ଜଳେଶ୍ବରରେ ୬୫ ଟିକିଆ ହାତୀପଲ: ଲୋକେ ଭୟଭୀତ

ଜଳେଶ୍ଵର: ଝାରଖଣ୍ଡର ଦଲମା ଜଙ୍ଗଲରୁ ଜଳେଶ୍ଵରର ରାଇବଣିଆ ଅଞ୍ଚଳକୁ ଗତକାଲି ରାତିରେ ପ୍ରବେଶ କରିଥିବା ୬୫ରୁ ଉର୍ଦ୍ଧ୍ବ ହାତୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି। ଶ୍ୟାମନଗର ପଞ୍ଚାୟତର କାଲାଯୋଡ଼ି ଜଙ୍ଗଲରେ ଏକ ୯ ଟିକିଆ ହାତୀପଲ ରହିଥିବା ବେଳେ ଅବିଶିଷ୍ଟ ରାଇବଣିଆ କାଜୁ ଜଙ୍ଗଲରେ ରହିଛନ୍ତି। ସନ୍ଧ୍ୟା ଯେତିକି ବୃଦ୍ଧି ପାଉଛି ଲୋକଙ୍କ ଚିନ୍ତା ସେତିକି ବଢୁଛି ବୋଲି କହିଛନ୍ତି ଓଲମରା ଗ୍ରାମର ଚାଷୀ ଖାଁ। ଏକା ଥରକେ ଏତେ ସଂଖ୍ୟକ ହାତୀପଲ ଆସିବା ଯୋଗୁଁ  ଦିନ ତମାମ ସର୍ଦ୍ଦାରବନ୍ଧ,ରାଇବଣିଆ,ବରଡିହା,କଳମା,ଶ୍ୟାମନଗର,ଖୁଆଡ,କାଳିକ ଆଦି ପଞ୍ଚାୟତର ଲୋକେ ଜଙ୍ଗଲକୁ ଯାଇ ନାହାନ୍ତି। ସେହିପରି ଜଙ୍ଗଲ ନିକଟବର୍ତ୍ତୀ ରାସ୍ତାରେ ମଧ୍ୟ ଯାତାୟାତ ବନ୍ଦ କରିଛନ୍ତି।ପଦାକୁ ଗୋଡ଼ କାଢ଼ିବାକୁ ଲୋକେ ଭୟ କରୁଥିବା କହିଛନ୍ତି ରାଇବଣିଆ ପଞ୍ଚାୟତ ରୁପାଦୀଘି ଗ୍ରାମର ସୁନାରାମ ମୁର୍ମୁ। ପଶ୍ଚିମବଙ୍ଗ ର ନୟାଗ୍ରାମ ରେଞ୍ଜ ଦେଇ ଜଳେଶ୍ଵର ବ୍ଲକ ଅଧୀନସ୍ଥ ସର୍ଦ୍ଦାରବନ୍ଧ ପଞ୍ଚାୟତର ଚୁଡାମଣିପୁର ଗାଁକୁ ରାତି ୮ ଟା ସମୟରେ ପ୍ରବେଶ କରିଥିବା ଏହି ହାତୀପଲ ରାତିରେ ୩ ପଞ୍ଚାୟତରେ ଧାନ ଚାଷକୁ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଧାନଗଛରୁ ଥୋଡ ବାହାରୁଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଫସଲ ମାଟିରେ ମିଶିବା ଚାଷୀଙ୍କ ନିଦ ହଜାଇ ଦେଇଛି। ଓଲମରା ପଞ୍ଚାୟତର ମହଲସାହି, ଓଲମରା,ପାଟପୁର,ସର୍ଦ୍ଦାରବନ୍ଧ ପଞ୍ଚାୟତର ଉପର ସର୍ଦ୍ଦାରବନ୍ଧ,ଚୁଡାମଣିପୁର, ପିଞ୍ଛାବଣି,କିତାଝୁରି,ରାଇବଣିଆ ପଞ୍ଚାୟତର ନୂଆସାହି, ରାଇବଣିଆ ଆଦି ଗାଁ ରେ ୩୦ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ହାତୀପଲ ଖାଇବା ସହ ପାଦରେ ଦଳି ଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପକ୍ଷରେ ହାତୀ ମୁକାବିଲା ପାଇଁ ଗତକାଲି ରାତି ତମାମ ବନ୍ୟ ବିଭାଗ ନାକେଦମ ହୋଇଛି। ବାଲେଶ୍ଵର ଡିଏଫଓ ଗତକାଲି ବିଳମ୍ବିତ ରାତି ଯାଏଁ ରାଇବଣିଆ ଡେରା ପକାଇଥିଲେ। ହାତୀ ଗୁଡ଼ିକର ଗତିପଥ କିପରି ଜଙ୍ଗଲ ଆଡ଼କୁ ମୁହାଁଯିବ ସେନେଇ ବିଭିନ୍ନ କୌଶଳ ସ୍ଥିର କରିଥିଲେ। ତେବେ ବନ୍ୟ ବିଭାଗ ନିକଟରେ ଆବଶ୍ୟକ ସଙ୍ଖ୍ୟକ ଗାଡ଼ି ଓ ମାନବ ସମ୍ବଳ ନଥିବାରୁ ଏହା ହାତୀ ମୁକାବିଲାରେ ସମସ୍ୟା ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଡିଏଫଓ ଙ୍କ ନିର୍ଦ୍ଦେଶରେ ନୀଳଗିରି,କୁଲଡିହା ଓ ଚାନ୍ଦିପୁର ରୁ ୩ଟି ଗାଡ଼ି ସହ ସ୍ବତନ୍ତ୍ର ସ୍କ୍ବାର୍ଡ ରାଇବଣିଆ ରେ ପହଞ୍ଚିଛନ୍ତି। ଆଜି ବାଲେଶ୍ଵର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ କୁମାର ଦାସ,ଏସସିଏଫ ସସ୍ମିତା ସାହୁ,ଏସସିଏଫ ଜୟଶ୍ରୀ ମୁର୍ମୁ, ଫରେଷ୍ଟର ପ୍ରହ୍ଲାଦ ନାୟକଙ୍କ ତତ୍ତ୍ବାବଧାନରେ ୪ଟି ଟିମ୍ ବିଭିନ୍ନ ସ୍ଥାନରେ ମୃତୟନ କରାଯାଇଛି।

ସମ୍ବନ୍ଧିତ ଖବର