ବିଦ୍ୟାଳୟରେ ନାମଲେଖା ବନ୍ଦ, ତାତିଲେ ଅଭିଭାବକ

ଯୋଡ଼ା: ଟାଟାଷ୍ଟିଲ ଦ୍ବାରା ପରିଚାଳିତ ପଶ୍ଚିମଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରୀଙ୍କ ନୂତନ ନାମଲେଖାକୁ ବାତିଲ କରାଯାଇଛି। ଏହାକୁ ବିରୋଧ କରି ଅଭିଭାବକମାନେ ପଶ୍ଚିମ‌ଯୋଡ଼ାସ୍ଥିତ ଟାଟା କମ୍ପାନିର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଛାତ୍ରଛାତ୍ରୀଙ୍କ ନାମଲେଖାଇବା ପାଇଁ ସ୍ଥାନୀୟ ଅଭିଭାବକମାନେ ସ୍କୁଲକୁ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ନାମଲେଖାଇବା ପାଇଁ ମନା କରିଦେଇଥିଲେ। ଅଭିଭାବକ ସୀତାରାମ ପୃଷ୍ଟି, ଆକାଶ ପ୍ରଧାନ, ସନିଆ ନାଏକ, ବୁଧୁରାମ ମହାରଣା, ରଞ୍ଜିତ ବୁକୁର, ଜଗଦୀଶ ପାତ୍ର ପ୍ରମୁଖ କାରଣ ପଚାରିବାରୁ, ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖାଇବା ପାଇଁ କମ୍ପାନିର ଉଚ୍ଚ କର୍ତ୍ତୃପକ୍ଷ ବାରଣ କରିଥିବା କହିଥିଲେ।

ଏ ସମ୍ପର୍କରେ ଜାଣିବା ପରେ ଅଭିଭାବକମାନେ ଆଜି ପୂର୍ବାହ୍ନରେ ପଶ୍ଚିମଯୋଡ଼ାସ୍ଥିତ ଟାଟା କମ୍ପାନିର କାର୍ଯ୍ୟାଳୟକୁ ଯାଇଥିଲେ। ଆସନ୍ତା ୧୬ତାରିଖରୁ ନୂତନ ନାମଲେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅଧିକାରୀମାନେ କହିଥିଲେ। ପରେ ଅଭିଭାବକମାନେ ଟାଟାଷ୍ଟିଲ ଫାଉଣ୍ଡେସନର ଅଧିକାରୀ ରବୀନ୍ଦ୍ର କୁମାରଙ୍କୁ ଭେଟିଥିଲେ। ଉପରୁ ନିର୍ଦ୍ଦେଶ ଥିବାରୁ ନାମଲେଖା ବନ୍ଦ କରାଯାଇଛି। ୧୦ ତାରିଖରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଭାବକମାନେ କାର୍ଯ୍ୟାଳୟ ଘେରାଉ କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କମ୍ପାନି କର୍ତ୍ତୃପକ୍ଷ ଖେଳୁଛନ୍ତି।

ସମସ୍ୟାର ସମାଧାନ ନ ବାହାରିଲେ ୧୪ଟି ୱାର୍ଡର ଅଭିଭାବକମାନେ ଧାରଣାରେ ବସିବେ ବୋଲି ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋର ଚେତାବନୀ ଦେଇଛନ୍ତି। ଏନେଇ ଟାଟାଷ୍ଟିଲର କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଶୁଭଙ୍କର ବେହେରାଙ୍କୁ ପଚାରିବାରୁ, ପାଠପଢ଼ାରେ ଉନ୍ନତି ଆଣିବାପାଇଁ କମ୍ପାନି ଚିନ୍ତା କରୁ ଥାଇପାରେ। ଟିଏସ୍‌ଏଫ୍ ଅଧିକାରୀ ରବୀନ୍ଦ୍ର କୁମାର ଏନେଇ ଅଧିକ ସୂଚନା ଦେଇପାରିବେ ବୋଲି ସେ କହିଛନ୍ତି।

ଟିଏସ୍‌ଏଫ୍ ଅଧିକାରୀ ରବୀନ୍ଦ୍ର କୁମାରଙ୍କୁ ‌ଯୋଗାଯୋଗ କରିବାରୁ ସେ ଏକ ବୈଠକରେ ଅଚନ୍ତି। କଥାବାର୍ତ୍ତା ହୋଇପାରିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଶିକ୍ଷାବିତ୍ ସୋମନାଥ ମହାନ୍ତି କହିଛନ୍ତି, ୧୯୪୮ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଖପାଖ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଏଠାରେ ପାଠ ପଢ଼ୁଥିଲେ। ଏହି ପୁରାତନ ବିଦ୍ୟାଳୟରେ ନାମଲେଖା ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର