କୋରେଇ: ଶିଶୁ ଶ୍ରମିକ ବିକ୍ରି ଓ ସହାୟତା ଟଙ୍କା ହସ୍ତାନ୍ତରକୁ ନେଇ ଦୁଇ ଉପକୂଳିଆ ଜିଲ୍ଲା କେନ୍ଦ୍ରାପଡ଼ା ଓ ଯାଜପୁର ପ୍ରଶାସନ ଏବେ ହରଡ଼ଘଣାରେ। ଯାଜପୁର ଭଳି ଆଗୁଆ ଜିଲ୍ଲାର ଏହି ଶିଶୁକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକ୍ରି କରିଦେଲା ଦଲାଲ। ଯିଏ କିଣିଲା ସେ ତାକୁ ଘୁଷୁରି ଚରାଇବାରେ ନିୟୋଜିତ କରିଥିଲା। ସେତେବେଳେ ଖୋଳତାଡ଼ ପରେ ଏହି ୯ ବର୍ଷର ଶିଶୁକୁ ପ୍ରଶାସନ ଉଦ୍ଧାର କଲା ସତ, କିନ୍ତୁ ଏଯାଏ ତାକୁ ଥଇଥାନ କରିପାରିନାହିଁ। ସଂପୃକ୍ତ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ପାଠପଢ଼ା ପାଇଁ ଥଇଥାନ କରିବାକୁ ଜାତୀୟ ମାନବାଧିକାର ଆୟୋଗ ନିର୍ଦେଶ ଦେଇଥିଲେ। ଦୀର୍ଘ ୧୧ ମାସ ବିତିଗଲା ପ୍ରଶାସନ ପିଲାଟିକୁ ଥଇଥାନ କରିବା ତ ଦୂରର କଥା, ସହାୟତା ଟଙ୍କା ମଧ୍ୟ ହସ୍ତାନ୍ତର କରିପାରିନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ୧୧ ମାସ ବିତିଗଲା କିନ୍ତୁ ପିଲା ଓ ତା’ ପରିବାର ଲୋକ (ମା’)ଙ୍କ ନାଁରେ ବ୍ୟାଙ୍କରେ ଯୁଗ୍ମ ଜମାଖାତା ବା ବ୍ୟାଙ୍କ ଏକାଉଣ୍ଟଟିଏ ପ୍ରଶାସନ ଖୋଲିପାରିଲା ନାହିଁ। ସେବେ କୁହାଯାଇଥିଲା ଯେ ପିଲାଟିର ଆଧାର ନାହିଁ। ତେବେ ଆଧାର କାର୍ଡ କରିବା ପାଇଁ କ’ଣ ୧୧ ମାସ ଲାଗିଯାଉଛି କି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶାସନକଳ ଉପରେ ପ୍ରଶ୍ନଚିହ୍ନ ଲଗାଇଥିବା ଏହି ଶିଶୁ ଶ୍ରମିକର କାହାଣୀ ବେଶ୍ ପୁରୁଣା। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୧ ସେପ୍ଟେମ୍ବରରେ ନାବାଳକ ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଗତକାଲି ମାନବାଧିକାର ଆୟୋଗଙ୍କ ସମନ ପରେ ଆଜି ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ନାବାଳକଙ୍କ ଘରେ ପହଞ୍ଚି ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଖୋଲାଇବା ପାଇଁ କାଗଜପତ୍ର କାମ ଆରମ୍ଭ କରିଛନ୍ତି। ତଥାପି କାମ ସରିନାହିଁ। ପ୍ରତିଶ୍ରୁତି ମିଳିଛି, ଦୁଇଦିନ ମଧ୍ୟରେ ଟଙ୍କା ଦିଆଯିବ।
ଏହି ନାବାଳକ କାଜୁପାଟଣା ଗ୍ରାମର ଆଦିବାସୀଙ୍କ ଦମ୍ପତିଙ୍କ ପୁଅ। ପରିବାରରେ ଆହୁରି ୪ ପିଲା ଥିବାବେଳେ ଅଭାବଅନଟନରୁ ପେଟ ପୋଷିବାକୁ ପିଲାମାନେ ପାଠପଢ଼ା ଛାଡି ମୂଲ ଲାଗୁଥିବା ତାଙ୍କ ବାପା କହିଛନ୍ତି। ବିଡ଼ମ୍ବନା ହେଉଛି ଏବେ ମଧ୍ୟ ୯ ବର୍ଷର ଶିଶୁଟି ବିଦ୍ୟାଳୟକୁ ପାଠ ପଢ଼ିବାକୁ ନଯାଇ ମୂଲ ଲାଗୁଥିବା ସୂଚନା ମିଳିଛି।
ଏ ବିଷୟରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ନିରଂଜନ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସଂପୃକ୍ତ ନାବାଳକଙ୍କ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ପାଠପଢ଼ା ପାଇଁ ମଧ୍ୟ ମାସିକ ୨ ହଜାର ଦେବାକୁ ନିର୍ଦେଶ ରହିଛି। ବ୍ୟାଙ୍କରେ ଖାତା ନଥିବାରୁ ତାହା ଅଦ୍ୟାବଧି ଦିଆଯାଇ ପାରୁନାହିଁ। ଯଥାଶୀଘ୍ର ବ୍ୟାଙ୍କରେ ଖାତା ଖୋଲି ଟଙ୍କା ଦିଆଯିବ। ନାବାଳକର ପାଠପଢା ବ୍ୟବସ୍ଥା ମଧ୍ୟ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ପରିବାରକୁ ଅର୍ଥ ଲୋଭ ଦେଇ କିଛି ଦଲାଲ ଶିଶୁଟିକୁ କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ୍ ଦଳେଇପଟାଠାରେ ବିକ୍ରି କରି ଦେଇଥିଲେ। ଏନେଇ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଏହାପରେ ପ୍ରଶାସନ ନିଜ ଦାୟିତ୍ବ ଭୁଲିଯାଇଥିଲା। ପୁଣି ଜାତୀୟ ମାନବାଧିକାର ଆୟୋଗଙ୍କ ଜବାବତଲବ ପରେ ପ୍ରଶାସନ ଚେଇଁଛି।
ଅନ୍ୟପଟେ ଶିଶୁମାନଙ୍କୁ ଥଇଥାନ ପାଇଁ ସରକାରଙ୍କ ‘ପରୀ’ ଓ ‘ମୁସ୍କାନ’ ଭଳି ଯୋଜନା ପ୍ରହସନରେ ପରିଣତ ହୋଇଛି। ବିଭିନ୍ନ ହୋଟେଲ ଓ ଘରୋଇ ଅନୁଷ୍ଠାନରେ କାମ କରୁଥିବା ଏହି ଶିଶୁମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ସରକାରଙ୍କ ଏହି ଯୋଜନା ଗତ ୩ ବର୍ଷ ହେବ କେବଳ କାଗଜକଲମରେ ସୀମିତ ରହିଛି।