ସର୍ବୋଚ୍ଚ ଆୟକର ହାର ୨୫%କୁ କମାଅ: ଭଲ୍ଲା

ନୂଆଦିଲ୍ଲୀ: ଭାରତ ବିଶ୍ବର ସବୁଠୁ ବିତ୍ତଶାଳୀ ଦେଶ ନୁହେଁ। କିନ୍ତୁ ଏଠାରେ ସର୍ବାଧିକ ପରିମାଣର ଟିକସ ସଂଗ୍ରହ ହେଉଛି। ସର୍ବୋଚ୍ଚ ଆୟକର ହାର ୪୦% ଭଳି ଉଚ୍ଚ ସ୍ତରରେ ରହିଛି। ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଆୟକର ହାର ୨୫%କୁ ହ୍ରାସ ପାଇବା ଦରକାର ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସୁର୍ଜିତ ଭଲ୍ଲା କହିଛନ୍ତି। ଶ୍ରୀ ଭଲ୍ଲା କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ପୌରସଂସ୍ଥାଗୁଡ଼ିକ ଟିକସ ଆକାରରେ ଯେଉଁ ରାଶି ସଂଗ୍ରହ କରୁଛନ୍ତି ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୯ ପ୍ରତିଶତ। ଟିକସ ହାର ଉପରେ ଦୃ‌ଷ୍ଟି ଦେଲେ ସରଚାର୍ଜ ଆଦିକୁ ମିଶାଇ ତାହା ୪୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। କିନ୍ତୁ ଦେଶରେ କଂପାନି ଟିକସ ହାର ୨୫ ପ୍ରତିଶତ ରହିଛି। କଂପାନି ଟିକସ ଓ ବ୍ୟକ୍ତିଗତ ଆୟକର ହାର ସମାନ ହେବା ଉଚିତ ବୋଲି ଶ୍ରୀ ଭଲ୍ଲା କହିଛନ୍ତି।

ମୋଟ ଉପରେ ଦେଖିଲେ ଭାରତରେ ସର୍ବୋଚ୍ଚ ଆୟକର ହାର ଏବେ ୩୯ ପ୍ରତିଶତ ରହିଛି। ଗତବର୍ଷ ତାହା ୪୨.୭୪ ପ୍ରତିଶତ ଥିଲା। ଅତି ଧନୀଙ୍କ ଉପରେ ଲଗାଯାଇଥିବା ସରଚାର୍ଜ ହ୍ରାସ କରାଯିବାରୁ ସେଥିରେ ସାମାନ୍ୟ ସୁଧାର ହୋଇଛି। ଟିକସ ହାର କିଛି ନିର୍ଦିଷ୍ଟ ବର୍ଗ ପାଇଁ ନୁହେଁ ବରଂ ସମଗ୍ର ଦେଶବାସୀଙ୍କ ଲାଗି କମିବା ଦରକାର ବୋଲି ସେ କହିଛନ୍ତି। ବିଶେଷ କରି ଆୟକର ଭଳି ପ୍ରତ୍ୟକ୍ଷ ଟିକସରେ ଅଧିକ ହସ୍ତକ୍ଷେପର ଆବଶ୍ୟକତା ରହିଛି। ଟିକସ ହାର ଅଧିକ ରହିଲେ ଟିକସ ଖିଲାପ ଓ ଠକେଇକୁ କମ୍ କରାଯାଇପାରିବ ନାହିଁ। ଦେଶରେ ଏଭଳି ଟିକସ ବ୍ୟବସ୍ଥା ଲାଗୁ ହେବା ଜରୁରୀ ଯାହା କେବଳ କିଛି ନିର୍ଦିଷ୍ଟ ବର୍ଗ ନୁହେଁ ବରଂ ପ୍ରତିଟି ନାଗରିକଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର