ମାଳମାଳ ସିସି କ୍ୟାମେରା: ଅପରାଧୀକ ଗତିବିଧି ନିୟନ୍ତ୍ରଣରେ କେତେ ସଫଳ ଜୟପୁର ସହର?

ଜୟପୁର: ସହରର ଅପରାଧୀକ ଗତିବିଧିକୁ ରୋକିବା ଏବଂ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଜୟପୁର ସହରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଛି ସିସି କ୍ୟାମେରା। ଏହା ଲାଗିବା ପରେ ସହରରେ ଅପରାଧୀକ କାର୍ଯ୍ୟକଳାପ କମିବ ଏବଂ ସଂପୁର୍ଣ୍ଣ ସହର ପୁଲିସର ନିୟନ୍ତ୍ରଣରେ ରହିବ ବୋଲି ସହରବାସୀ ଆଶା କରିଥିଲେ। ଏହା ବାଦ୍‌ ମଧ୍ୟ ସହରରେ ଚୋରି, ମୋଟରସାଇକେଲ ଚୋରି ସମେତ ଅନ୍ୟାନ୍ୟ ଅପରାଧୀକ କାର୍ଯ୍ୟକଳାପ କମି ନାହିଁ। ସହରର ସମସ୍ତ କ୍ୟାମେରାର କଣ୍ଟ୍ରୋଲ ପୁଲିସ ଥାନାରେ ରହିଛି। ସେଠାରେ ବଡ଼ ସ୍କ୍ରିନରେ ସମଗ୍ର ସହରର ଚିତ୍ର ଥାନାରେ ଜଣା ପଢ଼ୁଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଏହା ଲଗାଯାଇଥିବା ବେଳେ ଏହା କେତେ ଦୁର ପୁଲିସ ପାଇଁ ସଫଳତା ଆଣିପାରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ କ୍ରିଟ୍ ପକ୍ଷରୁ ୧୩ ଲକ୍ଷ ଟଙ୍କା ବ୍ୟୟ କରି ଜୟପୁରରେ ୧୬ଟି ଓ କୋରାପୁଟରେ ୧୪ଟି ସିସିଟିଭି ଲଗାଯାଇଥିଲା। କିଛି ବର୍ଷ ଏହ‌ା କାମ କରିବା ପରେ ଏହା ଆଉ କାମ କରିନଥିଲା।

ଦ୍ବିତୀୟ ଥର ଜିଲ୍ଲା ପୁଲିସ ପକ୍ଷରୁ ଜୟପୁର ବିଧାୟକ ପାଣ୍ଠିରେ ଏହି ସିସି କ୍ୟାମେରା ଲଗାଯାଇଛି। ସହରର ୨୬ଟି ପ୍ରମୁଖ ବିଭିନ୍ନ ସାହି, ଗଳି ଛକରେ ୮୫ଟି ସିସି କ୍ୟାମେରା ଲଗାଯାଇଛି। ସହରର ଚାରିପାର୍ଶ୍ବରେ ଥିବା ହାଲୋ ଜୟପୁର, ଗାନ୍ଧୀଛକ, ଲେବର ଅଫିସ ଛକ, ପାରାବେଢ଼ା ଛକ, ଟ୍ରାଫିକ୍‌ ଛକ, ପାରାବେଢ଼ା ସତ୍ୟଅଧିକାରୀ ଛକ, ଖ୍ରୀଷ୍ଟିଆନ ପେଟା ଛକ, ଏଲଆଇସି ଛକ, ଡାଲଚିନି ଡାବା ଛକ, ଏସବିଆଇ ଛକ, ଇନ୍ଦିରା ଛକ, ଜେଲରୋଡ, ବେଲ ରୋଡ ଛକ, ପୁରୁଣାଗଡ, କେସିସି ବ୍ୟାଙ୍କ ଛକ, ଗ୍ଲୋକାଲ ହସ୍ପିଟାଲ ଛକ, ତାରଣୀ ଛକ, ରଜା ନଅର ଛକ, ୱେଲକମ ଛକ, ଜଗତ ଜନନୀ ଛକ, ଡେଇଲି ମାର୍କେଟ ଛକ, ପାୱରହାଉସ ଛକ, ପଞ୍ଚାନନ ମନ୍ଦିର ଛକ, ଜୟନଗର, ଉପଜିଲ୍ଲାପାଳ କାର୍ଯ୍ୟାଳୟ, କୁମ୍ଭାର ସାହି ପ୍ରମୁଖ ଛକରେ ସିସିଟିଭି କ୍ୟାମେରା ଲଗାଯାଇଛି।

ଏହା ଲଗାଇବା ପଛରେ ମୁଖ୍ୟତଃ ଲକ୍ଷ୍ୟ ଥିଲା ସହରରେ ଚାଳିଥିବା ବିଭିନ୍ନ ଅପରା‌ଧୀକ ଗତିବିଧିକୁ ଲକ୍ଷ୍ୟ କରାଯିବ। ଏହାସହ ବିଭିନ୍ନ ସମୟରେ ହେଉଥିବା ରାସ୍ତାରୋକ, ଶୋଭାଯାତ୍ରା ଆଦିର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ନିକଟରେ ରଖିବା, ସହର ମଧ୍ୟରେ ଉପୁଜିଥିବା ଟ୍ରାଫିକ ସମସ୍ୟା ସଜାଡିବା, ନୋପାର୍କିଂ ଜୋନରେ ପାର୍କିଂ କରି ରଖିଥିବା ଗାଡି ଗୁଡିକର ଫଟୋ ଚିତ୍ର ଉତ୍ତୋଳନ କରି ଉକ୍ତ ଗାଡି ନାଁରେ ମୋଟରଯାନ ଆଇନରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟ ରହିଥିଲା। ମୁଖ୍ୟରାସ୍ତାରେ ସବୁବେଳେ ବାଇକ, ଚାରିଚକିଆ ଆଦିର ଟ୍ରାଫିକ ଜାମ୍। ନୋଭେଇକିଲ ଜୋନ ଭାବେ ଘୋଷଣା କରାଯାଇଥିବା ଏମଜିରୋଡରେ ଭେଇକିଲ ସବୁ ଯିବା ଆସିବା ଲାଗି ରହିବା ସହ ପ୍ରତି ୧୦ ମିନିଟରେ ଜାମ୍ ହେଉଛି। ଏହାରି ମଧ୍ୟରେ ନାବାଳକ ମାନେ ଦ୍ରୁତ ଗତିରେ ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ବାଇପାସ୍ ରାସ୍ତାରେ ବି ଯାଉଥିବା ଦେଖିବାକୁ ମିଳିଛି। ଏହାକୁ‌ ନେଇ ବୟସ୍କ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେଭଳି ଚୋରି ବି ବୃଦ୍ଧି ପାଇବା ସହ ସିରିଜ ଚୋରି ହେଉଥିବା ଅଭିଯୋଗ ହୋଇଛି। ପୁଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର