ଖୋର୍ଦ୍ଧାରେ ଅବକାରୀ କନେଷ୍ଟବଳ ନିମନ୍ତେ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ

ଖୋର୍ଦ୍ଧା: ଜିଲ୍ଲାର ଅବକାରୀ କନଷ୍ଟେବଳ ଚୟନ ନିମନ୍ତେ ଆଜି ଠାରୁ ତୃତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଛି । ଖୋର୍ଦ୍ଧା ନିକଟସ୍ଥ ଅର୍ଜୁନପୁର ଷଷ୍ଠ ଆଇଆର୍ବି ବାଟାଲିଅନ୍ ଓ ୪୧ ଆଇଟିବିପି ବାଟାଲିଅନ ପଡ଼ିଆ ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ୧୦୪୧ ଜଣ ପରୀକ୍ଷାର୍ଥୀ ଭାଗ ନେଉଛନ୍ତି । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଆୟୋଜିତ ଲିଖିତ ପରୀକ୍ଷା ପରେ ଅନୁଷ୍ଠିତ ହେଉଥିବା ଏହି ଶାରୀରିକ ଦକ୍ଷତା ପରୀକ୍ଷା ଆସନ୍ତା ୨୮ ତାରିଖ ଯାଏଁ ଚାଲିବ । ଦୁଇଦିନରେ ପରୀକ୍ଷାର୍ଥୀଙ୍କ ଶାରୀରିକ ଉଚ୍ଚତା, ଓଜନ, ଦୌଡ଼କୁଦ ଦକ୍ଷତା ଆଦି ପରୀକ୍ଷା କରାଯିବ । ପରୀକ୍ଷାର୍ଥୀଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଖାଦ୍ୟ, ପାନୀୟ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଡାକ୍ତରୀଦଳ, ଆମ୍ବୁଲାନ୍ସ, ଆଶୁ ଚିକିତ୍ସା, ଅଗ୍ନିଶମ କର୍ମଚାରୀ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ସମସ୍ତ ପରୀକ୍ଷାକୁ ଖୋର୍ଦ୍ଧା ଓ ଭୁବନେଶ୍ୱରର ଅବକାରୀ ଅଧୀକ୍ଷକ ଝସକେତନ ବରିହା, ପ୍ରଦୀପ କୁମାର ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରୁଛନ୍ତି । ଆଜି ପ୍ରଥମ ଦିନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆରଇଆର୍ବିଏନ୍ କମାଣ୍ଡେଂଟ୍ ନାରାୟଣ ଦୋରା ପଡ଼ିଆରେ ପହଂଚି ବିଭିନ୍ନ ବ୍ୟବସ୍ଥାର ଯାଂଚ କରିଥିଲେ ।

ସମ୍ବନ୍ଧିତ ଖବର