ବୁଲ୍ଡୋଜର୍ ଚଳାଇ ଭଙ୍ଗାଯିବ ପ୍ରୟାଗରାଜ ସଂଘର୍ଷର ମୁଖ୍ୟ ଅଭିଯୁକ୍ତଙ୍କ ଘର; ଘର ଖାଲି କରିବାକୁ ପରିବାର ଲୋକଙ୍କୁ ନୋଟିସ୍ ଜାରି
ପ୍ରୟାଗରାଜ: ଶୁକ୍ରବାର ଦିନ ପ୍ରୟାଗରାଜ ସହରରେ ଘଟିଥିବା ସଂଘର୍ଷର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଚିହ୍ନଟ କରାଯାଇଥିବା ମହମ୍ମଦ୍ ଜାଭେଦ୍ ଓରଫ୍ ଜାଭେଦ୍ ପମ୍ପ୍ଙ୍କ ଘରକୁ ଭାଙ୍ଗିବା ପାଇଁ ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ (ପିଡିଏ) ତାଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ୧୨ ତାରିଖ ପୂର୍ବାହ୍ଣ ୧୧ଟା ସୁଦ୍ଧା ଘର ଖାଲି କଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତାଲା ଅଞ୍ଚଳରେ ଥିବା ଜାଭେଦ୍ଙ୍କ ଘର ଫାଟକରେ ଲଗାଯାଇଥିବା ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ଙ୍କ ନୋଟିସ୍ରେ ସୂଚନା ଦିଆଯାଇଛି।
ଆବଶ୍ୟକ ଅନୁମତି ନ ନେଇ ଉକ୍ତ ଘରର କିଛି ଅଂଶ ବେଆଇନ ଭାବେ ନିର୍ମିତ ହୋଇଛି। ତେଣୁ, ଏହା ‘ବିଲ୍ଡିଙ୍ଗ୍ ଆଣ୍ଡ୍ ପ୍ଲାନିଙ୍ଗ୍’ ନିୟମ ବହିର୍ଭୂତ ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ଅଛି।
‘ପିଡିଏ’ କହିଛି, ୨୦୨୨ ମେ ୫ ତାରିଖ ଦିନ ପ୍ରେରିତ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଦେବାରେ ଜାଭେଦ୍ ବିଫଳ ହୋଇଥିଲେ କି, ଜୁନ୍ ୯ ତାରିଖ ଦିନ ଆଉ ଏକ ନୋଟିସ୍ରେ ଘର ଛାଡ଼ିବା ପାଇଁ ଆଦେଶ ଦିଆଯାଇଥିଲେ ବି ଘର ଖାଲି କରି ନ ଥିଲେ।
ପ୍ରଫେଟ୍ ମହମଦ୍ଙ୍କ ଉପରେ ବିଜେପି କାର୍ଯ୍ୟକର୍ତ୍ତା (ଏବେ ନିଲମ୍ବିତା) ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ପ୍ରୟାଗରାଜର ଅତାଲା ଅଞ୍ଚଳର ପ୍ରତିବାଦର ଉତ୍ପତ୍ତିସ୍ଥଳ ପାଲଟିଥିଲା।
ପୁଲିସ ଅଭିଯୋଗ କରିଛି ଯେ, ମହମଦ୍ ଜାଭେଦ୍ ଦେଇଥିବା ପ୍ରତିବାଦ ଡାକରା ଶେଷକୁ ହିଂସାକାଣ୍ଡ ପାଲଟିଥିଲା। ତାଙ୍କୁ ଗିରଫ କରାଯିବା ପର ଗ୍ୟାଙ୍ଗ୍ଷ୍ଟର୍ ଆଇନ ଅନୁସାରେ ବୁକ୍ କରାଯାଇଛି।
ଶୁକ୍ରବାର ପ୍ରତିବାଦ ପରେ, ଦଙ୍ଗାକାରୀଙ୍କ ବେଆଇନ ଘରବାଡ଼ି ଧ୍ବଂସ କରିବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସତର୍କ ସୂଚନା ଜାରି କରିବା ପରେ ‘ପିଡିଏ’ ଟିମ୍ ଅତାଲା ଏବଂ ଆଖପାଖ ଅଞ୍ଚଳରେ ଜବରଦଖଲ ଏବଂ ବେଆଇନ ନିର୍ମାଣ ଆଦି ଚିହ୍ନଟ କରିଥିଲେ।