ପୁଲିସର ବେପରୁଆ ତଦନ୍ତ: ଆଇପିଏସ୍ଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡ
ହାଇଦ୍ରାବାଦ : ଏକ ଯୌତୁକ ନିର୍ଯାତନା ମାମଲାରେ ଅତ୍ୟଧିକ ଆଧିପତ୍ୟ ଦେଖାଇବା ଏବଂ କ୍ଷମତାର ଦୁରୂପଯୋଗ କରି ମାମଲାରେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି ତାଙ୍କୁ ଅତ୍ୟଧିକ ନିର୍ଯାତନା ଦେଇଥିବାରୁ ଜଣେ ଆଇପିଏସ୍ ଅଫିସରଙ୍କ ସମେତ ମୋଟ୍ ୪ ପୁଲିସ ଅଧିକାରୀଙ୍କୁ ତେଲେଙ୍ଗାନା ହାଇକୋର୍ଟ ଦୋଷୀସାବ୍ୟସ୍ତ କରି ଜେଲ୍ ଦଣ୍ଡ ଦେଇଛନ୍ତି। ସେମାନଙ୍କୁ ୪ ସପ୍ତାହ ଜେଲ୍ଦଣ୍ଡ ଦେଇଛନ୍ତି। ଉକ୍ତ ୪ ପୁଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଆଜି ହାଇଦ୍ରାବାଦ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ବୈବାହିକ ବିବାଦ ମାମଲାରେ ସମ୍ପୂର୍ଣ୍ଣ ଭାବେ ବେପରୁଆ ଏବଂ ଏକତରଫା ତଦନ୍ତ କରି ପୀଡ଼ିତଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ସେମାନଙ୍କୁ ଜରିମାନା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜେଲ୍ଦଣ୍ଡ ପାଇଥିବା ଆଇପିଏସ୍ ଅଫିସର ହେଉଛନ୍ତି ଏଆର୍ ଶ୍ରୀନିବାସ। ସେ ହାଇଦ୍ରାବାଦର ଏସିପି (ଆଡିସନାଲ୍ କମିସନର ଅଫ୍ ପୁଲିସ)। ଅନ୍ୟମାନେ ହେଉଛନ୍ତି ବଞ୍ଜାରା ହିଲ୍ସ ଏସିପି (ଆସିଷ୍ଟାଣ୍ଟ୍ କମିସନର ଅଫ ପୁଲିସ) ଏମ୍ ସୁଦର୍ଶନ, ଜୁବିଲି ହିଲ୍ସ ସର୍କଲ୍ ଇନ୍ସପେକ୍ଟର ଏସ୍ ରାଜଶେଖର ରେଡ୍ଡି ଏବଂ ଏସ୍ଆଇ ନରେଶ। ଉପରୋକ୍ତ ୪ ଅଧିକାରୀଙ୍କୁ ଦଣ୍ଡାଦେଶ କରିବା ସହ ଜଷ୍ଟିସ୍ ଜି ରାଧାରାଣୀ ସେମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେମାନେ ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ମାନଦଣ୍ଡକୁ ଉଲ୍ଲଂଘନ କରିଛନ୍ତି। କିନ୍ତୁ ଦଣ୍ଡାଦେଶ କରିଥିଲେ ସୁଦ୍ଧା କୋର୍ଟ ଏହାର କାର୍ଯ୍ୟକାରିତା ଉପରେ ୬ ସପ୍ତାହ ରୋକ୍ ଲଗାଇଛନ୍ତି। ଫଳରେ ସେମାନେ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିପାରିବେ।
ଜୁବିଲି ହିଲ୍ସର ବିନୋଦ କୁମାର ରେଡ୍ଡି ଏବଂ ତାଙ୍କ ମା’ ସୌଜନ୍ୟ କୁମାର ରେଡ୍ଡିଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ବିନୋଦ ଏବଂ ତାଙ୍କ ମା’ ବ୍ୟାଙ୍କକ୍ରେ ରହୁଛନ୍ତି। ୨୦୧୧ରେ ବିନୋଦ ସୁମନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପାଇଁ ଏହା ଦ୍ବିତୀୟ ବିବାହ ଥିଲା। ତେବେ ଉଭୟଙ୍କ ମଧ୍ୟରେ ମତଭେଦ ହେବାରୁ ବିନୋଦ ଏବଂ ସୁମନା ୨୦୧୪ ଜୁଲାଇରୁ ଅଲଗା ରହିଲେ। ବିନୋଦଙ୍କର ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଗୋଟିଏ ଝିଅ ଅଛି। ଝିଅକୁ ବ୍ୟାଡମିଣ୍ଟନରେ ଟ୍ରେନିଂ ଦେବାପାଇଁ ସେ ବ୍ୟାଙ୍କକରେ ରହୁଛନ୍ତି। ତାଙ୍କ ଝିଅ ବ୍ୟାଡମିଣ୍ଟନ୍ରେ ଜୁନିୟର ୱାର୍ଲ୍ଡ ନମ୍ବର ୨। ସେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି। ବିନୋଦଙ୍କ ମା’ ମଧ୍ୟ ସେମାନଙ୍କ ସହ ବ୍ୟାଙ୍କକ୍ରେ ରହୁଛନ୍ତି। ବିନୋଦ ବ୍ୟାଙ୍କକ୍ରେ ରହୁଥିବାବେଳେ ସୁମନା ବେଙ୍ଗାଲୁରୁରେ ଥିବା ବିନୋଦଙ୍କ ସମ୍ପତ୍ତି ହାତେଇବା ପାଇଁ ଲାଗିପଡ଼ିଲେ। ବିନୋଦ ଏନେଇ ଏକ ମକଦ୍ଦମା ରୁଜୁ କରିଥିଲେ। ଏହା ଫଳରେ ସମ୍ପତ୍ତି କ୍ରୟ-ବିକ୍ରୟ ଉପରେ ରୋକ୍ ଲାଗିଥିଲା। ଏହାପରେ ସୁମନା ୨୦୧୯ରେ ବିନୋଦ, ତାଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ୨୦୧୯ରେ ଯୌତୁକ ନିର୍ଯାତନା ମାମଲା ରୁଜୁ କଲେ।
ଏହି ମାମଲାର ତଦନ୍ତ କରି ପୁଲିସ ବିନୋଦଙ୍କୁ ଅତ୍ୟଧିକ ନିର୍ଯାତନା ଦେଇଛି। ବିନୋଦ ବ୍ୟାଙ୍କକ୍ରେ ରହୁଥିବା ଜାଣି ମଧ୍ୟ ପୁଲିସ ତାଙ୍କୁ ଫେରାର୍ ଘୋଷଣା କରିଛି ଏବଂ ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ ଜାରି କରିଛି। ପୁଲିସ ମଧ୍ୟ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ବିନୋଦଙ୍କୁ ଫସାଇବାକୁ ଚେଷ୍ଟା କରିଛି। ବିନୋଦ ତାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ଜୁବିଲି ହିଲ୍ସ ଥାନାରେ ଦାଖଲ କରିଥିଲେ ସୁଦ୍ଧା ପୁଲିସ ତାଙ୍କ ବିରୋଧରେ ଦ୍ବିତୀୟ ଏତଲା ରୁଜୁ କରିଥିଲା। ଆଇପିଏସ୍ ଅଫିସର ଶ୍ରୀନିବାସ ପଶ୍ଚିମ ଜୋନ୍ ଡିସିପି ଭାବେ ତାଙ୍କ କ୍ଷମତା ବଳରେ ବିନୋଦ ଏବଂ ତାଙ୍କ ପରିବାର ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲେ। ଶ୍ରୀନିବାସ ସୁମନାଙ୍କ ସହ ମିଶି କୋର୍ଟଙ୍କୁ ଭୁଲ୍ ତଥ୍ୟ ଦେବାକୁ ଚେଷ୍ଟା କରିଥିଲେ।