ଆଠଗଡ଼ରେ ବ୍ରାଉନ୍‌ ସୁଗାର ପରେ ଗଞ୍ଜେଇ ସହ କାର ଜବତ, ଚାଳକ ଅଟକ

ଆଠଗଡ: କଟକ ଜିଲ୍ଲା ଆଠଗଡ଼ ଅଂଚଳ ନିଶା ସାମ୍ରାଜ୍ୟର ଗଡ଼ ପାଲଟିଛି। ଏସ୍‌ଟିଏଫ୍‌ ଟିମ୍‌ ଗତ ୨୦ ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ରାଧାପତିପୁର ନିକଟସ୍ଥ ପାରିଜାତ ହୋଟେଲ ଉପରେ ଚଢ଼ାଉ କରି ୧୭୪ ଗ୍ରାମର ବ୍ରାଉନ୍‌ ସୁଗାର ଜବତ କରିଥିବା ବେଳେ ଆଜି ପୁଣି ଗଂଜଇେ ସହ ଏକ କାର ଜବତ କରିଛି।

ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଲାଣି ଆଠଗଡ। ଆଜିର ଚଢ଼ାଉ ଆଠଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାରମ୍ବାର ଚଢ଼ାଉ ତଥା ଆଜିର ଚଢ଼ାଉ ଘଟଣା ପରେ ମାଫିଆଙ୍କ ମହଲରେ ଆତଙ୍କ ସୃଷ୍ଟି ହୋଇଯାଇଛି। ପୁଲିସ ଓ ଅବକାରୀ ବିଭାଗ ନିଶା କାରଵାରର ଟେର ପାଉନଥିବା ବେଳେ ଏସ୍‌ଟିଏଫ୍‌ ଟିମର ଚଢ଼ାଉ ଆଠଗଡର ପ୍ରଶାସନ ପ୍ରତି ଅଙ୍କୁଳି ଉଠାଇଛି।

ଆଜି ଅପରାହ୍ନରେ ବିଶେଷ ସୁତ୍ରରୁ ଖବର ପାଇ ଏସ୍‌ଟିଏଫ୍‌‌ ଟିମ ଆଠଗଡ ଥାନା ଅନ୍ତର୍ଗତ ଚେରେଇପାଟଣାର ଅକ୍ଷୟ ପଣ୍ଡାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକମାନେ ପଳାଇ ଆସିବାରୁ ଅକ୍ଷୟ ଚକମା ଦେଇ ଫେରାର ହୋଇଯାଇଥିଲା। ଏସ୍‌ଟିଏଫ୍‌ ଘରୁ ଦୁଇ କେଜିର ଗଂଜେଇ ଜବତ କରିବା ସହ କାର ସହ ଡ୍ରାଇଭରକୁ ଅଟକ ରଖି ଆଠଗଡ଼ ଥାନାକୁ ଆଣିଛନ୍ତି। ଅଟକ ଡ୍ରାଇଭର ଢେ଼ଙ୍କାନାଳ ଥାନା ଶଙ୍କରପୁର ଗ୍ରାମର ଲକ୍ଷ୍ମୀଧର ସାହୁ। ଏହି ଚଢ଼ାଉରେ ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ତେଜରାଜ ପଟେଲ, ଇନିସପେକ୍ଟର ସରିତା ଵେଉରିଆ ପ୍ରମୁଖଙ୍କ ସହ ଦଶ ଜଣିଆ ଟିମ ସାମିଲ ଥିଲେ।

ସମ୍ବନ୍ଧିତ ଖବର