ନିମ୍ନ ସୁକତେଲ ପ୍ରକଳ୍ପ: ବିନା ନୋଟିସରେ ବିସ୍ଥାପିତଙ୍କ ଘରଭଙ୍ଗା ମାମଲା

ଜାତୀୟ ଏସ୍‌ଟି କମିସନରେ ହାଜର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ

ବଲାଙ୍ଗୀର: ବଲାଙ୍ଗୀର ନିମ୍ନ ସୁକତେଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ନେଇ ବହୁ ଅଭିଯୋଗ ଆସୁଥିବା ବେଳେ ଏବେ ଏହି ମାମଲା ଜାତୀୟ ଏସ୍‌ଟି କମିସନଙ୍କ ପାଖରେ ମଧ୍ୟ ବିଚରାଧୀନ ରହିଥିବା ଜଣାଯାଇଛି। କମିସନରେ ହୋଇଥିବା ମାମଲାର ଶୁଣାଣି ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ କମିସନ ନିକଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। କମିସନ ସଦସ୍ୟ ଅନନ୍ତ ନାଏକଙ୍କୁ ସାକ୍ଷାତ କରି ବିସ୍ଥାପନ ସଂପର୍କିତ ସମସ୍ତ ତଥ୍ୟ ଓ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

ଗତ ୨୦୨୨ ମସିହା ଜୁନ ୨ରେ ଦାଏର ହୋଇଥିବା ଭୁଣ୍ଡିମୁହାଣ ପଞ୍ଚାୟତ କଙ୍କରା ଗ୍ରାମର ଶ୍ୟାମ ବରିହା, ଶିବ ବରିହା ଓ ମାୟା ବରିହା, ଉଚ୍ଚବାହାଲ ଗ୍ରାମର ଅଚ୍ୟୁତ ବର୍ଗେଙ୍କ ଆବେଦନକୁ କମିସନ ବିଚାରକୁ ନେଇଛନ୍ତି। ବିନା ପୂର୍ବ ନୋଟିସରେ ଏହି ଆଦିବାସୀଙ୍କୁ ବିସ୍ଥାପନ କରି ତାଙ୍କ ଘରକୁ ପ୍ରଶାସନ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। କମିସନଙ୍କ ସହଯୋଗୀ ନିର୍ଦ୍ଦେଶକ ମୀନାକ୍ଷୀ ଶର୍ମାଙ୍କ ଦ୍ବାରା ଜିଲ୍ଲାପାଳ ଶ୍ରୀ ରାଣାଙ୍କ ପାଖକୁ ଆସିଥିବା ଚିଠି ଅନୁଯାୟୀ ଆସନ୍ତା ୧୪ ତାରିଖ ଦିନ ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ କମିସନଙ୍କ କାର୍ଯ୍ୟ‌ାଳୟରେ କମିସନ ସଦସ୍ୟଙ୍କ ସହିତ ସାକ୍ଷାତ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର