ଜଗନ୍ନାଥପ୍ରସାଦ ଥାନାରେ ଅଭି‌‌ଯୋଗକାରୀଙ୍କୁ ଆତିଥେୟତା ଚର୍ଚ୍ଚାରେ

ଜଗନ୍ନାଥପ୍ରସାଦ: ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ଏଥିପାଇଁ ସରକାର ପ୍ରତି ଥାନାରେ ଆମ ପୁଲିସ ସମିତି ଗଠନ କରିବା ସହ ପୁଲିସ ପ୍ରତି ଜନସାଧାରଣଙ୍କ ରହିଥିବା ଭ୍ରାନ୍ତ ଧାରଣା ଓ ଭୟ ଯେମିତି ମନରୁ ଦୂର ହେବ, ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ପାଦେ ଆଗ‌େର ରହିଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଆତିଥେୟତା ଓ ଆପୋସ ଆଲୋଚନାରେ ପ୍ରତି ମାମଲାର ସମାଧାନ କରିବାକୁ ପ୍ରୟାସ ଚର୍ଚ୍ଚା‌ର ବିଷୟ ପାଲଟିଛି। ଏଥିପାଇଁ ପ୍ରତିଟି ଜନସାଧାରଣ ଅପରାଧ ସଂପର୍କିତ ସୂଚନା ପୁଲିସକୁ ନିର୍ଭୟରେ ପ୍ରଦାନ କରିପାରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଗତ ସୋମବାର ଦିନ ଦେଖିବାକୁ ମିଳିଥିଲା। ଖମାରପଲ୍ଲୀ ଗ୍ରାମର ଭାବିନୀ ସେଠୀ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ପ୍ରତିଦିନ ମାଡ଼ ମାରୁଥିବା ଅଭି‌େଯାଗ ନେଇ ଥାନାକୁ ଆସିଥିଲେ। ତାଙ୍କ ସହ ବଡ଼ବାପା ଜଳନ୍ଧର ସେଠୀ ଓ ଦୁଇ ଶିଶୁ ଆସିଥିଲେ। ସେମାନଙ୍କୁ ଥାନା ପରିସରରେ ପୁଲିସ କର୍ମଚାରୀ ସସମ୍ମାନର ସହ ବସାଇବା ସହ ଚାହା ଓ ବିସ୍କୁଟ୍ ଖାଇବାକୁ ଦେଇଥିଲେ। ସେହିପରି ଥାନାକୁ ଅଭିଯୋଗ ନେଇ ଆସିଥିବା ଚିକିଲି ଗ୍ରାମର ଆରତୀ ମୂଳି ଓ ତାଙ୍କ ସ୍ୱାମୀ ବଳରାମ ପୁଲିସର ବ୍ୟବହାରକୁ ପ୍ରଶଂସା କରିବା ସହ ନ୍ୟାୟ ପାଇବେ ବୋଲି ଆଶାବାଦୀ ଅଛନ୍ତି।

ଥାନାଧିକାରୀ ଦିଲ୍ଲୀପ ସ୍ୱାଇଁ କହିଛନ୍ତି ଯେ, ‘ଥାନାକୁ ଯିଏ ଅଭିଯୋଗ ନେଇଆସୁଛନ୍ତି ସେମାନଙ୍କୁ ଆମେ ଆମ ଅତିଥି ଭାବେ ଦେଖୁଛୁ। ସେମାନଙ୍କ ପ୍ରତିଟି କଥାକୁ ଧୈର୍ଯ୍ୟର ସହ ଶୁଣିବା ସହିତ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା କରୁଛୁ’। ତେଣୁ ଲୋକେ ଏବେ ନିର୍ଭୟରେ ଥାନାକୁ ଆସୁଛନ୍ତି। ସେହିପରି ପୁଲିସ ବିଭାଗ ୫-ଟି ଅଧୀନରେ ଆସିବା ପରେ ପୁଲିସର ବ୍ୟବହାର ମାର୍ଜିତ ହୋଇପାରିଛି। ଏହାସହ କିଛି ମାମଲାର ଆପୋସ ସମାଧାନ ହୋଇଛି। ବିଗତ ବର୍ଷ ଗୁଡ଼ିକର ରିପୋର୍ଟ ଦେଖିଲେ ଜଗନ୍ନାଥପ୍ରସାଦ ଥାନାରେ ମାମଲା ସଂଖ୍ୟା ୩୦୦ ମଧ୍ୟରେ ରହୁଥିବା ବେଳେ ଗତ ୨୦୨୨ରେ ରେକର୍ଡ଼ ସଂଖ୍ୟକ ୫୨୩ଟି ମାମଲା ରୁଜୁ ହୋଇଛି। ଥାନା ଅଧୀନରେ ୧୫ଟି ପଞ୍ଚାୟତ ଓ ଚାରିଟି ବିଟ୍ ରହିଛି। ପ୍ରତି ବିଟ୍‌ରେ ଅଫିସର୍ ନିୟୋଜିତ ହୋଇଛନ୍ତି। ସେମାନେ ପଞ୍ଚାୟତୱାରୀ କମିଟି ଗଠନ ସହ ଖବର ସଂଗ୍ରହ କରୁଛନ୍ତି। ଏହାସହ ପାଟ୍ରୋଲିଂକୁ ବି ବ୍ୟାପକ କରାଯାଉଛି। ପ୍ରତିମାସରେ ଥାନା ପକ୍ଷରୁ ଆମ ପୁଲିସ ସମିତିର ବୈଠକ ଆୟୋଜନ ହେଉଥିବା ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର