ରାଷ୍ଟ୍ରପତି ପଦ ଛାଡ଼ିବାକୁ ଚାହୁଁଛନ୍ତି ପୁଟିନ; କିଏ ହେବ ଉତ୍ତରାଧିକାରୀ ?

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷ ନିଜର ଉତ୍ତରାଧିକାରୀ ଘୋଷଣା କରିବାର ସମ୍ଭାବନା ରହିଛି । ପୁଟିନ ୨୦୨୪ ନିର୍ବାଚନ ନ ଲଢି ନିଜର ଜଣେ ବିଶ୍ବସ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦରେ ବସାଇବାର ସମ୍ଭାବନା ରହିଛି ବୋଲି ତାଙ୍କର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।

ପୁଟିନଙ୍କ ପୂର୍ବତନ ଭାଷଣ ଲେଖକ ଆବାସ ଗାଲିଆମୋଭ କହିଛନ୍ତି ଯେ, ରୁଷରେ ତାଙ୍କ ବିରୋଧରେ ଅସନ୍ତୋଷ ବଢୁଥିବାରୁ, ପଦଚ୍ୟୁତ ହେବାର ଭୟ ତାଙ୍କୁ ଗ୍ରାସିବାରେ ଲାଗିଛି । ଏଣୁ ଏହା ପୂର୍ବରୁ ସେ ନିଜର ଜଣେ ବିଶ୍ବସ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦରେ ବସାଇବାକୁ ଚାହୁଁଛନ୍ତି ଓ ନିଜେ ନିଜର ସୁରମ୍ୟ ବ୍ଲାକ ସି ପ୍ୟାଲସରେ ଅବସର ସମୟ କାଟିବାକୁ ଯୋଜନା କରୁଛନ୍ତି ।

ଲିବ୍ୟାର ପୂର୍ବତନ ଶାସକ ମୁଆମାର ଗଦାଫିଙ୍କ ପରି ପଦଚ୍ୟୁତ ହେବାକୁ ଚାହୁଁନାହାନ୍ତି ପୁଟିନ । ଏଣୁ ସେ ଆଗୁଆ ତାହାର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି । ଜଣେ ବୈଷୟିକ ବିଶେଷଜ୍ଞଙ୍କୁ ସେ ନିଜର ଉତ୍ତରାଧିକାରୀ ନିଯୁକ୍ତ କରିପାରନ୍ତି, ଯିଏକି ପାଶ୍ଚାତ୍ୟ ଦେଶଙ୍କ ସହ ଆଲୋଚନା କରି ଯୁଦ୍ଧ ଶେଷ କରିପାରିବ ।

ସମ୍ଭବତଃ ପୁଟିନ ମସ୍କୋର ମେୟର ସର୍ଗେଇ ସୋବ୍ୟାନିନ, ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କିମ୍ବା ସେନାର ଉପମୁଖ୍ୟ ଡିମିଟ୍ରି କୋଜାକଙ୍କୁ ରାଷ୍ଟ୍ରପତି କରିପାରନ୍ତି ବୋଲି ଗାଲିଆମୋଭ କହିଛନ୍ତି ।

ଗତ ବର୍ଷ ଫେବ୍ରୁଆରିରେ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଲୋକପ୍ରିୟତା କମିଚାଲିଛି ।

 

 

ସମ୍ବନ୍ଧିତ ଖବର