ପଶ୍ଚିମ ଜଳୁଛି, ଉପକୂଳରେ କାଳବୈଶାଖୀ

ଭୁବନେଶ୍ବର : ରାଜ୍ୟରେ ଖରା, ତାତି ଜାରି ରହିଥିବା ବେଳେ ଅପରାହ୍ନ ଆଡ଼କୁ କାଳବୈଶାଖୀର ପ୍ରଭାବ ରହୁଛି। ରବିବାର ଦିନ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୦ ଅତିକ୍ରମ କରିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ୪୨.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ାରେ ୪୧.୮ ଡିଗ୍ରି, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୨, ହୀରାକୁଦରେ ୪୧.୧, ଟିଟିଲାଗଡ଼ରେ ୪୦.୬, ନୂଆପଡ଼ା ଓ ଭବାନୀପାଟଣାରେ ୪୦ ଡିଗ୍ରି ଦିନ ତାପମାତ୍ରା ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ପଶ୍ଚିମ ଓଡ଼ିଶାରେ ଏହିଭଳି ତାପମାତ୍ରା ଜାରି ରହିବ। ଦିନ ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

DNA India

ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ‌ବୈଶାଖୀ ଜନିତ ବର୍ଷା ଜାରି ରହିବ। ଆଜି(ସୋମବାର) କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ସେହିଭଳି ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ସୋମବାର ଦିନ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବା ସହ ଅପରାହ୍ନ ଆଡ଼କୁ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା‌ ୨୪ ଡିଗ୍ରି ମଧ୍ୟରେ ରହିପାରେ।

ସମ୍ବନ୍ଧିତ ଖବର