କାଗଜକଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ରାସ୍ତାରୋକ

ଜୟପୁର: ପୂର୍ବ ଘୋଷଣା ଅନୁଯାୟୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥର ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା। ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନ ବାହନ ଅଟକି ରହିଥିଲା। ଏଥିରେ କାଗଜ କଳ ଶ୍ରମିକ ସଂଘ ଓ ସିଟି କୋଅର୍ଡିନେସନ କମିଟି ତଥା ଗଣ ସଂଗଠନ ମାନଙ୍କୁ ନେଇ କାଗଜ କଳ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବି କରାଯାଇଥିଲା। ଆଜିର ଆନ୍ଦୋଳନକୁ ପ୍ରମୋଦ କୁମାର ମହାନ୍ତି, ନଳିନୀ ରଥ, ଯୁଧିଷ୍ଠିର ରାଉଳ, ପ୍ରଦୀପ ପାଞ୍ଜିଆ, ବନମାଳୀ ପାତ୍ର, କେଦାର ଆଚାର୍ଯ୍ୟ କେଦାର ମହାପାତ୍ର, ରବିନ୍ଦ୍ର ରାଉତ, ସୁଦର୍ଶନ ବିଷୋୟୀ, ବସନ୍ତ ବେହେରା, ଡି. ପି ଅଗସ୍ତି, ନାରାୟଣ ଦାଶ, ବିଚିତ୍ର ରାଉତରାୟ, ପ୍ରଦୀପ ରଥ, ପି. କେ ବିଶ୍ୱାସରାୟ, ପି. କେ ତିୱାରୀ, ଅଲେଖ ପାତ୍ର, ଉମା ଶତପଥୀ, ସତ୍ୟବ୍ରତ ନନ୍ଦ, ନନ୍ଦ ହରିଜନ, ବଳିଭଦ୍ର ମୋତି, ତ୍ରିନାଥ ପ୍ରଧାନ, ରାଧା ମିଶ୍ର ପ୍ରମୁଖ ଭାଗ ନେଇଥିଲେ। ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୧୬ ତାରିଖ ଠାରୁ ଜୟପୁର କାଗଜ କଳ ଉତ୍ପାଦନ ବନ୍ଦ ରହିଛି। କଞ୍ଚାମାଲ ଅଭାବରୁ ମିଲ୍ ଚାଳୁନି। ଏହି ସ୍ଥିତିରେ ସଂପ୍ରତି ଶ୍ରମିକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତିନିମାସ ହେଲା ସ୍ଥାୟୀ ଶ୍ରମିକ ଓ ଚାରିମାସ ହେବ ଠିକା ଶ୍ରମିକ, ସୁରକ୍ଷାକର୍ମୀ ମାନଙ୍କୁ ଦରମା ମିଳି ନାହିଁ। ଅବସରପ୍ରାପ୍ତ ଶ୍ରମିକ ଓ ମୃତ ଶ୍ରମିକଙ୍କ ପରିବାରକୁ ପି ଏଫ୍, ଗ୍ରାଚ୍ୟୁଇଟି ପେନସନ, ବକେୟା ପାଉଣା ମିଳିନାହିଁ।

ପ୍ରକାଶଯୋଗ୍ୟ, ୨୦୨୦ ଫେବ୍ରୁଆରି ୨୬ ରେ ଏ କାରଖାନାର ମାଲିକାନା ମଦର ଆର୍ଥ୍ କମ୍ପାନି ଅଧିନକୁ ଯିବାର ସାଢ଼େ ତିନିବର୍ଷ ପରେ ବି କାଗଜକଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଚାଲି ନାହିଁ। କଞ୍ଚାମାଲ ମାତ୍ର ଦିନେ ପାଇଁ ବି ରହୁନି। ଦୁଇଶହ ଟନ୍ ବିଶିଷ୍ଟ କାଗଜକଳକୁ ଲଗାତାର ଚଲେଇବା ପାଇଁ ଅନ୍ତତଃ ପକ୍ଷେ ୧୫ ଦିନର କଞ୍ଚାମାଲ କେମିକାଲ କୋଇଲା ଓ ଯନ୍ତ୍ରାଂଶ ସବୁ ଜମା କରି ରଖିବା କଥା। କିନ୍ତୁ ସେଭଳି ଜମା ହୋଇ ରହୁନାହିଁ। କାଗଜକଳର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ସେ ଗତ ଡିସେମ୍ବର -୦୯ ତାରିଖରେ ବୈଠକ ଡକେଇ ଶେଷ ମୁହୁର୍ତ୍ତରେ ବାତିଲ କରିଦେବା ପରେ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନି। ଅପର ପକ୍ଷରେ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ଶିଳ୍ପମନ୍ତ୍ରୀ , ଫାଇଭ୍ଟି- ସଚିବଙ୍କୁ ଭେଟିବା ପରେ ବି ଏହା ସଂପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି। କାରଖାନାର ବର୍ତ୍ତମାନର ସ୍ଥିତି ରାଜ୍ୟ ସରକାର, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କ ସମ୍ମୁଖକୁ ଆଣିବା ପାଇଁ ରାଜ ରାସ୍ତାକୁ ଓହ୍ଲେଇଛନ୍ତି। ଯଦି ଆଗାମୀ ୧୫ ଦିନ ଭିତରେ କମ୍ପାନି ମ୍ୟାନେଜମେଣ୍ଟ କାରଖାନା ନଚଲାଏ ତେବେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସବୁବର୍ଗର ଜନସାଧାରଣଙ୍କ ସମର୍ଥନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ସେପରି ଆଗାମୀ ବିଧାନସଭା ଅଧିବେଶନ ରେ ରାଜଧାନୀରେ ବି ବିକ୍ଷୋଭ କରିବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର