦାସ ଓ ବିଳାସିନୀ ଦାସଙ୍କ ପ୍ରଥମ ସନ୍ତାନ ଅଜିତ ୧୯୪୪ ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବ୍ରଜମୋହନ ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ୧୯୬୭ ମସିହାରେ ଭାରତୀୟ ବାୟୁସେନାରେ ଯୋଗଦେଇ ୧୨ବର୍ଷ ଧରି ଚାକିରି କରିଥିଲେ। ଅବସର ଗ୍ରହଣ ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୧୯୯୦ ମସିହାରେ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ଅଜିତ ଦାସଙ୍କ ପରଲୋକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜୟଦେବ ନାଏକ, ରବି ପଟ୍ଟଯୋଶୀ, ମହମ୍ମଦ ଅଲ୍ଲୀ ଖାଁ, ବରିଷ୍ଠ ଆଇନଜୀବୀ ତଥା ସହପାଠୀ ଗିରୀଶ ପୁରୋହିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।