ଭୁବନେଶ୍ବର: ‘ସମ୍ବାଦ’ର ପୂର୍ବତନ କର୍ମଚାରୀ ଭୈରବ ବ୍ରହ୍ମା। ୩୩ ବର୍ଷ କାମ କରିବା ପରେ ଏବେ ଆଣିଛନ୍ତି ‘ସମ୍ବାଦ’ ବିରୋଧରେ ଭିତ୍ତିହୀନ ଅଭିଯୋଗ। ଶାସକ ଦଳର ପୃଷ୍ଠପୋଷକତାରେ ଚାଲିଥିବା ଗଣମାଧ୍ୟମରେ ସେ ଅଭିଯୋଗ କରିଛନ୍ତି, ତାଙ୍କୁ ଋଣ କରିବାକୁ ଚାପ ପକାଯାଉଥିଲା । ଏପରିକି ‘ପେଡ୍ ମିଡିଆ’ରେ ପ୍ରଚାର କରାଯାଉଛି ଯେ ଶେଷ ଥର ପାଇଁ ଲୋନ୍ କରିବାକୁ ମନା କରିଦେବାରୁ ତାଙ୍କୁ ଚାକିରି ଛାଡିବାକୁ ପଡ଼ିଥିଲା ।

Advertisment

କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଅଲଗା । ଏହି ଖବରରେ ସଂଲଗ୍ନ ଫଟୋଗ୍ରାଫ୍ ତାହା ହିଁ ପ୍ରମାଣ କରୁଛି । ଏହି ଫଟୋ ସେତେବେଳେ ଉଠାଯାଇଛି, ଯେତେବେଳେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହଯୋଗୀ ଓ କର୍ମକର୍ତାଙ୍କ ଗହଣରେ ବେଶ ଖୁସି ମନରେ ଭୈରବ ବ୍ରହ୍ମା ସମ୍ବର୍ଦ୍ଧିତ ହେଉଛନ୍ତି । ଫଟୋ ପୋଜ୍ ଦେଉଛନ୍ତି । ତାଙ୍କର ଖୁସି ମୁହଁରେ ଝଟକି ଉଠୁଛି । ଯେଉଁ କର୍ମଚାରୀ ଚାପରେ ଚାକିରି ହରାଇଥିବ, ସେ ଏଭଳି ଭାବେ ସମ୍ବର୍ଦ୍ଧିତ ହେବା ନଜିର କେବେ ବି ନଥିବ !!  ତେଣୁ ସେ ଚାପରେ ଥିବା ଅଭିଯୋଗ ନିଶ୍ଚିତ ଭାବେ ଅମୂଳକ ଓ ଭିତ୍ତିହୀନ । ୧୯୯୦ ମସିହାରେ ‘ସମ୍ବାଦ’ ପରିବାର ସହ ଯୋଡି ହୋଇଥିଲେ ଭୈରବ ବ୍ରହ୍ମା । ୩୩ ବର୍ଷ ଚାକିରି କାଳ ଭିତରେ ଗଞ୍ଜାମ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ସ୍ଥାନରେ କାମ କରିଛନ୍ତି ।

‘ସମ୍ବାଦ’ର କଟକ ସଂସ୍କରଣରେ କାମ କରୁଥିବା ବେଳେ ୨୦୨୩ ଏପ୍ରିଲ ୩୦ ତାରିଖରେ ଅବସର ନେଇଥିଲେ । ୩୩ ବର୍ଷ କାଳ ‘ସମ୍ବାଦ’ରେ ଚାକିରି କରିଥିଲେ ଭୈରବ । ଚାପରେ ଥିବା ଜଣେ ବ୍ୟକ୍ତି ଏତେ ବର୍ଷ କାଳ ନିର୍ଦ୍ଦିଷ୍ଟ ସଂସ୍ଥାରେ ଚାକିରି କରିବା ସମ୍ଭବ ନୁହେଁ, ଏହା ଯେ କେହି ଅନୁଭବ କରିପାରିବେ । ଖାଇବା ଥାଳିରେ ଅଳିଆ ପକାଇବା ଯାହା, ‘ସମ୍ବାଦ’ ବିରୋଧରେ ଭୈରବ ବ୍ରହ୍ମାଙ୍କ ଅଭିଯୋଗ ମଧ୍ୟ ତାହା ।

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି – 

କାହା ଚାପରେ ପଡ଼ି ମିଛ ଅଭିଯୋଗ ଆଣୁଛନ୍ତି ଭୈରବ ?
ଯେଉଁ ସଂସ୍ଥାରେ ଅବସର ପର୍ଯ୍ୟନ୍ତ କାମ କରିବାର ସୁଯୋଗ ପାଇଥିଲେ, ତାହା ବିରୋଧରେ କାହିଁକି ଆଣିଲେ ମିଛ ଅଭିଯୋଗ ?
ଅବସରର କିଛି ମାସ ପରେ ସେ ବଦଳିଗଲେ କାହିଁକି ?
‘ସମ୍ବାଦ’ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରରେ କାହିଁକି ସାମିଲ ହେଲେ ଭୈରବ ?
ଚାପ ନା ପ୍ରଲୋଭନ ଦେଖାଇ ପ୍ରାୟୋଜିତ ଅଭିଯୋଗରେ ତାଙ୍କୁ ସାମିଲ କରାଯାଇଛି ?