ହଜିଗଲେ କାଲିମେଳା ଜୋନ-୨ର ବିଜେପି ପ୍ରାର୍ଥୀ, ଥାନାରେ ଏତଲା

ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପ୍ରାର୍ଥୀକୁ ନେଇଥିବା ଚର୍ଚ୍ଚା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମତା ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରାର୍ଥୀ କିପରି ବିଜୟ ଲାଭ କରିବେ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଇତି ମଧ୍ୟରେ ବିଜେପିର କାଲିମେଳା ଜୋନ-୨ର ପ୍ରାର୍ଥୀ ନିଖୋଜ ହୋଇଥିବା ନେଇ ଗତ ଦୁଇଦିନ ଧରି ଚର୍ଚ୍ଚା ଜୋର ଧରିଥିବା ବେଳେ ସେହି ପ୍ରାର୍ଥୀ ଗତ ରବିବାର ଦିନ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିବା ଜଣାପଡିଛି। ତେବେ ଏଥିପାଇଁ ତାଙ୍କୁ କୌଣସି ଏକ ରାଜନୈତିକ ଦଳ ଲୋଭରେ ପକାଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି। ରୀନା କାବାସୀ ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଝିଅ ହୋଇଥିବାରୁ ବିଜେପି ତାଙ୍କୁ ଏଥର କାଲିମେଳା ଜୋନ-୨ର ପ୍ରାର୍ଥୀ ଭାବେ ମନୋନୀତ କରି ପ୍ରାର୍ଥୀ ପତ୍ର ଦାଖଲ କରିଥିଲା। ତାଙ୍କୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଲା। ରେଲଵେ ଚାକିରି ଛାଡି ସେ ରାଜନୀତିରେ ପଶି ଲୋକଙ୍କ ସେବା କରିବାର ଇଛା ପ୍ରକଟ କରିଥିବା ଗଣମାଧ୍ୟମକୁ କହିଲେ। ତେବେ ଅଚାନକ ସେ ନିଜ ଘରୁ ଗାଏବ ହୋଇଯାଇଥିବା ନେଇ ବିଜେପି ଜାଣିବା ପରେ କାଲିମେଳା ଥାନାରେ ଏନେଇଏତଲା ଦାୟର କରିଥିଲେ ବିଜେପି କାଲିମେଳା ସଭାପତି। ତେବେ ରୀନା କିନ୍ତୁ କୌଣସି ଏକ ରାଜନୈତିକ ଦଳର ପ୍ରରୋଚନାରେ ପଡି ଘରୁ ବାହାରି ପଡିଥିବା ଜିଲ୍ଲା ସାରା ଆଲୋଚନା ଜୋର ଧରିଛି। ସେ ଯେ ହେତୁ ରାଜନୈତିକ ପରିବାରରୁ ଆସିନଥିଲେ।

ତେଣୁ ସେ ରାଜନୀତି କରିବାକୁ ପସନ୍ଦ କରୁନଥିବା କଥା ତାଙ୍କ ବାପା କହନ୍ତି। ତେବେ ରୀନା ବିଜେପିକୁ କାହିଁକି ଧକ୍କା ଦେଲେ ସେନେଇ ଏବେ ଆଲୋଚନା ଜୋର ଧରିଛି। ରୀନା ଯେହେତେ ନିଖୋଜ ରହିଛନ୍ତି ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେଭଳି ଯେଉଁ ରାଜନୈତିକ ଦଳ ଏହି କାମ କରିଛି ସେ ମଧ୍ୟ ବାହାସ୍ପଟ ମାରୁଥିବା ଦେଖିବାକୁ ମିଳିଛି। ବିଜେପି ଏବେ ୧୪ ଜଣ ପ୍ରାର୍ଥୀକୁ ନେଇ ମଇଦାନରେ ଓହ୍ଲାଇବ।ବିଜେପିର ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ ବିଜେପି ଗତଥର ଭଳି ଏଥର ମଧ୍ୟ ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବ ଏବଂ ଜିଲ୍ଲା ପିରିଷଦ ଛଡାଇ ନେବ। ଏଥିରେ ଅନ୍ୟ ରାଜନୈତିକ ଦଳମାନେ ଚିନ୍ତାରେ ପଡିଥିବାରୁ ଏଭଳି କୁଚ୍ଛିତ କାମ କରିଥିବା ବିଜେପି କହିଛି। କିନ୍ତୁ ବିଜେପି ମାଲକାନଗିରି ଜିଲ୍ଲାରେ ନିଜର ବିଜୟ ଧାରା ଦୋହରାଇବ ଏଥିରେ ସଂଦେହ ନାହିଁ ବୋଲି କହିଛି। ଏବେ ରୀନାକୁ ନେଇ ସାରା ଜିଲ୍ଲାରେ ଖୁବ ଚର୍ଚ୍ଚା ଚାଲିଛି। ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀକୁ ନେଇ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର