ଜଳିଗଲା ୭ ଏକର କାଜୁ ଜଙ୍ଗଲ, ସାଇଁକୁଳ ନଣ୍ତାପାହାଡ଼ରେ ନିଆଁ

ରାମଚନ୍ଦ୍ରପୁର: ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ନଣ୍ଡା ପାହାଡ଼ରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ୭ ଏକରରୁ ଅଧିକ କାଜୁ ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକ ଘଷିପୁରା ଦମକଳ ବାହିନୀକୁ ଖବର ଦେବାରୁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ନିଆଁ ଲିଭାଇବାକୁ ରାମଚନ୍ଦ୍ରପୁର ଫରେଷ୍ଟର ମଳୟ ସାହୁଙ୍କ ନେତୃତ୍ବରେ ବନବିଭାଗର କର୍ମଚାରୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ରାତି ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ। ଏହି ଭୟାନକ ଅଗ୍ନିକାଣ୍ଡରେ ସାଇଁକୁଳ ବଜାର ସମେତ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଭୟଙ୍କର ନିଆଁ ଉତ୍ତାପରେ ଅନେକ ସରୀସୃପ ସହ ବନ୍ୟପ୍ରାଣୀ ଅସ୍ତବ୍ୟସ୍ତ ହୋଇପଡ଼ିଛିନ୍ତି। ଗତ କିଛି ଦିନ ବ୍ୟବଧାନରେ ପୁଣି ଜଙ୍ଗଲରେ ନିଆଁ ଲାଗିଥିବାରୁ କେହି ଅସାଧୁ ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇ ଦେଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର