ଫୋକସରେ କୋରାପୁଟ: ୧୦ ଦିନରେ ଡଜନେ ନେତାଙ୍କ ମାରାଥନ୍ ଗସ୍ତ

କୋରାପୁଟ: ଆଗକୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ। ବର୍ଷର ଶେଷ କିମ୍ବା ୨୦୨୨ ଆରମ୍ଭରେ ଏହି ଦୁଇ ନିର୍ବାଚନ ହେବାକୁ ଯୋଜନା ରହିଥିବା‌ବେଳେ ଏହା ପୂର୍ବରୁ ପାଗ ଭିଡିଲାଣି ବିଜେଡି। ଦୀର୍ଘ ଦୁଇ ବର୍ଷ ହେଲା ପୌର ନିର୍ବାଚନ ହେବାକୁ ରହିଥିବାବେଳେ କୋଭିଡ ସହ ଅନ୍ୟ କାରଣ ହେତୁ ଏହା ହୋଇପାରୁନି। ଏହାସହ ଚଳିତବର୍ଷ ଶେଷ କିମ୍ବା ୨୦୨୨ ଫେବ୍ରୁଆରୀ ବେଳକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯୋଜନା ରହିଛି। ଏହାକୁ ଦୃଷ୍ଟି‌ରେ ରଖି କୋରାପୁଟ ଜିଲ୍ଲାର ପୌରପରିଷଦ ଓ ପଞ୍ଚାୟତକୁ ହାତେଇବାକୁ ଯୋଜନା ଆରମ୍ଭ କରିଦେଲାଣି ବିଜେଡି। କୋରାପୁଟ ଜିଲ୍ଲାକୁ ଗତ ୧୦ ଦିନ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାଶ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ବିଧାୟକ ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ପଦ୍ମନାଭ ‌ବେହେରା ଆସି ଫେରି ଯାଇଛନ୍ତି। ତେବେ କୋରାପୁଟ ଜିଲ୍ଲା ଏବେ ବିଜେଡିର ଫୋକସରେ ରହିଛି।

ପୂର୍ବରୁ ବିଜେଡି ପକ୍ଷରୁ ୫ଟି ନିର୍ବାଚନ ମଣ୍ଡଳୀରୁ ୪ଟି ଦଖଲ କରିଥିବାବେଳେ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଭଲପ୍ରଦର୍ଶନ କରିବାକୁ ଯୋଜନା ଆରମ୍ଭ ହୋଇଛି। ଏବେ କୋରାପୁଟ ଜିଲ୍ଲାରେ ରହିଥିବା ପୌର ପରିଷଦ ଓ ପଞ୍ଚାୟତ ଦଖଲ କରିବାକୁ ଯୋଜନା ଆରମ୍ଭ ହୋଇଗଲାଣି। ସଂଗଠନ ସଜାଡିବାକୁ ବିଜେଡି ପାଗ ଭିଡୁଥିବାବେଳେ ବିଭିନ୍ନ ବିଭାଗର ସମୀକ୍ଷା କରି ଫେରିଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ୫ଟି ଅଧୀନରେ ରହିଥିବା ଆକାଂକ୍ଷା ସ୍କୁଲ ଗୁଡିକର ସମୀକ୍ଷା କରିଛନ୍ତି। ଏହାସହ ସ୍ଥାନୀୟ ସ୍କୁଲ ପରିଦର୍ଶନ କରିବା ସହ ପିଲାମାନଙ୍କ ସହ ବସି ଶିକ୍ଷା ଗ୍ରହଣ କରିଛନ୍ତି। ସେହିପରି ଗତକାଲି ଅରୁଣ ସାହୁ ଓ ବିକ୍ରମ ଆରୁଖ ନିଜ ବିଭାଗରେ ରହିଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ସେହିପରି ମହିଳା ଓ ଶିଶୁ ବିକାଶ, ଆଇଟି, କ୍ରୀଡା, ଅବକାରୀ ସହ ଅନ୍ୟ ଗୁରୁତ୍ବପୁର୍ଣ୍ଣ ବିଭାଗର ସମୀକ୍ଷା ହୋଇଛି। ସବୁଠୁ ବଡ କଥା ହେଲା ଜିଲ୍ଲାରେ ଏବେ ଅସନ୍ତୋଷ ଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ପ୍ରତି ବ୍ଲକ ଓ ପୌରପାଳିକାରେ ଦଳୀୟ ନେତାଙ୍କ ବିରୋଧରେ ଦଳୀୟ ନେତା ରହିଥିବାରୁ ଅସନ୍ତୋଷ ଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କାଳେ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ବାଦ ପଡିବେ ଏନେଇ କିଛି ପ୍ରକାଶ କରୁ ନ ଥିବା ଜଣାପଡିଛି। କିନ୍ତୁ ନିକଟରେ ଦଳରୁ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ବହିଷ୍କାର କରାଯିବା ପରେ ଦଳରେ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଜିଲ୍ଲାର କୋଟପାଡ ଏନଏନସି, ଜୟପୁର ଓ ସୁନାବେଡା ବିଜେଡି ହାତରେ ରହିଥିବାବେଳେ କୋରାପୁଟ ପୌରପାଳିକା କଂଗ୍ରେସ ହାତକୁ ଯାଇଥିଲା। ଏହାକୁ ଦଖଲ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଜେଡି ପକ୍ଷରୁ ୱାର୍ଡସ୍ତରୀୟ ବୈଠକ କରାଯାଇ ସମୀକ୍ଷା କରାଯାଉଛି। ସେହିପରି ଜିଲ୍ଲାର ଏକାଧିକ ବ୍ଲକ ବିଜେଡି ହାତରେ ରହିଛି। ଏହ ଧାରାକୁ ବଜାୟ ରଖିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର