ଜିଲ୍ଲା ହସ୍‌ପିଟାଲ୍‌ରେ ମିଳିଲାନି ଚିକିତ୍ସା, ଶିଶୁକନ୍ୟାକୁ ଜନ୍ମ ଦେଇ ଆଖିବୁଜିଲା ମା’

କେନ୍ଦ୍ରାପଡ଼ା: ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଆଖିବୁଜିଲା ମା’। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାରେ ହସ୍ତକ୍ଷେପ କରି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ବ୍ୟବଚ୍ଛେଦ ଶବ ଗାଁକୁ ପଠାଇ ଦେଇଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ ଜମ୍ଭୁ ମେରାଇନ ଥାନା ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ପତ୍ନୀ ରିଦ୍ଧି ରାୟ(୨୨)ଙ୍କ ପ୍ରସବକାଳୀନ ଯନ୍ତ୍ରଣା ହେବାରୁ ଗତ ୧୪ତାରିଖରେ ପରିବାର ଲୋକେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ହସ୍ପିଟାଲ୍‌କୁ ରେଫର‌୍‌ କରି ଦେଇଥିଲେ। ସେହି ଦିନ ରାତିରେ ଜିଲ୍ଲା ହସ୍ପିଟାଲ୍‌ର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୧୫ତାରିଖ ଅପରାହ୍ନ ୪ଟା ବେଳେ ଡାକ୍ତର ଅସ୍ତ୍ରୋପଚାର କରିବା ପରେ ରିଦ୍ଧି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ରାତି ପ୍ରାୟ ୧୨ଟା ବେଳେ ରିଦ୍ଧି ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ଧିରେ ଧିରେ ବଢ଼ିବାରୁ ପରିବାର ଲୋକ ଏ ସ˚କ୍ରାନ୍ତରେ ଡାକ୍ତରଙ୍କୁ ଜଣାଇଥିଲେ। ମାତ୍ର ଡାକ୍ତର ଶୁଣି ନ ଥିଲେ। ବାରମ୍ବାର ନେହୁରା ହେବା ପରେ ବି ଡାକ୍ତର ଦେଖିବା ପାଇଁ ନ ଆସିବାରୁ ରାତି ସାଢେ଼ ୪ଟା ଯାଏ ରିଦ୍ଧିଙ୍କ ପ୍ରାଣ ଚାଲି ଯାଇଥିଲା ବୋଲି ଦେଢ଼ଶ୍ବର କଲ୍ୟାଣ ରାୟ ସଦର ଥାନାରେ ଅଭିଯୋଗ କରିଛନ୍ତି।

ଏ କଥା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅସ୍ତ୍ରୋପଚାର ପାଇଁ ନର୍ସ ଖର୍ଚ୍ଚ ବାବଦକୁ ତାଙ୍କୁ ୧୦ହଜାର ଟଙ୍କା ଦାବି କରିଥିଲେ। ମାତ୍ର ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବା ସହିତ ୩ହଜାର ଟଙ୍କା ଦେଇଥିଲେ। ସେହି ଟଙ୍କା ନର୍ସ ନେବା ପରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ଅବଶିଷ୍ଟ ଟଙ୍କା କାର୍ଯ୍ୟରତ ନର୍ସ ତାଙ୍କୁ ମାଗିଥିଲେ। କିନ୍ତୁ ନ ଦେବାରୁ ଡାକ୍ତର ଜାଣିଶୁଣି ଚିକିତ୍ସାରେ ଅବହେଳା କରିବାରୁ ରିଦ୍ଧିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ ଯଦି ସତରେ ନର୍ସ ଅପରେସନ୍‌ ପାଇଁ ଟଙ୍କା ନେଇଥିବା ଅଭିଯୋଗ ସତ, ତା’ ହେଲେ ସା˚ଘାତିକ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଅପେକ୍ଷା ରଖୁଛି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ମେଡିକାଲ୍‌) ଡାକ୍ତର ପି.କେ ପ୍ରହରାଜ କହିଛନ୍ତି ଅଭିଯୋଗ ହସ୍ତଗତ ହୋଇଛି। ଏହାର ନିରପେକ୍ଷ ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ପ୍ରସୂତିଙ୍କ ମୃତ୍ୟୁ ଘଟିଲା, ତାହାର ଫୁଙ୍ଖାନୁଫୁଙ୍ଖ ଯା˚ଚ ହେବ। ଏଥିରେ ଯିଏ ଦୋଷୀ ବାହାରିବ, ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର