ତିନି ଗ୍ରାମର ଗ୍ରାମବାସୀ ୫ ବର୍ଷ ହେଲା ବିଦ୍ୟୁତ ସେବାରୁ ବଂଚିତ

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଆଦିବାସୀ ବହୁଳ ବିଶିଷ୍ଟ ଅପହଂଚ ଅଂଚଳ ହେଉଛି ଗୋରୁମହିଷାଣୀ ଅଂଚଳ । ଗୋରୁମହିଷାଣୀ ନିକଟସ୍ଥ ବଡମୌଦା ପଂଚାୟତର କଟୁପିଟ, କୁଲେଇଶିଳା ପଂଚାୟତର ବାଲିଖଣି ଓ ବିଜାତଳା ବ୍ଲକ ମଢେଇକଚା ଗ୍ରା.ପର ବଡବିଲ ପ୍ରଭୁତି ଅପହଂଚ ଅଂଚଳରେ ୨୦୧୮ ମସିହାରେ ଭାରତ ସରକାରଙ୍କ ଦୀନଦୟାଲ ଉପାଧ୍ୟୟ ଗ୍ରାମଜ୍ୟୋତି ଯୋଜନାରେ ବିଦୁ୍ୟତ୍ ସଂଯୋଗ କରାଯାଇଥିଲା । ତେବେ ବିଦୁ୍ୟତ୍ ତାର ଟଣାହେବାର କିଛିମାସ ପରେ ସଂଯୋଗ ମଧ୍ୟ ଦିଆଯାଇଥିଲା । କିନ୍ତୁ ସଂଯୋଗର ଗୋଟିଏ ଦିନ ପରେ ଟ୍ରାନ୍ସଫରମରରେ ସମସ୍ୟା ଯୋଗୁଁ ବିଦୁ୍ୟତ୍ କଟି ଯାଇଥିଲା । ଏନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଠିକାରେ ନେଇଥିବା ସଂସ୍ଥା କିମ୍ବା ନେସ୍କୋ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିଲା । ଫଳରେ ଗ୍ରାମବାସୀମାନେ ସାଧାରଣ ନିର୍ବାଚନରେ ଭୋଟ୍ ମଧ୍ୟ ବର୍ଜନ କରିଥିଲେ । ତେବେ କିଛିମାସ ପୂର୍ବରୁ ପୁଣି ମରାମତି କରାଯାଇଥିଲା ହେଲେ ମଧ୍ୟ ସମସ୍ୟାର ସମାଧାନ ହେଲାନାହିଁ । ମାତ୍ର ୨ଟି ଘରେ ବିଦୁ୍ୟତ୍ ଜଳୁଥିବାବେଳେ ଅନ୍ୟ ଗ୍ରାହକମାନଙ୍କ ଘରେ ଲୋ-ଭୋଲଟେଜ ରହୁଥିଲା ।

ଏନେଇ ଗ୍ରାମବାସୀମାନେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ଅଭିଯୋଗ କରିବା ପରେ ବିଧାୟକ ଶ୍ରୀ ମାଝୀ ରାଇରଙ୍ଗପୁର ବିଦୁ୍ୟତ୍ ବିଭାଗର ଏସଡିଓ ଏବଂ ଠିକାରେ ନେଇଥିବା ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଗ୍ରାମବାସୀଙ୍କୁ ବିଦୁ୍ୟତ୍ ସଂଯୋଗ ମିଳିନଥିଲା । ତେବେ ବିଧାୟକ ଶ୍ରୀ ମାଝୀ ବାରିପଦାସ୍ଥିତ ନେସ୍କୋ କାର୍ଯ୍ୟଳୟରେ ସେ ସମ୍ବନ୍ଧରେ ଅଭିଯୋଗ କରିବା ପରେ ପୁଣି ବିଦୁ୍ୟତ୍ ସଂଯୋଗ କରାଗଲା । ପୁଣି ସମାନ ସମସ୍ୟା ଦେଖା ଦେଇଥିଲା । ମାତ୍ର ୨ ଦିନ ବିଦୂ୍ୟତ୍ ସେବା ପାଇବା ପରେ ଆଉ ପାଇନଥିଲେ । ଏନେଇ ଗ୍ରାମବାସୀମାନେ ବିଦୁ୍ୟତ୍ ବିଭାଗ, ସରପଂଚ,ବିଡିଓ, ଉପଜିଲ୍ଲାପାଳ,ଜିଲ୍ଲାପାଳଙ୍କଠାରେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ପ୍ରାୟ ବର୍ଷେ ହେବ ୩ ଗ୍ରାମର ଗ୍ରାମବାସୀମାନେ ବିଦୁ୍ୟତ୍ ସେବା ପାଇବାରୁ ବଂଚିତ ଅଛନ୍ତି । ବିଦୁ୍ୟତ୍ ନ ଥିବାରୁ ବନ୍ୟଜନ୍ତୁଙ୍କ ଭୟରେ ସନ୍ଧ୍ୟା ହେଲେ ଗ୍ରାମବାସୀମାନେ ତାଟି କବାଟ୍ ବନ୍ଦ କରିଥାନ୍ତି । ଉକ୍ତ ଗ୍ରାମଗୁଡିକର ଛାତ୍ରଛାତ୍ରୀମାନେ ମଧ୍ୟ ସନ୍ଧ୍ୟା ହେଲେ ପାଠ ପଢିପାରନ୍ତି ନାହିଁ । ଏହାବ୍ୟତିତ ବର୍ତମାନର ସବୁଠାରୁ ଜରୁରୀ ଥିବା ମୋବାଇଲ୍ ସେବା ମଧ୍ୟ ଅପହଂଚ । ଉକ୍ତ ଗ୍ରାମ ଗୁଡିକରେ କୌଣସି ମୋବାଇଲ୍ ନେଟୱାର୍କ ମିଳୁନଥିବାରୁ ଅଂଚଳବାସୀମାନେ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ତେବେ ଉକ୍ତ ସମସ୍ୟାଗୁଡିକର ଯଥାଶୀଘ୍ର ସମାଧାନ କରାଯାଉ ବୋଲି ଦାବି ହେଉଛି । ସୂଚନାଯୋଗ୍ୟ ଯେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଉକ୍ତ ତିନି ଗ୍ରାମର ଗ୍ରାମବାସୀମାନେ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଥିବାରୁ ଭୋଟ୍ ବର୍ଜନ କରିଥିଲେ ।

ସମ୍ବନ୍ଧିତ ଖବର