ହୃଦ୍‌ଘାତ ସହ କରୋନାର ସଂଯୋଗ ଅଛି କି? ଜାଣନ୍ତୁ କ’ଣ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରାସ୍‌ର ପ୍ରକୋପ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ବି ଏହା ସଂପୂର୍ଣ୍ଣ ଭାବେ ଦେଶରୁ ଲୋପ ପାଇନାହିଁ। ଏବେ ସୁଦ୍ଧା ଭାରତରେ ୨୧୪ ପ୍ରକାରର ଭିନ୍ନ ଭିନ୍ନ କୋଭିଡ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇ ସାରିଲାଣି।

ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଆଇସିୟୁ ଶଯ୍ୟା, ଅମ୍ଳଜାନ ଯୋଗାଣ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଏ ନେଇ ପ୍ରତି ସପ୍ତାହରେ ସମୀକ୍ଷା କରାଯାଉଛି।  କୋଭିଡ କିପରି ଭାବେ ପ୍ରଭାବିତ କରିବ ତାହା ପୂର୍ବାନୁମାନ କରିବା ଅସମ୍ଭବ। କିନ୍ତୁ ଏହାର ସବ୍‌-ଭାରିଆଣ୍ଟ୍‌ ଏତେଟା ବିପଦଜନକ ନୁହେଁ ବୋଲି କୁହାଯାଇପାରେ।’

ନିକଟରେ ଯୁବକମାନଙ୍କ କ୍ଷେତ୍ରରେ ହେଉଥିବା ହୃଦ୍‌ଘାତର କରୋନା ସହ ସଂପର୍କ ଅଛି କି ନାହିଁ ଜାଣିବା ପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଦୁଇ ତିନି ମାସ ମଧ୍ୟରେ ଫଳାଫଳ ଆଶା କରାଯାଉଛି ବୋଲି ସେ ମତ ରଖି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ‘ଆମେ ଅନେକ ଯୁବ କଳାକାର, ଖେଳାଳିମାନଙ୍କୁ ମଞ୍ଚ‌ରେ ପ୍ରଦର୍ଶନ କରୁଥିବା ବେଳେ ମୃତ୍ୟୁ ଘଟୁଥିବାର ଦେଖିଛେ। ବିଭିନ୍ନ ସ୍ଥାନରୁ ଏପରି ରିପୋର୍ଟ ଆସିଛି। ଆମକୁ ହୃଦ୍‌ଘାତ ସହ କୋଭିଡ୍‌ର ସଂଯୋଗ ରହିଛି କି ନାହିଁ ତଦନ୍ତ କରିବାକୁ ପଡ଼ିବ।’

କୋଭିଡ ମହାମାରୀର ସମ୍ଭାବ୍ୟ ଚତୁର୍ଥ ୱେଭ୍‌କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର