ଫୁଲବାଣୀ : ଫୁଲବାଣୀ ସହରରେ ସବୁଦିନ ସକାଳ ସମୟରେ ପୁରୁଷ ଓ ମହିଳାମାନେ ମୁଣ୍ଡରେ କାଠ ବିଡ଼ା ଧରି ଚାଲୁଥିବାର ଦୃଶ୍ୟ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଅନେକ ଭାବନ୍ତି, ଆଦିବାସୀମାନେ ନିଜର ରୋଷେଇ ପାଇଁ ଜଙ୍ଗଲରୁ ଏହି ଜାଳେଣି କାଠ ସଂଗ୍ରହ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର, ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା ବୋଲି ଜଣାପଡ଼ିଛି। ମହିଳାଙ୍କ ମୁଣ୍ଡରେ ଥିବା କାଠର ଆକାର, ବିଡ଼ା ବନ୍ଧା ଶୈଳୀ ଏବଂ ଏଥିରେ ନିୟୋଜିତ ମହିଳା ଓ ପୁରୁଷଙ୍କୁ ଲକ୍ଷ୍ୟ କଲେ ଏହା ପଛରେ ଅନ୍ୟକିଛି ଉଦ୍ଦେଶ୍ୟ ଥିବା ମନେ ହେବ। ପ୍ରଶ୍ନ ଉଠେ, ନିଜ ଘରର ରୋଷେଇ ପାଇଁ ଜଣେ ଆଦିବାସୀ, ଦଳିତ ମହିଳା କେତେ ପରିମାଣର ଜାଳେଣି କାଠ ସଂଗ୍ରହ କରିବ? ସେ କ’ଣ ବର୍ଷସାରା କାଠ ସଂଗ୍ରହ କରିବ? ଏହାର ସତ୍ୟତା ପରଖିବା ପାଇଁ ଆମେ ଦୀର୍ଘ ମାସେ କାଳ ଧରି ପ୍ରତିଦିନ ସକାଳ ୬ଟାରୁ ଦିନ ୧୧ଟା ସମୟ ମଧ୍ୟରେ ଫୁଲବାଣୀ ସହରର ବିଭିନ୍ନ ରାସ୍ତାରେ ଅନୁଧ୍ୟାନ କରିବାକୁ ଉଦ୍ୟମ କରିଥିଲୁ। ଦେଖିଲୁ ନିର୍ଦ୍ଦିଷ୍ଟ ରୁଟ୍ରେ ନିର୍ଦ୍ଦିଷ୍ଟ ମହିଳାମାନେ ପ୍ରତିଦିନ ମୁଣ୍ଡରେ କାଠ ବୋହି ଚାଲୁଛନ୍ତି। କନ୍ଧମାଳ ଜିଲ୍ଲାରେ ଏ ପ୍ରକାର କାଠ କଟା ପାଇଁ ଏକ ବିଧିବଦ୍ଧ ରାକେଟ୍ କାର୍ଯ୍ୟ କରୁଛି।
ଫୁଲବାଣୀ ସହର ମଧ୍ୟକୁ ପ୍ରବେଶ କରୁଥିବା ବିଭିନ୍ନ ରାସ୍ତା ଯଥା- ସାର୍ତ୍ତାଗୁଡ଼ା ରାସ୍ତା, ଆଇଟିଆଇ ରାସ୍ତା, ଏଫ୍ସିଆଇ ଛକ, ଗୁଦାରି, ରୁଜାଙ୍ଗି ଆଦି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ମୁଣ୍ଡରେ କାଠ ବିଡ଼ା ଧରି ଚାଲିଥା’ନ୍ତି। ଏମାନେ ଜଙ୍ଗଲରୁ କାଠ ବିଡ଼ା ବୋହି ଫୁଲବାଣୀ ସହର ମଧ୍ୟରେ ଥିବା ବିଭିନ୍ନ ପଏଣ୍ଟ୍ରେ ପହଞ୍ଚାଇଥାନ୍ତି। ଏଠାରୁ ବିଭିନ୍ନ ହୋଟେଲ୍, ଜଳଖିଆ ଦୋକାନ ଓ ଜିଲ୍ଲା ବାହାରକୁ ଚାଲାଣ ହୋଇଥାଏ। କେବଳ ଫୁଲବାଣୀ ସହର କାହିଁକି, କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍, ସଦର ମହକୁମା ଓ ଉପଖଣ୍ଡ ସଦର ମହକୁମାରେ ଏଭଳି ରାକେଟ୍ ସକ୍ରିୟ ଅଛି।
ଆମେ ସେମାନଙ୍କୁ ପଚାରି ବୁଝିବା ପରେ ଜଣା ପଡ଼ିଥିଲା, ପ୍ରଥମେ ଜଙ୍ଗଲରେ ବଡ଼ବଡ଼ ଶାଳ ଓ ଅନ୍ୟାନ୍ୟ ଗଛକୁ କରତରେ କଟାଯାଉଛି। ଏହାକୁ ସାଇଜ କାଠ ଖଣ୍ଡରେ ପରିଣତ କରାଯାଇ ବିଡ଼ା ବନ୍ଧା ଯାଉଛି। ଗୋଟିଏ ବିଡ଼ା କାଠର ଓଜନ ୨୫ କିଲୋ ପର୍ଯ୍ୟନ୍ତ ହୋଇଥାଏ। ଜଙ୍ଗଲରେ କଟା ଯାଇଥିବା କାଠକୁ ବିଡ଼ା ବନ୍ଧାଗଲା ପରେ ରାତିରୁ ଘର ଛାଡ଼ି ଜଙ୍ଗଲରେ ପହଞ୍ଚିଥିବା ମହିଳା ଓ ପୁରୁଷମାନେ ମୁଣ୍ଡରେ ବୋହି ବୋହି ସକାଳୁ ସକାଳୁ ସହରରେ ପହଞ୍ଚାଇଥା’ନ୍ତି। ଏଣୁ ପ୍ରତିଦିନ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ରେ ଗଲାବେଳେ ରାସ୍ତାରେ ମୁଣ୍ଡରେ କାଠ ବିଡ଼ା ବୋହି ଚାଲୁଥିବା ମହିଳାଙ୍କୁ ଦେଖିବାକୁ ମିଳେ। ପ୍ରତିଦିନ ନିର୍ଦ୍ଦିଷ୍ଟ ରୁଟ୍ରେ ନିର୍ଦ୍ଦିଷ୍ଟ ମହିଳାଙ୍କୁ ଏହି କାଠ ବିଡ଼ା ବୋହିବା କାମରେ ନିୟୋଜିତ କରା ଯାଇଥାଏ। ଏହା ସହିତ ବିଭିନ୍ନ ଜଙ୍ଗଲରେ ବଡ଼ ବଡ଼ ଗଛ କଟାଯାଇ ସେଠାରେ ତାକୁ ପୋଡ଼ି କାଠ ଅଙ୍ଗାର ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିରେ ବିଶେଷ କରି ପୁରୁଷମାନେ ନିୟୋଜିତ ରହୁଛନ୍ତି। ଜଙ୍ଗଲରେ କାଠ ଅଙ୍ଗାର ପ୍ରସ୍ତୁତ ହୋଇଯିବା ପରେ ତାକୁ ବସ୍ତାରେ ବୋହି ସହରକୁ ଅଣାଯାଉଛି ଏବଂ ପରେ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏହା ସହ ଘଞ୍ଚ ଜଙ୍ଗଲରେ କାଠ ମାଫିଆମାନେ ନିୟମିତ ବଡ଼ ବଡ଼ ଶକ୍ତ ଗଛ କାଟି ଏହାକୁ ବିଭିନ୍ନ ଉପାୟରେ ବାହାରକୁ ଚାଲାଣ କରୁଛନ୍ତି। ବେଳେବେଳେ ମଇଁଷି, ବଳଦମାନଙ୍କ ଦ୍ବାରା ବଡ଼ ବଡ଼ କାଠଗଣ୍ଡି ମଧ୍ୟ ଜଙ୍ଗଲରୁ ବାହାରକୁ ଚାଲାଣ କରାଯାଉଛି।
ଏ ସମସ୍ତ ରାକେଟ୍, କାଠ ମାଫିଆଙ୍କ ସହିତ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ବୋଲି ଜଣେ କାଠ କଟାଳି ଆମକୁ ସୂଚନା ଦେଇଥିଲେ। ଏ ବାବଦରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ମାସିକ ବଟି ଦିଆ ଯାଇଥାଏ। ଗୋଟିଏ ପଟେ ମିଛ ଗଛ ଲଗାଇ ଶହ ଶହ କୋଟି ଟଙ୍କା ପାଣିରେ ପକାଇ ବନୀକରଣର ସ୍ଲୋଗାନ୍ ଦେଉଥିବା ବନ ବିଭାଗ ପାଇଁ ପୁରୁଣା ଜଙ୍ଗଲର ସଂରକ୍ଷଣ ବଡ଼ ଆହ୍ବାନ୍ ପାଲଟିଛି। ନୂଆ ଗଛ ନଲଗାଇ ବରଂ ପୁରୁଣା ଜଙ୍ଗଲକୁ ସୁରକ୍ଷିତ ରଖିପାରିଲେ କନ୍ଧମାଳ ଜିଲ୍ଲାର ସବୁଜିମା ବଜାୟ ରହିପାରିବ। ସୂଚନାଯୋଗ୍ୟ, ଆଜି ବି କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୫,୪୦୩.୮୦ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି। ଜିଲ୍ଲାର ମୋଟ ଅଞ୍ଚଳର ଶତକଡ଼ା ୬୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ମାତ୍ର, ଯେଉଁଭଳି ଭାବେ ଗଛକଟା ଚାଲିଛି, କିଛି ବର୍ଷ ଭିତରେ କନ୍ଧମାଳ ଜଙ୍ଗଲଶୂନ୍ୟ ହୋଇଯିବା ବଡ଼କଥା ନୁହେଁ ବୋଲି ପରିବେଶବିତ ମତ ଦେଇଛନ୍ତି।