ଲଣ୍ଡା ହେଉଛି ଖଣ୍ଡଗିରି-ଉଦୟଗିରି!

ପ୍ରତିଦିନ କାଠ ମାଫିଆ କାଟୁଛନ୍ତି ୨୦ରୁ ୩୦ ଗଛ

ଚୁପ୍‌ ବସିଛି ଏଏସ୍‌ଆଇ ଓ ବନ ବିଭାଗ

ଭୁବନେଶ୍ୱର : ଲଣ୍ଡା ହେଉଛି ଖଣ୍ଡଗିରି-ଉଦୟଗିରି। ଗତ ୨୦ ଦିନ ହେଲା ଏହି ଯମଜ ପାହାଡ଼ରୁ ବେଧଡ଼କ ଭାବେ କଟା ଚାଲିଛି ଗଛ। ପ୍ରତିଦିନ ୨୦ରୁ ୩୦ଟି ଗଛ କଟାଯାଉଥିଲେ ମଧ୍ୟ ଏଥିରେ ରୋକ୍‌ ଲଗାଇବାକୁ କେହି ବି ଗୁରୁତ୍ୱ ଦେଉନାହାନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ଉଦୟଗିରି ପାହାଡ଼ ରହିଥିଲେ ମଧ୍ୟ ଗଛକଟା ହେଉଥିବା ନେଇ ଅଧିକାରୀମାନେ ଜାଣିନାହାନ୍ତି। ବନ ବିଭାଗ ନିକଟରେ ବି ଏନେଇ କୌଣସି ଖବର ନାହିଁ। ଯେଉଁଥିପାଇଁ କାଠ ମାଫିଆମାନେ ବିନା ବାଧାରେ ଭାବେ ଗଛ କାଟି ଚାଲିଛନ୍ତି। ଆଗକୁ ଖରା ଦିନ ଆସୁଥିବାରୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍‌।

୩୦ରୁ ଅଧିକ ପ୍ରଜାତିର ବୃକ୍ଷ ଏହି ଦୁଇ ପାହାଡ଼କୁ ଘେରି ରହିଛି। ଦୀର୍ଘର୍ ବର୍ଷ ଧରି ଗଛଗୁଡ଼ିକ ପାହାଡ଼ ଦ୍ୱୟର ଶୋଭା ବୃଦ୍ଧି କରୁଥିବା ବେଳେ ଏବେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ଏଠାରେ। ପ୍ରତିଦିନ ପାହାଡ଼ରୁ ୧୦ରୁ ୨୦ ବର୍ଷର ପୁରୁଣା ଗଛ କଟାଯାଉଛି। ଏଥିରେ ବଉଳ, ସାହାଡ଼ା, ପୋଲାଙ୍ଗ, ଆକାଶିଆ, ୟୁକାଲିପଟାସ୍‌ ପରି ପ୍ରମୁଖ ଗଛ ରହିଛି। କେତେକ ଔଷଧୀୟ ବୃକ୍ଷ ବି କାଟାଯାଉଥିବା ନଜରକୁ ଆସିଛି।

ପୂର୍ବାହ୍ନରୁ ପର୍ଯ୍ୟଟକଙ୍କ ଗହଳଚହଳ ପରିଲକ୍ଷିତ ହେଉଥିବାରୁ କାଠ ମାଫିଆମାନେ ଭୋର ସମୟକୁ ଉପଯୁକ୍ତ ବୋଲି ବାଛି ନେଇଛନ୍ତି। ପାହାଡ଼ରେ ଥିବା ଗଛରୁ ପ୍ରଥମେ ଡାଳ କାଟୁଛନ୍ତି। ଏହାକୁ ଏକାଠି କରି ରଖିବା ପରେ ବୃକ୍ଷ ମୂଳ ଛେଦନ କରୁଛନ୍ତି। ଯେଉଁ ଡାଳ କଟାଯାଉଛି ନିୟୋଜିତ ହୋଇଥିବା ମହିଳା ଓ ପୁରୁଷ ତାହାକୁ ବୋହି ନେଉଥିବା ଆଜି କ୍ୟାମେରାରେ କଏଦ୍‌ ହୋଇଛି। ଏଥିସହ ଉଦୟଗିରି ପାହାଡ଼ର ୩ରୁ ଅଧିକ ସ୍ଥାନରେ ଗଛରୁ କଟାଯାଇଥିବା ଡାଳ ଜମା ହୋଇ ପଡ଼ିଥିବା ବି ନଜରକୁ ଆସିଛି। କେତେକ ଗଛର ଗଣ୍ଡି ଏବେ ବି ପଡ଼ିରହିଛି। ପାହାଡ଼ରୁ ଗଛ କାଟି ଉଠାଇ ନେବା ଲାଗି ପ୍ରାୟ ୩୦ରୁ ୪୦ ଜଣ ଲୋକ ସ୍ୱତନ୍ତ୍ର ଭାବେ ନିୟୋଜିତ ହେଉଛନ୍ତି।

ଉଦୟଗିରିରୁ କଟା ଯାଉଥିବା ଗଛଗୁଡ଼ିକୁ ତଳ ପାର୍ଶ୍ୱ ରାସ୍ତା ଦେଇ ବୋହି ନିଆଯାଉଛି। ପାହାଡ଼ ପାଦଦେଶରେ ହୋଇଥିବା ବସ୍‌ଷ୍ଟାଣ୍ଡକୁ ଲାଗିଥିବା ଏକ ପାଚେରି ଭାଙ୍ଗି ସେହି ରାସ୍ତା ଦେଇ କାଠ ନିଆଯାଉଛି। ଖଣ୍ଡଗିରି ପାହାଡ଼ରୁ ମଧ୍ୟ ଅନୁରୂପ ଭାବେ ବେଧଡ଼କ ଗଛ କଟାଯାଉଛି। ଏହି ଦୁଇ ପାହାଡ଼ରୁ ପ୍ରତିଦିନ ୨୦ରୁ ୩୦ ଗଛ କଟା ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇଛନ୍ତି।

ଏଭଳି ଅବାଧ ଗଛକଟାକୁ ସ୍ଥାନୀୟ ଲୋକେ ପ୍ରତିବାଦ କରୁଥିଲେ ମଧ୍ୟ କେହି ବି ଧ୍ୟାନ ଦେଉନାହାନ୍ତି। ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗଛ କଟା ଯିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଯଦି ଉଦୟଗିରି ପାହାଡ଼ରୁ କୌଣସି ପ୍ରକାର ଗଛ କଟା ଯାଉଥିବା ନଜରକୁ ଆସେ ତେବେ ଥାନାରେ ଏତଲା ଦିଆଯିବ। ସହର ଭିତରୁ ଏତେ ସଂଖ୍ୟାରେ ଗଛ କଟାଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲେ ମଧ୍ୟ ବନ ବିଭାଗ ମଧ୍ୟ ଚୁପ୍‌ ହୋଇ ବସି ପଡ଼ିଛି। ଏଥିପ୍ରତି ଟିକିଏ ବି ହେଲେ ଗୁରୁତ୍ୱ ଦେଉନି। ବିଭାଗୀୟ ଅଧିକାରୀମାନେ ଚୁପ୍‌ ହୋଇ ବସିଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଭୁବନେଶ୍ୱରର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ତାତି ଅନୁଭୂତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପର୍ଯ୍ୟଟକ।

ସମ୍ବନ୍ଧିତ ଖବର