କିରାସିନି ଢାଳି ସ୍ୱାମୀଙ୍କୁ ପୋଡ଼ିବାକୁ ପତ୍ନୀଙ୍କ ଉଦ୍ୟମ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର: ପାରିବାରିକ କଳହରୁ ଜଘନ୍ୟ କାଣ୍ଡ ଘଟାଇଛି ପତ୍ନୀ। ସ୍ବାମୀ ଉପରେ କିରାସିନି ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ପ୍ରଫୁଲ୍ଲ କୁମାର ସାବତ (୭୦)ଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରଫୁଲ୍ଲ ଆଜି ସକାଳେ ଉଠି ବାରିପଟେ ଦାନ୍ତ ଘଷୁଥିଲେ। ଏ ସମୟରେ ହଠାତ୍ ତାଙ୍କ ପତ୍ନୀ ପ୍ରମିତା ପହଞ୍ଚି ତାଙ୍କ ଦେହରେ କିରାସିନି ଢାଳିଦେବା ସହ ନିଆଁ ଲଗାଇ ଦେଇଥିଲେ। ପ୍ରଫୁଲ୍ଲ ଜୀବନ ବଞ୍ଚାଇବାକୁ ଦୌଡ଼ି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଗ୍ରାମବାସୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଶରୀରର ୪୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା।

ଏ ନେଇ ଭଞ୍ଜନଗର ଥାନାରେ କୌଣସି ଏତଲା ହୋଇ ନଥିବା ଆଇଆଇସି ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛି। ପ୍ରମିତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି। ଦୁଇଦିନ ତଳେ ପ୍ରମିତା ଓ ପ୍ରଫୁଲ୍ଲଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ ବଚସା ହୋଇଥିଲା। ଆଜି ସକାଳେ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରମିତା ଉତ୍‌କ୍ଷିପ୍ତ ହୋଇ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର