ରାଉରକେଲା: ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣମୁକ୍ତ କରିବାକୁ ସହରରେ ସ୍ଥାପନ ହେଲା ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି)। ତେବେ ୪୦ ଏମ୍ଏଲ୍ଡିର ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ନାଁକୁ ମାତ୍ର କାର୍ଯ୍ୟକ୍ଷମ ହୋଇଛି। ପୂର୍ବପରି ସହରରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀନଦୀରେ ମିଶୁଛି। ତରକେରାଠାରେ ବିନା ଟ୍ରିଟମେଣ୍ଟରେ ବ୍ରାହ୍ମଣୀକୁ ବର୍ଜ୍ୟଜଳ ଛାଡି ଦିଆଯାଉଛି। ସେପଟେ ଲୋକଦେଖାଣିଆ ଭାବେ ବାଲୁଘାଟ ଏସ୍ଟିପିରେ କିଛି ମାତ୍ର ଜଳକୁ ଟ୍ରିଟ୍ମେଣ୍ଟ କରାଯାଉଛି। ଟ୍ରିଟମେଣ୍ଟ ହେବା ପରେ ଏହି ଜଳ ପୂର୍ଣ୍ଣ ବ୍ୟବହାରଯୋଗ୍ୟ ହେବ ବୋଲି କୁହାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଆଜି ଯାଏଁ ଟ୍ରିଟମେଣ୍ଟ ଜଳ କେଉଁଠି ବ୍ୟବହାର ହେଉଛି, କାହାକୁ ଜଣା ନାହିଁ। ପ୍ରକୃତରେ ଲୋକଙ୍କୁ ଭୁଆଁ ବିଲାଇବାଲାଗି ଜଳ ଟ୍ରିଟ୍ମେଣ୍ଟର ନାଟକ କରା ଯାଉଛି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କେବେ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ବ୍ରାହ୍ମଣୀନଦୀ ପ୍ରଦୂଷଣରୁ ମୁକ୍ତି ପାଇବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ପ୍ରଦୂଷିତ ବ୍ରାହ୍ମଣୀକୁ ନେଇ ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅନେକବାର ଜିଲ୍ଲା ପ୍ରଶାସନ ଓ ଆର୍ଏମ୍ସିକୁ ଦାଗିଦ୍ କରିଛି। ବାରମ୍ବାର କାରଣଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି। ପ୍ରଦୂଷଣ ବିଭାଗର କାରଣଦର୍ଶାଅ ନୋଟିସ୍ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଉପରେ ସେମିତି କୌଣସି ପ୍ରଭାବ ପକାଇ ପାରିନି। ଗତ ୨୦୧୭ରେ ପ୍ରାୟ ୩୬୩ କୋଟି ଟଙ୍କା ବ୍ୟୟରେ ଏହି ସ୍ବରେଜ ଟ୍ରିଟ୍ମେଣ୍ଟ ପ୍ରକଳ୍ପ ଆରମ୍ଭ ହୋଇଥିଲା।
୩୬୩ କୋଟି ଟଙ୍କା ପାଣିରେ ପଡ଼ିଲା
ପ୍ରଦୂଷଣ ବିଭାଗ ନିରବ
୩ ବର୍ଷ ଭିତରେ, ଅର୍ଥାତ୍ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପ୍ରକଳ୍ପ କାମ ଶେଷ ହୋଇପାରି ନଥିଲା। ଠିକା ସଂସ୍ଥାକୁ ବିଭାଗୀୟ ଅଧିକାରୀମାନେ ସମୟ ପରେ ସମୟ ଦେଇ ଚାଲିଥିଲେ। ବିଡମ୍ବନା, ଆଜି ସୁଦ୍ଧା ଆହୁରି ୨୦% କାମ ବାକି ରହିଛି। ଇତି ମଧ୍ୟରେ କିନ୍ତୁ ବାଲୁଘାଟସ୍ଥ ଏସ୍ଟିପିକୁ କାର୍ଯ୍ୟକ୍ଷମ କରି ଦିଆଯାଇଛି। ହେଲେ ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ଲୋକଙ୍କ କୌଣସି କାମରେ ଆସୁନି। ଫଳରେ ଡାକ୍ତରଖାନା, ହୋଟେଲ, ଘର, ଛୋଟ ଛୋଟ କାରଖାନାରୁ ନିର୍ଗତ ବର୍ଜ୍ୟଜଳ ସହରର ପ୍ରମୁଖ ଡ୍ରେନ୍ ଦେଇ ତରକେରା ଓ ବାଲୁଘାଟରେ ପହଞ୍ଚୁଛି। ବାଲୁଘାଟସ୍ଥ ଏସ୍ଟିପିରେ ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଥିଲାବେଳେ ତରକେରାରେ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି।
କେବଳ ଏତିକି ନୁହେଁ, ବ୍ରାହ୍ମଣୀନଦୀକୁ ସଂଯୋଗ କରୁଥିବା ପ୍ରମୁଖ ନାଳାରେ ଲୋକମାନେ ଗାଈଗୋରୁ, ମଇଁଷି, ବୁଲା କୁକୁରଙ୍କ ଶବ ପକାଉଛନ୍ତି। ଉଦିତନଗର ସାରନାଛକ -ଶୀତଳପଡା ବସ୍ତି ମଧ୍ୟ ଦେଇ ଯାଇଥିବା ପ୍ରମୁଖ ନାଳାରେ ଅଧିକାଂଶ ସମୟରେ ମଲା ଗାଈଗୋରୁ, ମଇଁଷି ପଡିଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକ ଏ ସଂକ୍ରାନ୍ତରେ ଆର୍ଏମ୍ସିର ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କହୁଥିଲେ ହେଁ କିଛି ସୁଫଳ ମିଳୁନି। ଫଳରେ ନଦୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଖରାଦିନେ ନଦୀ ଜଳ ହ୍ରାସ ପାଇବା ଓ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହେଉଛି। ବୁଲା ପଶୁ ପକ୍ଷୀ ସେହି ଦୂଷିତ ପାଣିକୁ ପିଉଥିବାରୁ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଧିକାଂଶ ବସ୍ତିବାସିନ୍ଦା ବିଭିନ୍ନ ପ୍ରକାର ଚର୍ମରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। କିଛି ମାସ ପୂର୍ବରୁ ବ୍ରାହ୍ମଣୀ ସମେତ ରାଜ୍ୟର ଅନ୍ୟ କିଛି ନଦୀର ଜଳ ଦିନକୁ ଦିନ ପ୍ରଦୂଷିତ ହେଉଥିବାରୁ ବିଧାନସଭାରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଥିଲା।