ଅଧାରେ ଆଣ୍ଠେଇଛି ଅଧକୋଟିର ପ୍ରକଳ୍ପ

ନିକିରାଇ: ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବସୁଧା ଯୋଜନାରେ ଏଥିନିମନ୍ତେ ଗାଁରେ ଗାଁରେ ପାଇପ୍ ବିଛାଠୁ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ବ୍ଲକ୍ କୁତରଙ୍ଗ ପଂଚାୟତ ବିଷ୍ଣୁଦାସପୁର(ଚାଉଳିଆ) ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଳ ଜୀବନ ମିସନ୍‌ ଅଧିନରେ ଗଲା ଅଢ଼େଇ ବର୍ଷ ହେବ ଏଠାରେ ଏକ ପାଣି ଟାଙ୍କି ନିର୍ମାଣ ଚାଲିଥିଲେ ହେଁ ସରିବାର ନାଁ ଧରୁନି। ନିମ୍ନମାନର କାମ କରୁଥିବା ଅଭିଯୋଗ ହେବା ପରେ ଠିକାଦାର ଅଧାରୁ କାମ ଛାଡ଼ି ଛୁ ମାରିଥିବା ବେଳେ ଏପଟେ ଶତାଧିକ ଲୋକ ପାଣି ଟିକକ ପାଇଁ ଡହଳବିକଳ ହେଉଛନ୍ତି। ତେବେ ଗାଁରେ ଏହି ପାଣି ସମସ୍ୟା ନୂଆ ନୁହେଁ। ଦୀର୍ଘ ବର୍ଷ ହେବ ଲାଗି ରହିଛି। ଗାଁର ଦୁଇଟି ସାହିରେ ପାଞ୍ଚ ଶହରୁ ଅଧିକ ଲୋକ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ଦୁଇଟି ସଚଳ ନଳକୂପ ରହିଛି। ବାକି ତିନିଟି ନଳକୂପ ଅଚଳ ହୋଇପଡ଼ି ରହିଛି। ମାତ୍ର ଦୁଇଟି ନଳକୂପ ଉପରେ ଶତାଧିକ ଲୋକ ନିର୍ଭର କରୁଥିବାରୁ ଏହା ପର୍ଯ୍ୟାପ୍ତ ହେଇ ପାରୁନାହିଁ। ବିଶେଷ କରି ଖରା ଦିନେ ପାଣି ପାଇଁ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇ ଆସୁଛନ୍ତି।  ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ଗ୍ରାମ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୦୨୦ରେ ଜଳ ଜୀବନ ମିସନ୍ ଯୋଜନାରେ ୫୬ଲକ୍ଷ ୬୩ହଜାର ୪୩୯ ଟଙ୍କା ମଂଜୁର ହୋଇଥିଲା। ଏଥିରେ ବୋରିଂ ଖୋଳାଠୁ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ଏବଂ ପାଇପ୍ ବିଛାଯିବାର ବ୍ୟବସ୍ଥା ରହିଛି। ଇତିମଧ୍ୟରେ ଅଢ଼େଇ ବର୍ଷରୁ ଅଧିକ ଦିନି ବିତିଗଲାଣି। କିନ୍ତୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଇପାରୁନି।

ପାଇପ୍ ବିଛା ଓ ବୋରିଂ ଖନନ କାମ ସରିଥିଲେ ହେଁ, ପାଣି ଟାଙ୍କି ନିର୍ମାଣ କାମ ସରି ପାରୁନାହିଁ। ଠିକାଦାର ଅଧାରୁ କାମ ଛାଡ଼ି ପଳାଇଥିବା ଅଭିଯୋଗ ହେଉଛି। ନିମ୍ନମାନର ଓ ତ୍ରୁଟିପୂର୍ଣ୍ଣ ଢଙ୍ଗରେ ଟାଙ୍କି ନିର୍ମାଣ ହେଉଥିବା ନେଇ ଅଭିଯୋଗ ହେବା ପରେ ଠିକାଦାର କାମ ଛାଡ଼ି ପଳାଇଥିବା ପୂର୍ବତନ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ବିଶ୍ବନାଥ ଆଚାର୍ଯ୍ୟ, ପ୍ରଦୀପ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ରମାକାନ୍ତ ଆଚାର୍ଯ୍ୟ, ଶ୍ରୀନିବାସ ଆଚାର୍ଯ୍ୟ, ରତିକାନ୍ତ ଆଚାର୍ଯ୍ୟ, ନିରାକାର ଦାସ, ବିଜୟ ଦାସ, ପ୍ରତାପ ଶତପଥୀ, ଜ୍ଞାନଲୋଚନ ବେହେରା, ବିଦ୍ୟାଧର ମଲ୍ଲିକ, ନରୋତ୍ତମ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି। କାମ ଦୀର୍ଘ ମାସ ବନ୍ଦ ରହିବା ପରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ସହିତ କାମ ଶୀଘ୍ର ଆରମ୍ଭ ହେବ ବୋଲି ଆଶ୍ବାସନା ଦେଇଥିଲେ। ମାତ୍ର ଏଯାଏ ବୋରିଂରେ ବିଦ୍ୟୁତ୍ ସଂଯୋଗଠୁ ଅନ୍ୟ ସର୍ବନିମ୍ନ କାର୍ଯ୍ୟ ଆରମ୍ଭ ହେଇପାରୁନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଦାଶ କହିଛନ୍ତି ବିଦ୍ୟୁତ୍ ସଂଯୋଗ ନିମନ୍ତେ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର ବୋରିଂରୁ ପାଣି ଯୋଗାଣ ବ୍ୟବସ୍ଥା କରାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର