ହାଇଭୋଲଟେଜ୍ ବିଦ୍ୟୁତ୍ ଟାୱାର ଭାଙ୍ଗିଲା: ଭୂଇଁରେ ପଡ଼ିଛି ତାର, ଗ୍ରାମବାସୀ ଆତଙ୍କିତ

ଲେଫ୍ରିପଡ଼ା(ସୁନ୍ଦରଗଡ଼): କେନାପାଲି ପୁଲିଂ ଷ୍ଟେସନରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟକୁ ଟାୱର ଲାଇନ୍ ଦ୍ବାରା ବିଦ୍ୟୁତ୍ ସରବରାହ ହୋଇ ଆସୁଛି। ତେବେ ଏହି ବିଦ୍ୟୁତ୍ ଟାୱରଗୁଡିକ ଅତି ଖାମଖିଆଲି ଭାବେ ଗାଁ ଗହଳ ତଥା ଜନବସତି ଦେଇ ଯାଇଥିବା ବେଳେ ଅନେକ ସମୟରେ ଅଭାବନୀୟ ଘଟଣାମାନ ଘଟୁଛି।

ପ୍ରଥମତଃ ନିମ୍ନମାନର ଟାୱର ସ୍ଥାପନ ମୁଖ୍ୟ କାରଣ ହୋଇଥିବା ବେଳେ ବିନା ଝଡତୋଫାନରେ ସେସବୁ ଭାଙ୍ଗିଭୁଷୁଡି ଜନଜୀବନର ବିପୁଳ କ୍ଷତି କରୁଛି। ନିକଟ ଅତୀତରେ କେନାପାଲି ନିକଟରେ ଏଭଳି ଟାୱର ଭୁଷୁଡି ନିକଟସ୍ଥ ଗ୍ରାମବାସୀଙ୍କ ବହୁ କ୍ଷୟକ୍ଷତି ହୋଇଥିଲା। ଗତକାଲି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ନାକଡିହି ଗ୍ରାମ ନିକଟରେ ବିନା ଝଡ଼ବତାସରେ ଏକ ବଡ଼ ଟାୱର ଭାଙ୍ଗି ନଇଁ ପଡ଼ିବା ଯୋଗୁଁ ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସବୁ ଛିଣ୍ଡି ଓହଳି ରାସ୍ତା ଓ ସ୍ଥାନୀୟ ଗାଧୁଆ ପୋଖରୀରେ ପଡ଼ି ରହିଛି। ଏହି ଲାଇନ୍ ଟି କେନାପାଲି ପୁଲିଂ ଷ୍ଟେସନ ଗ୍ରିଡ୍ ରୁ ବେଲପାହାଡ଼ ଅଞ୍ଚଳକୁ ଯାଇଥିବା କୁହାଯାଉଛି। ତେବେ ତାରରେ କରେଣ୍ଟ ଅଛି ନା ବନ୍ଦ ହୋଇଛି ତାହା ଜଣା ପଡ଼ିନାହିଁ।

ତେବେ ଏଭଳି ଘଟଣା ତଥା ହାଇଭୋଲଟେଜ ତାରକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଏହା ଭାଙ୍ଗିପଡ଼ିବାର ଦୁଇ ଦିନ ଅତିକ୍ରାନ୍ତ ସତ୍ତ୍ବେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ନାହିଁ। ଏଣୁ ଏ ଦିଗରେ ପୁଲିଂ ଷ୍ଟେସନ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର