ଶିକ୍ଷକ ନିଯୁକ୍ତି ହେଉନି: ବନ୍ଦ ହେଉଛି ଅନୁଦାନପ୍ରାପ୍ତ ବିଦ୍ୟାଳୟ

ହାଟଡିହି : ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଦିଆଯାଉ ନଥିବାରୁ ଏଠା‌ରେ କାର୍ଯ୍ୟରତ ଥିବା ଶିକ୍ଷକମାନେ ଅବସର ଗ୍ରହଣ କଲେ ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଯାଉଛି। ପୂର୍ବରୁ ଏହି କାରଣ ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ପଢ଼ିଆରିପଲ୍ଲୀ ପଞ୍ଚାୟତର ଆତୁରିକୋଣା ସ୍କୁଲ ବନ୍ଦ ହୋଇଥିବା ବେଳେ ଏବେ ଏବେ ମଧୁବନ ସ୍କୁଲରେ ତାଲା ଝୁଲୁଛି।

ହଦଗଡ଼ ପଞ୍ଚାୟତର ଆଦିବାସୀ ବହୁଳ ମଧୁବନ ଗାଁରେ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପଢ଼ିବାପାଇଁ ଛାତ୍ରଛାତ୍ରୀ ୪ କିଲୋମିଟର ଦୂର ହଦଗଡ଼ ଯା‌ଉଥିଲେ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଉଥିଲେ। କିଛି ଗ୍ରାମବାସୀ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ୧୯୮୯ ମସିହାରେ ଏଠାରେ ମା’ କୁଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏଠାରେ ଦୁଇଜଣ ଶିକ୍ଷକ ନିଯୁକ୍ତି କରାଯାଇ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା। ପ୍ରତିବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୬୦ରୁ ୭୦ ଲେଖାଏଁ ଛାତ୍ରଛାତ୍ରୀ ଅଧ୍ୟୟନ କରିଆସୁଛନ୍ତି। ପରବର୍ତ୍ତୀ ସମୟରେ ଏଠାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନଙ୍କୁ ସରକାରଙ୍କ ପକ୍ଷରୁ ବେତନ ବ୍ୟବସ୍ଥା କରାଗଲା। ଏହାଛଡ଼ା ଶ୍ରେଣୀଗୃହ ନିର୍ମାଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଓ ପୋଷାକ ମଧ୍ୟ ଯୋଗାଇ ଦିଆଗଲା।
୨୦୦୧ରେ ଏହି ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ଏଠାରେ ଆଉ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ। ଫଳରେ ଜଣେମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୨୦ବର୍ଷ ଧରି ଶିକ୍ଷାଦାନ କଲେ। ଡିସେମ୍ବର ୩୧ରେ ସମ୍ପୃକ୍ତ ଶିକ୍ଷକ ଚାକିରିରୁ ଅବସର ନେବା ପରେ ବିଦ୍ୟାଳୟ ବନ୍ଦ ହେବାକୁ ବସିଛି।

ଏଠାରେ ପଢ଼ୁଥିବା ୬୦ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି। ଛାତ୍ରଛାତ୍ରୀଙ୍କୁ କିଏ ଶିକ୍ଷାଦାନ କରିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅଭିଭାବକମାନେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ତୁରନ୍ତ ଏହି ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ନାଏକ, ସଦସ୍ୟ ଗଣନାଥ ନାୟକ, ହେମଲତା ନାୟକ, ଗୀତାଞ୍ଜଳି ନାୟକ, ବୃନ୍ଦାବନ ମୁଣ୍ଡିଆଳି, ମୁକୁନ୍ଦ ସୋରେନ, ଆର୍ତ୍ତବନ୍ଧୁ ନାଏକ, ଅର୍ଜୁନ ହାଁସଦା, ମାସଙ୍ଗ ହାଁସଦା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରୁ, ସରକାରଙ୍କ ପକ୍ଷରୁ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ପାଖରେ ଏକ ପ୍ରାଥମିକ ବିଦ୍ୟାଳୟ ଥିବାରୁ ତହାସହ ଏହି ବିଦ୍ୟାଳୟକୁ ମିଶ୍ରଣ କରାଯାଇ ଅଧିକ ଶିକ୍ଷକ ନିଯୁକ୍ତି ଦିଆଗଲେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ ହାଟଡିହି ବ୍ଲକ୍‌ ପଢ଼ିଆରିପଲ୍ଲୀ ପଞ୍ଚାୟତର ଆତୁରିକୋଣା ସ୍କୁଲ ସମାନ କାରଣ ପାଇଁ ବନ୍ଦ ହୋଇଥିବାବେଳେ ଆଉ ୨/୩ମାସ ଭିତରେ ଆହୁରି କିଛି ସ୍କୁଲ ବନ୍ଦ ହେବାକୁ ଯାଉଛି। ସରକାର ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର