ଏକ ତରଫା ପ୍ରେମ କାଳ ହେଲା : ବିବାହ ପାଇଁ ମନା କରିବାରୁ ଭଉଣୀର ଦିଅର କଲା ଏସିଡ଼୍‍ ମାଡ

ଲୁଧିଆନା: ଲୁଧିଆନାର ବରେଲଓ୍ଵାଲ ଆଓ୍ଵାନା ଅଞ୍ଚଳରେ ଜଣେ ନାବାଳିକାକୁ ଏସିଡ଼୍‍ ମାଡ଼ ଘଟଣା ସାମ୍ନାକୁ ଆସିଛି । ବିବାହ ପାଇଁ ନିବେଦନ କରି ବିଫଳ ହେବାରୁ ଅଭିଯୁକ୍ତ ଜଣଙ୍କ ଏପରି ଅପରାଧ କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ସମେତ ତାଙ୍କ ମା’ଏହି ଆକ୍ରମଣର ଶିକାର ହୋଇଥିବାରୁ ଦୁଇ ଜଣଙ୍କୁ ସ୍ଥାନୀୟ ଡ଼ାକ୍ତଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଏବେ ସୁଧୁରୁଥିବା ବେଳେ ଅଭିଯୁକ୍ତ ମନୋଜ କୁମାରଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ଏ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମା’ଙ୍କୁ ପଚରାଯିବା ପରେ ସେ ପୂରା ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ, ବର୍ଷେ ପୂର୍ବେ ଆମେ ଆମର ବଡ଼ ଝିଅକୁ ମନୋଜର ବଡ଼ ଭାଇ ସହ ବିବାହ କରିଥିଲୁ । ସେ ଦିନଠାରୁ ସେ ଆମ ସାନ ଝିଅର ପିଛା କରିବା ସହ ବିବାହ ପାଇଁ ବାଧ୍ୟ କରିବା ଆରମ୍ଭ କରିଥିଲେ । ଆମ ଝିଅ ମନା କରିବାରୁ ସେ ଏସିଡ଼ ମାଡ଼ର ମଧ୍ୟ ଧମକ ଦେଇଥିଲେ । ଏହା ପାରିବାରିକ କଥା ହୋଇଥିବାରୁ ଆମେ ପୁଲିସ ପାଖକୁ ନ ଯାଇ ମନୋଜଙ୍କ ପରିବାର ସହ କଥା ହୋଇଥିଲୁ । ଏତେ ସବୁ ପରେ ମଧ୍ୟ ମନୋଜ ଆମ ଝିଅକୁ ସ୍କୁଲ ଯିବା ବାଟରେ ହଇରାଣ କରିବା ସହ ଗତକାଲି ରାତିରେ ମୁଁ ଏବଂ ମୋ ଝିଅ ଶୋଇଥିବା ବେଳେ ସେ ଘରର ପାଚେରୀ ଡ଼େଇଁ ଆମ ଉପରେ ଏସିଡ଼୍‍ ମାଡ଼ କରିଥିଲେ । ଏହି ଆକ୍ରମଣ ପରେ ପୀଡ଼ିତାଙ୍କ ଶରୀରର ୪୦ଭାଗ ନଷ୍ଟ ହୋଇ ଯାଇଥିବା ବେଳେ ପୀଡ଼ିତାଙ୍କ ମା’ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ ବୋଲି ଜଣା ପଡ଼ିଛି ।

Hindustan Times

ପୀଡ଼ିତାଙ୍କ ମା’ଙ୍କର ବୟାନ ରେକର୍ଡ଼ ପରେ ପୁଲିସ ଧାରା ୪୫୨(ଆକ୍ରମଣ କରିବା ଉଦ୍ଦେଶ୍ୟରେ ଘରକୁ ପ୍ରବେଶ କରିବା) ୩୨୬-A(ଏସିଡ଼୍‍ ଆକ୍ରମଣ କରି ଗଭୀର ଆଘାତ ଦେବା) ଏବଂ ପୋସ୍କୋ ଆକ୍ଟ ଅନୁଯାୟୀ ମନୋଜଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।ମନୋଜ ଜଣେ ବଢ଼େଇ ଭାବେ କାମ କରୁଥିବା ବେଳେ ସେଠାରୁ ସେ ଏସିଡ଼୍‍ ଆଣିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର