ପ୍ରତ୍ୟେକ ନିର୍ବାଚନୀ ପ୍ରତିଯୋଗିତା ହେଉଛି ବିଜେତା ଓ ପରାଜିତଙ୍କ କାହାଣୀ। ସଦ୍ୟ ରାଜ୍ୟ ନିର୍ବାଚନ ଫଳାଫଳର ସମୀକ୍ଷାଗୁଡ଼ିକ ବିଶେଷ କରି ପ୍ରମୁଖ ବିଜେତାମାନଙ୍କ ଉପରେ ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ଏହି ସ୍ତମ୍ଭରେ ପ୍ରମୁଖ ପରାଜିତ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋକପାତ କରାଯାଉଛି। ଉତ୍ତରପ୍ରଦେଶରେ ଆଦିତ୍ୟନାଥ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର ଆନନ୍ଦଦାୟକ ପୁନର୍ନିବାଚନ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରଭାବଶାଳୀ ବିଜୟ ବ୍ୟତିରେକ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନଗୁଡ଼ିକରେ ପୁଣି ଥରେ କଂଗ୍ରେସ ଦଳର ନିୟମିତ, ଧର୍ମ ନିରପେକ୍ଷ ଏବଂ ସମ୍ଭବତଃ ଅପରିବର୍ତ୍ତନୀୟ ପତନକୁ ନିଶ୍ଚିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକସଭାକୁ ୮୦ ଜଣ ସାଂସଦ ପଠାଉଥିବା ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ କଥା ବିଚାର କରାଯାଉ। ଔପନିବେଶିକ ସମୟରେ ଉକ୍ତ ରାଜ୍ୟ କଂଗ୍ରେସ ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା। ସ୍ବାଧୀନତା ପରେ ଏହା ଭାରତକୁ ତାହାର ପ୍ରଥମ ତିନି ପ୍ରଧାନମନ୍ତ୍ରୀ ଯୋଗାଇଛି। ତେବେ ଷାଠିଏ ଦଶକର ଶେଷ ଆଡ଼କୁ ଉତ୍ତରପ୍ରଦେଶର ରାଜନୀତିରେ କଂଗ୍ରେସର ପ୍ରାଧାନ୍ୟ ଉଲ୍ଲେଖନୀୟ ଭାବେ ଦୁର୍ବଳ ହେବାକୁ ଲାଗିଥିଲା ଏବଂ ଅଶୀ ଦଶକ ବେଳକୁ ଏହା ରାଜ୍ୟର ଏକ ମାମୁଲି ଖେଳାଳିରେ ପରିଣତ ହୋଇଥିଲା।
ଏଥର ରାଜନୀତିରେ ସଦ୍ୟ ପ୍ରବେଶ କରିଥିବା ନେହରୁ-ଗାନ୍ଧୀ ପରିବାରର ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ଦଳର ଭାଗ୍ୟକୁ ପୁନର୍ଜୀବିତ କରିବା ଲାଗି ଦୃଢ଼ ପରିକର ହୋଇଥିଲେ। ଯଦିଓ ସେ ନିଜର ଆବାସସ୍ଥଳୀକୁ ଦିଲ୍ଲୀରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିପାରିନଥିଲେ ଏବଂ ନିଜେ ବିଧାନସଭା ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ, ତେବେ ସେ ଉକ୍ତ ରାଜ୍ୟକୁ ନିୟମିତ ଗସ୍ତ କରୁଥିଲେ। ନେହରୁ-ଗାନ୍ଧୀ ପରିବାରକୁ ତଥାପି ବ୍ରିଟିସ୍ର ପ୍ରଖ୍ୟାତ ଵିଣ୍ଡସର ରାଜକୀୟ ପରିବାରର ଭାରତୀୟ ସଂସ୍କରଣ ବୋଲି ବିଚାରୁଥିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ପାଇଁ ଏହା ବେଦମ ଉଦ୍ଦୀପନା ଆଣିଦେଇଥିଲା। ପ୍ରିୟଙ୍କାଙ୍କ ପ୍ରତିଟି ଗସ୍ତ, ସାମ୍ବାଦିକ ସମ୍ମିଳନୀ ଓ ଘୋଷଣାନାମାକୁ ସେହି ବଂଶବାଦ ପୂଜାରୀମାନେ ବ୍ୟାଖ୍ୟା କରି ଉତ୍ତରପ୍ରଦେଶରେ କଂଗ୍ରେସର ଏକ ନିର୍ବାଚନୀ ପୁନରୁତ୍ଥାନ ଘଟିବାକୁ ଯାଉଛି ବୋଲି ପ୍ରଚାର କରିବାକୁ ଲାଗିଲେ। କିନ୍ତୁ ବାସ୍ତବରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଉକ୍ତ ରାଜ୍ୟରେ ମାତ୍ର ୨%ରୁ ସାମାନ୍ୟ ଅଧିକ ଭୋଟ ପାଇବାକୁ ସମର୍ଥ ହେଲା ଏବଂ ଏପରି କି ଗତଥର ଅପେକ୍ଷା ଯଥେଷ୍ଟ କମ୍ ବିଧାନସଭା ଆସନ ଦଖଲ କରିପାରିଲା।
ଉତ୍ତରପ୍ରଦେଶରେ ପ୍ରଭାବ ନ ପଡ଼ିଲେ ନାଇଁ ପଛକେ ସେଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ୟମର ଅନ୍ତତଃ କିଛି ମୂଲ୍ୟ ରହିଛି। ଏଣେ କଂଗ୍ରେସ ଶାସନରେ ଥିବା ପଞ୍ଜାବରେ ତାଙ୍କ ଭାଇ ରାହୁଳ ଗାନ୍ଧୀ ନିର୍ବାଚନର ବର୍ଷକରୁ କମ୍ ସମୟ ପୂର୍ବରୁ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଖାମଖିଆଲ ଢଙ୍ଗରେ ବଦଳାଇ ଦେଇ ରାଜ୍ୟରେ ଦଳର ପୁନର୍ନିବାଚିତ ହେବାର ସୁଯୋଗକୁ ହାତଛଡ଼ା କରିଦେଲେ। ଯଦିଓ ଅମରିନ୍ଦର ସିଂହ ସେଠାରେ ଦଳେ ବିଧାୟକଙ୍କର ପ୍ରିୟପାତ୍ର ନ ଥିଲେ, ତେବେ ରାଜନୀତିରେ ତାଙ୍କର ସୁଦୂର ଅଭିଜ୍ଞତା ରହିଥିଲା ଏବଂ ବିଶେଷ କରି ଚାଷୀ ଆନ୍ଦୋଳନ ସପକ୍ଷରେ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ। ବର୍ଷକ ତଳେ ପଞ୍ଜାବରେ କଂଗ୍ରେସ ଓ ଆପ୍ର ଜିତିବା ସମ୍ଭାବନା ସମାନ ରହିଥିଲା। ମାତ୍ର ଅମରିନ୍ଦରଙ୍କୁ ବଦଳାଇ ଅପେକ୍ଷାକୃତ ଅଜଣା ଚରଣଜିତ୍ ସିଂହ ଚନ୍ନିଙ୍କୁ ଆଣିବା ଏବଂ ବିନାଶକାରୀ ନବଜୋତ ସିଂହ ସିଦ୍ଧୁଙ୍କ ଦ୍ବାରା ଚନ୍ନିଙ୍କୁ ନୀଚା କରିବାରେ ରାହୁଳ ଗାନ୍ଧୀଙ୍କ ଅନୁଗ୍ରହ ସମଗ୍ର ରାଜ୍ୟ କଂଗ୍ରେସକୁ ଓଲଟପାଲଟ କରିଦେଲା। ପରିଣତି ସ୍ବରୂପ ପଞ୍ଜାବରେ ଆପ୍ ଦ୍ବାରା କଂଗ୍ରେସର ସାଂଘାତିକ ପରାଜୟ ଘଟିଲା।
ଏବେ ଗୋଆ ଓ ଉତ୍ତରାଖଣ୍ଡ କଥା ବିଚାର କରାଯାଉ। ଉଭୟ ରାଜ୍ୟରେ ବିଜେପି ଶାସନରେ ଥିଲେ ହେଁ ସେଠାରେ ସରକାର ଦୁର୍ନୀତି ଓ ଉଦାସୀନତା ଯୋଗୁଁ ଲୋକପ୍ରିୟତା ହରାଇ ବସିଥିଲେ। ଉତ୍ତରାଖଣ୍ଡରେ ଅସନ୍ତୋଷକୁ ଟାଳି ଦେବା ଲାଗି ବିଜେପି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ବଦଳାଇଥିଲା। ଉଭୟ ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା, ତଥାପି ତାହା ଶାସନକୁ ଫେରିବା ଲାଗି ଯଥେଷ୍ଟ ଦୃଢ଼ ହୋଇପାରିନଥିଲା। ସେହିପରି ମଣିପୁର ଯେଉଁଠି କଂଗ୍ରେସ ଏକଦା ଶାସନ କ୍ଷମତାର ସ୍ବାଭାବିକ ଦଳ ହୋଇ ରହିଥିଲା, ସେଠି ମଧ୍ୟ କଂଗ୍ରେସ ସେଭଳି ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିଲାନି। ଏପରି କି ଗତଥର ଆସନ ସଂଖ୍ୟା ଠାରୁ ଏଥର ଦଳକୁ କୋଡ଼ିଏ ପାଖାପାଖି କମ୍ ଆସନ ମିଳିଛି।
ଦୀର୍ଘ ଦିନ ହେଲା ଆମମାନଙ୍କ ଭିତରୁ କିଛି ଯୋଉ କଥା ଅନୁଭବ କରିଛନ୍ତି, ତାହାକୁ ଏଇ ନିର୍ବାଚନ ନିଶ୍ଚିତ କରିଛି ଯେ ଅନ୍ତତଃ ପକ୍ଷେ ବର୍ତ୍ତମାନର ନେତୃତ୍ବରେ କଂଗ୍ରେସ ଜାତୀୟ ରାଜନୀତିରେ ଏକ ପ୍ରମୁଖ ଖେଳାଳିର ଭୂମିକା ଗ୍ରହଣ କରିପାରିବ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ହାସ୍ୟାସ୍ପଦ ପରାଜୟ ପରେ ରାହୁଳ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ତାଙ୍କ ମା’ ସୋନିଆ ଗାନ୍ଧୀ ଦଳର କାମଚଳା ଅଧ୍ୟକ୍ଷା ହେଲେ। ତେବେ ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ଦଳ ପରବର୍ତ୍ତୀ ଅଧ୍ୟକ୍ଷ ବାଛି ପାରିନାହିଁ। ବାସ୍ତବରେ ଦଳ ସେହି ପରିବାରର ନିୟନ୍ତ୍ରଣରେ ରହିଛି ଏବଂ ତାହାର ଫଳାଫଳ ଆମେ ଏବେ ଦେଖିବାକୁ ପାଉଛେ।
୨୦୧୯ ବେଳକୁ କଂଗ୍ରେସ ନିଜକୁ ପୁନର୍ଜୀବିତ କରିବାର ସୁଯୋଗ ଥିଲା, ମାତ୍ର ତାହା ହାତଛଡ଼ା କରିଦେଲା। ଏବେ ଆଉ କ’ଣ କରିପାରିବ? ମୋର ବିଶ୍ବାସ, ଦଳର ହିତ ପାଇଁ ଏବଂ ଭାରତୀୟ ଗଣତନ୍ତ୍ରର ମଙ୍ଗଳ ପାଇଁ ଗାନ୍ଧୀ ପରିବାରର ସଦସ୍ୟମାନେ କେବଳ ଦଳର ନେତୃତ୍ବ ଛାଡ଼ିବା ଯଥେଷ୍ଟ ନୁହେଁ, ସେମାନେ ରାଜନୀତିରୁ ଅବସର ନେଇଯିବା ମଧ୍ୟ ଠିକ୍ ହେବ। କେବଳ ଏତିକି ନୁହେଁ ଯେ ରାଜ୍ୟ ଏବଂ ଜାତୀୟ ନିର୍ବାଚନରେ ଦଳକୁ ଏକ ପ୍ରତିଯୋଗିତାମୂଳକ ଶକ୍ତି ଭାବେ ଉଭା କରାଇବାରେ ରାହୁଳ ଓ ପ୍ରିୟଙ୍କା ସମ୍ପୂର୍ଣ୍ଣ ଅସମର୍ଥ; କଂଗ୍ରେସରେ ସେମାନଙ୍କ ଉପସ୍ଥିତି ଯୋଗୁଁ ଅତୀତ ସମ୍ପର୍କରେ ବିତର୍କକୁ ଭିତ୍ତି କରି ନରେନ୍ଦ୍ର ମୋଦୀ ଓ ବିଜେପି ପାଇଁ ସରକାରଙ୍କ ସାମ୍ପ୍ରତିକ ବିଫଳତାରୁ ନଜର ହଟାଇବା ପାଇଁ ତାହା ସୁଯୋଗ ମଧ୍ୟ ଜୁଟାଉଛି। ଯେପରି କି ରାଜୀବ ଗାନ୍ଧୀ ଓ ବୋଫର୍ସକୁ ଆଳ କରି ସାମରିକ ଦୁର୍ନୀତି କଥା କୁହାଯାଉଛି, ଇନ୍ଦିରା ଗାନ୍ଧୀ ଓ ଜରୁରୀକାଳୀନ ପରିସ୍ଥିତି ସନ୍ଦର୍ଭରେ ଗଣମାଧ୍ୟମର କଣ୍ଠରୋଧ ଓ ସକ୍ରିୟତାବାଦୀଙ୍କୁ ବନ୍ଦୀ କଥା କୁହାଯାଉଛି ଏବଂ ଜବାହରଲାଲ ନେହରୁ ଓ ୧୯୬୨ ଯୁଦ୍ଧ ପ୍ରସଙ୍ଗ ଉଠାଇ ଚୀନୀ ସେନା ପାଖରେ ଭାରତୀୟ ଜମି ଓ ଯବାନ ହରାଇବା କଥା କୁହାଯାଉଛି, ଇତ୍ୟାଦି ଇତ୍ୟାଦି।
ମୋଦୀ ସରକାର ତାଙ୍କ ଶାସନର ଆଠ ବର୍ଷ ଭିତରେ ଅନେକ ଆତ୍ମପ୍ରଶଂସା କରିଛନ୍ତି ଓ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲକ୍ଷ୍ୟ ହାସଲ କଥା ବିଚାର କଲେ ତାହା ଅତ୍ୟନ୍ତ ନିରୁତ୍ସାହିତ ମନେ ହେବ ନିଶ୍ଚୟ। ସରକାର ଅଭିବୃଦ୍ଧି ହାର ହ୍ରାସ (ଏପରି କି ମହାମାରୀ ପୂର୍ବରୁ ସ୍ପଷ୍ଟ ଜଣାପଡୁଥିବା)କୁ ଅଣଦେଖା କରିଛନ୍ତି, ବେକାରି ବହୁତ ବଢ଼ିଛି; ଅତ୍ୟନ୍ତ ଅସଭ୍ୟ ଭାବରେ ମୁସଲମାନଙ୍କ ବିରୋଧରେ ହିନ୍ଦୁଙ୍କୁ ଲଗାଯାଇଛି, ପଡ଼ୋଶୀ ଦେଶ ଓ ବିଶ୍ବରେ ଆମ ଭାବମୂର୍ତ୍ତିରେ ଆଞ୍ଚ ଆସିଛି, ଆମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକର ଅବକ୍ଷୟ ସହ ଦୁର୍ନୀତି ଭରିଯାଇଛି। ଏହା ଆମ ପ୍ରାକୃତିକ ପରିବେଶକୁ ବିଧ୍ବଂସ କରିଛି। ମୋଟାମୋଟି ଭାବରେ ମୋଦୀ ସରକାରଙ୍କ କାର୍ଯ୍ୟକଳାପ ଭାରତକୁ ଆର୍ଥିକ, ସାମାଜିକ, ଆନୁଷ୍ଠାନିକ, ଆନ୍ତର୍ଜାତିକ, ପାରିବେଶିକ ଏବଂ ନୈତିକ ସ୍ତରରେ ନଷ୍ଟ କରିଦେଇଛି।
ଏତେ ସବୁ ବିଫଳତା ସତ୍ତ୍ବେ ଯଦି ୨୦୨୪ରେ ନରେନ୍ଦ୍ର ମୋଦୀ ଓ ବିଜେପି ପୁନର୍ନିବାଚିତ ହେବା ସ୍ଥିତିରେ ରହନ୍ତି, ତେବେ ତାହାର ମୁଖ୍ୟ କାରଣ ହେବ, ତାହାର ପ୍ରମୁଖ ଜାତୀୟ ସ୍ତରୀୟ ବିରୋଧୀ କଂଗ୍ରେସ ଦଳ ନେହରୁ-ଗାନ୍ଧୀ ପରିବାର ଅଧୀନରେ ରହିବା। ଟିଏମ୍ସି, ବିଜେଡି, ଵାଇଏସ୍ଆର୍ସି, ଟିଆର୍ଏସ୍, ଡିଏମ୍କେ, ସିପିଆଇ (ଏମ୍) ଓ ଆପ୍ ଆଦି ଦଳ ଯେଉଁ ଅଞ୍ଚଳରେ ବିଜେପିର ପ୍ରମୁଖ ବିରୋଧୀ ହୋଇ ରହିଛନ୍ତି, ସେଠାରେ ସେମାନେ ଏକ ପ୍ରଭାବଶାଳୀ ନିର୍ବାଚନୀ ଆହ୍ବାନ ଦେଇପାରିବେ। ପ୍ରକୃତରେ କଂଗ୍ରେସ ତାହା କରିପାରିବନି ଯାହା ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରୁ ସଦ୍ୟ ପ୍ରାପ୍ତ ଫଳାଫଳରୁ ସ୍ପଷ୍ଟ ହୋଇଛି। ନେହରୁ-ଗାନ୍ଧୀ ପରିବାର ନେତୃତ୍ବାଧୀନ କଂଗ୍ରେସର ଦୁର୍ବଳତା ବିଶେଷ କରି ସାଧାରଣ ନିର୍ବାଚନ ବେଳେ ଜଳ ଜଳ ହୋଇ ଜଣାପଡ଼ିଯାଉଛି। ଉଦାହରଣ ସ୍ବରୂପ, ୨୦୧୯ ନିର୍ବାଚନରେ ବିଜେପି ସହ ମୁହାଁମୁହିଁ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ୧୯୧ଟି ଆସନରୁ କଂଗ୍ରେସ ମାତ୍ର ୧୬ଟି ଜିତି ପାରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଭାବେ ରାହୁଳ ଗାନ୍ଧୀ ଉପସ୍ଥାପିତ ହେବା ଦ୍ବାରା କଂଗ୍ରେସର ସଫଳତା ହାର ୮ ପ୍ରତିଶତରୁ କମ୍ ହୋଇଯାଇଛି।
ବିଜେପି ପାଇଁ ଗାନ୍ଧୀ ପରିବାର ଏକ ଉପହାର ସଦୃଶ, ଯାହା ପ୍ରଦତ୍ତ ହୋଇ ଚାଲିଛି। ଅପରପକ୍ଷେ, ସେମାନେ ଦୂରରୁ ମଧ୍ୟ ଏକ ଫଳପ୍ରଦ ନିର୍ବାଚନୀ ଆହ୍ବାନର ପ୍ରତିନିଧିତ୍ବ କରିପାରୁନାହାନ୍ତି। ସେହିପରି ଗାନ୍ଧୀ ପରିବାରକୁ ବର୍ତ୍ତମାନରେ ନ ରଖି ଅତୀତରେ ଉପସ୍ଥାପନ କରି ବିଜେପି ଜାତୀୟ ରାଜନୈତିକ ବିତର୍କ ବାବଦରେ ହୁକୁମ ଚଳାଇଛି।
ଦିନକୁ ଦିନ କମ୍ ସାମନ୍ତବାଦୀ ହୋଇ ଚାଲିଥିବା ଭାରତରେ ଦେଶର ସର୍ବାଧିକ କଥିତ ଦଳରେ ଜଣେ ପଞ୍ଚମ ପିଢ଼ିର ବଂଶଧାରୀ ମୁଖ୍ୟ ହେବା ହିଁ ମୁଖ୍ୟ ସମସ୍ୟା। ଗମ୍ଭୀର ହୋଇ ପଡ଼ିଥିବା ମହତ୍ତ୍ବପୂର୍ଣ୍ଣ ଅସୁବିଧାଟି ହେଲା, ଥରେ ଅନୁପାର୍ଜିତ ବିଶେଷାଧିକାରର ସାନ୍ନିଧ୍ୟ ଲାଭ କରିଚାଲିଲେ, ରାଜନୈତିକ ବିଜ୍ଞତାର ଅଭାବ ରହିଥାଏ। ଏକବିଂଶ ଶତାବ୍ଦୀରେ ଭାରତୀୟମାନଙ୍କର ଚିନ୍ତାଧାରା କ’ଣ, ସେ ବିଷୟରେ ନିଜର ଚାଟୁକାରମାନଙ୍କ ଗହଣରେ ରହି ଆସୁଥିବା ଗାନ୍ଧୀ ପରିବାରର କମ୍ ଧାରଣା ରହିଛି। ରାହୁଳ ଗାନ୍ଧୀଙ୍କ ସମ୍ପର୍କରେ ଆତୀଶ ତାସୀରଙ୍କ କଠୋର ମାତ୍ର ନିର୍ଭୁଲ୍ ଚରିତ୍ରୀକରଣ ହେଲା, ସେ ଜଣେ ଅଶିକ୍ଷଣୀୟ ମଧ୍ୟମ ଧରଣର ଗୁଣ ବିଶିଷ୍ଟ ବ୍ୟକ୍ତି; ନିଜ ପିତା, ଜେଜେମା’ ଓ ଅଣଅଜାଙ୍କ ଦୃଷ୍ଟାନ୍ତ ଦେଇ ସାମ୍ପ୍ରତିକ ରାଜନୀତିରେ ଉପସ୍ଥାପନ ପାଇଁ ସେ ଅନୁପଯୁକ୍ତ।
ସେମାନେ ଏକଥା ଜାଣନ୍ତୁ ବା ନ ଜାଣନ୍ତୁ, ଅନୁଭବ କରନ୍ତୁ ବା ନ କରନ୍ତୁ, ମାତ୍ର ଗାନ୍ଧୀ ପରିବାର ହିନ୍ଦୁତ୍ବ ଏକଛତ୍ରବାଦର ଏକ ସକ୍ରିୟ ସୁଗମକାରୀ ପାଲଟିଛି। ସେମାନେ ଯଦି ବିଦା ହୁଅନ୍ତି, ଏପରି କି କଂଗ୍ରେସର ଯଦି ବିଭାଜନ ହୁଏ, ତେବେ ତାଙ୍କ ସ୍ଥାନରେ ଆଉ କେହି ଜଣେ ଅଧିକ ରାଜନୈତିକ ବିଶ୍ବସନୀୟତାର ସହ ଉଭା ହେବ। ସେତେବେଳେ ଆମମାନଙ୍କ ଭିତରୁ ଯେଉଁମାନେ ହିନ୍ଦୁତ୍ବକୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନର ଭୟାନକ ସ୍ଥିତି ବାହାରେ ଭାରତର ଭବିଷ୍ୟତ୍ ପାଇଁ କିଛି ଭଲ କଥା ଚିନ୍ତା କରିପାରିବେ, ସଂଘର୍ଷ ବି କରିପାରିବେ।