ନୂଆଦିଲ୍ଲୀ: ଯେବେଠାରୁ ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟରକୁ କିଣିନେଇ ଏହାର ମାଲିକାନାକୁ ହାତେଇଛନ୍ତି; ସେବେଠାରୁ ସେ କିଛି ନା କିଛି ବିବାଦ ଭିତରେ ରହିଆସିଛନ୍ତି। ବର୍ତ୍ତମାନ ଟ୍ୱିଟରରେ ଅପରେସନ୍ କ୍ଲିନ୍ ଚଳାଇଥିବା ନୂତନ ମାଲିକ ଏଲନ୍ ମସ୍କ ତାଙ୍କର କିଛି ପଦକ୍ଷେପ ପାଇଁ ପୁନର୍ବାର କୋର୍ଟକୁ ଟଣା ହେବାର ସମ୍ଭାବନା ସୃଷ୍ଟି ହେଲାଣି! ଟ୍ୱିଟରର ଜଣେ ଗର୍ଭବତୀ ମହିଳା କର୍ମଚାରୀ ଚାକିରିରୁ ଛୋଟେଇ ହେବାପରେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଆପଣଙ୍କ ସହ କୋର୍ଟରେ ଦେଖା ହେବ!’ ତେବେ, ଟୁଇଟର ବର୍ତ୍ତମାନ ତାଙ୍କ ଆକାଉଣ୍ଟରୁ ଟ୍ୱିଟ ହୋଇଥିବା ଏହି ଟ୍ୱିଟକୁ ଡିଲିଟ କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କମ୍ପାନିର ମାଲିକାନା ହାତକୁ ଆସିବା ମାତ୍ରେ ଏଲନ୍ ମସ୍କ ତୁରନ୍ତ କର୍ମଚାରୀଙ୍କ ଛୋଟେଇ ଆରମ୍ଭ କରିଥିଲେ ଏବଂ ପ୍ରଥମେ କମ୍ପାନିର ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ତିନିଜଣ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ଛଟେଇ କରିଦେଇଥିଲେ। ବର୍ତ୍ତମାନ କମ୍ପାନିରେ କେବଳ ତିନି ହଜାର ସାତ ଶହ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ଛଟେଇ ସମୟରେ ୬ ମାସର ଗର୍ଭବତୀ ଥିବା ଜନୈକା ମହିଳା କର୍ମଚାରୀ ଶେନନ୍ ଲୁ ମଧ୍ୟ ନିଜ ଚାକିରି ହରାଇଛନ୍ତି। ଏହା ପରେ ସେ ନିଜ ରାଗକୁ ଦୂର କରିବା ପାଇଁ ଟ୍ୱିଟରର ସାହାଯ୍ୟ ନେଇଥିଲେ ଏବଂ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ଏଲନ୍ ମସ୍କଙ୍କ ଉପରେ ରାଗ ସୁଝାଇଛନ୍ତି । ନିଜ ଟ୍ୱିଟରେ ସେ ଲେଖିଛନ୍ତି, ଆପଣଙ୍କ ସହ କୋର୍ଟରେ ଦେଖା ହେବ! ଟ୍ୱିଟରରେ ଡାଟା ସାଇନ୍ସ ମ୍ୟାନେଜର ପଦବୀରେ ଅବସ୍ଥାପିତ ଶେନନ୍ ଲୁ ଏଲୋନ୍ ମସ୍କଙ୍କ ବିରୋଧରେ ଅଦାଲତରେ ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଛନ୍ତି।
‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ, ପୂର୍ବରୁ ଫେସବୁକର ପ୍ୟାରେଣ୍ଟ୍ କମ୍ପାନି ମେଟାରେ କାମ କରୁଥିବା ଶେନନ୍ ଲୁ ଜାନୁଆରି ୨୦୨୨ ରେ ଟ୍ୱିଟରରେ ଚାକିରି ଆରମ୍ଭ କରିଥିଲେ। ତେବେ ସେ ପ୍ରକୃତରେ ଟ୍ୱିଟରରେ ମକଦ୍ଦମା କରିବେ କି ନାହିଁ ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ତାଙ୍କର ଅନେକ ଟ୍ୱିଟ୍ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଶେନନ୍ ଲୁ ‘ଟ୍ୱିଟ୍’ରେ ଲେଖିଛନ୍ତି,’ ମୁଁ ୬ ମାସ ଗର୍ଭବତୀ ଥିବାବେଳେ ମୋର ଟ୍ୱିଟରର ଯାତ୍ରା ଶେଷ ହୋଇଛି। ପରବର୍ତ୍ତୀ ଟ୍ୱିଟରେ ସେ ଲେଖିଛନ୍ତି, ‘ତୁମ ସମସ୍ତଙ୍କ ସହ କାମ କରି ମୁଁ ବହୁତ ଖୁସି। ଏହି ଡାଟା ସାଇନ୍ସ ଦଳର ନେତୃତ୍ୱ ନେଇ ମୁଁ ଅତ୍ୟଧିକ କୃତଜ୍ଞ, ଏହା ଏକ ମଜାଦାର ଯାତ୍ରା ରହିଥିଲା #LoveWhereYouworked.’ ଶେନନ୍ ଲୁ ତାଙ୍କର ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ‘ଟ୍ୱିଟରରେ ନିଶ୍ଚିତ ଭାବେ ଭେଦଭାବ ଅଛି, ତେଣୁ ମୁଁ ଏହା ବିରୋଧରେ ଲଢ଼ିବି। ମୁଁ ଗତ କ୍ୱାର୍ଟର୍ସ ମଧ୍ୟରେ ଭଲ ପ୍ରଦର୍ଶନ କରିଆସୁଛି ।
ସୂଚନାଯୋଗ୍ୟ ଯେ, ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିନେଇ ନିଜର କରିବା ପରେ ଏଲନ୍ ମସ୍କ ଗତ ଶୁକ୍ରବାର ଦିନ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛୋଟେଇ କରିଦେଇଛନ୍ତି। ତେବେ ଏହା ପରେ ତୁରନ୍ତ ସେ କିଛି କର୍ମଚାରୀଙ୍କୁ କାମକୁ ଫେରିବାକୁ ନିବେଦନ ମଧ୍ୟ କରିଥିଲେ। ଶେନନ୍ ଲୁ ଏକମାତ୍ର ମହିଳା ନୁହଁନ୍ତି ଯିଏକି ତାଙ୍କ କଷ୍ଟ ସମୟରେ ମସ୍କଙ୍କ ଛୋଟେଇର ଶିକାର ହୋଇଛନ୍ତି। ନିକଟରେ ଟ୍ୱିଟରରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ମହିଳା କର୍ମଚାରୀ ରାଚେଲ ବୋନ, ଯିଏ ୮ ମାସର ଗର୍ଭବତୀ, ସେ ମଧ୍ୟ ଟ୍ୱିଟରରୁ ହଟାଯିବା ପରେ ଟ୍ୱିଟରରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ସାନ ଫ୍ରାନ୍ସିସ୍କୋ ଅଫିସରେ ବିଷୟବସ୍ତୁ ମାର୍କେଟିଂ ମ୍ୟାନେଜର ଭାବରେ ସେ କାର୍ଯ୍ୟ କରୁଥିଲେ ।