ଅନିଚ୍ଛା-ମୃତ୍ୟୁ

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତାଙ୍କ ରଚିତ ପୁସ୍ତକ ‘ଦି ଡିକ୍ଲାଇନ୍ ଅଫ୍ ଦି ୱେଷ୍ଟ୍’(‘ପାଶ୍ଚାତ୍ୟ ସଭ୍ୟତାର ଅବକ୍ଷୟ’) ମାଧ୍ୟମରେ ଏକ ତୀବ୍ର ବୌଦ୍ଧିକ ବିବାଦ ସୃଷ୍ଟି କରିଥିବା ଜର୍ମାନ୍ ଐତିହାସିକ-ଦାର୍ଶନିକ ଅସ୍‌ୱାଲ୍‌ଡ୍ ସ୍ପେଙ୍ଗ୍‌ଲର୍ ତାଙ୍କର ସେଇ ପ୍ରସିଦ୍ଧ ରଚନାରେ ପ୍ରକାଶ କରିଥିବା ବହୁସଂଖ୍ୟକ ଗଭୀର ଚିନ୍ତା-ଉଦ୍ରେକକାରୀ ମତାମତମାନଙ୍କ ମଧ୍ୟରୁ ଗୋଟିଏ ଥିଲା ମନୁଷ୍ୟ ଓ ମୃତ୍ୟୁ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧିତ। ସ୍ପେଙ୍ଗ୍‌ଲର୍ ସେଥିରେ କହିଥିଲେ ଯେ ସଂସାରରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ମୃତ୍ୟୁ ବିଷୟରେ ଜାଣେ। ଅନ୍ୟ ପ୍ରାଣୀମାନଙ୍କର ମଧ୍ୟ ବୟସ ବୃଦ୍ଧି ଘଟି ଚାଲେ, କିନ୍ତୁ ସେମାନଙ୍କର ସମଗ୍ର ଚେତନା କେବଳ ସେମାନେ ଜୀବିତ ଥିବା ସେଇ ମୁହୂର୍ତ୍ତଟି ମଧ୍ୟରେ ସୀମିତ ଥାଏ ଯାହା ନିଶ୍ଚିତ ରୂପେ ସେମାନଙ୍କୁ ଅନନ୍ତ କାଳ ଭଳି ପ୍ରତୀୟମାନ ହୋଇଥାଏ। ମନୁଷ୍ୟ କେବଳ ବଞ୍ଚି ନ ଥାଏ, ସେ ବଞ୍ଚିଛି ବୋଲି ମଧ୍ୟ ଜାଣିଥାଏ ଏବଂ ମୃତ୍ୟୁରେ ଏହାର ଅନ୍ତ ଘଟିବ ବୋଲି ତାକୁ ଜଣାଥାଏ। ଅପରପକ୍ଷେ ଏକ ପଶୁ କେବଳ ବଞ୍ଚିଥାଏ, କିନ୍ତୁ ସେ ବଞ୍ଚିଛି ବୋଲି ଜାଣି ନ ଥାଏ କିମ୍ବା ମୃତ୍ୟୁ ଅଛି ବୋଲି ତାକୁ ଜଣା ନ ଥାଏ; ତା’ ସମ୍ମୁଖରେ ଅନ୍ୟ ଏକ ପଶୁର ମୃତ୍ୟୁ ଘଟିଲେ ମଧ୍ୟ ସେ ତାହାର ତାତ୍ପର୍ଯ୍ୟ ବୁଝି ପାରି ନ ଥାଏ। ମୃତ୍ୟୁ ସମ୍ବନ୍ଧରେ ଏହି ଜ୍ଞାନ ମନୁଷ୍ୟଠାରେ ମୃତ୍ୟୁ ପ୍ରତି ଏକ ଜୀବନବ୍ୟାପୀ ଭୟ ସୃଷ୍ଟି କରିଥାଏ।

ସ୍ପେଙ୍ଗ୍‌ଲର୍‌ଙ୍କ ମତରେ ‘‘ମୃତ୍ୟୁ ପ୍ରତି ମନୁଷ୍ୟର ଏହି ମୌଳିକ ଭୟ ହିଁ ହେଉଛି ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ବୈଜ୍ଞାନିକ ଅନୁସନ୍ଧାନ, ପ୍ରତ୍ୟେକ ଦର୍ଶନର ମୂଳ ଉତ୍ସ।’’ ଅର୍ଥାତ୍ ମୃତ୍ୟୁର ଭୟ ହେଉଛି ପ୍ରତ୍ୟେକ ମାନବୀୟ ଉଦ୍ୟମ ଓ ଉପଲବ୍‌ଧି ପଛରେ ନିହିତ ଥିବା ମୌଳିକ ପ୍ରେରଣା। କିନ୍ତୁ ମୃତ୍ୟୁର ଭୟ ମନୁଷ୍ୟର ଜୀବନର ଏପରି ରୂପାୟନ କରିଥିଲେ ହେଁ, ଏକ ବ୍ୟକ୍ତିର ଜୀବନରେ ଏପରି ଏକ ସମୟ ଆସିପାରେ, ଯେତେବେଳେ ତାକୁ ଏହି ଭୟ ପରିତ୍ୟାଗ କରି ମୃତ୍ୟୁକୁ ସ୍ବାଗତ କରିବା ଆବଶ୍ୟକ ହୋଇ ପାରେ, କିନ୍ତୁ ଏଥିପାଇଁ ସେ ଆଦୌ ପ୍ରସ୍ତୁତ ନ ଥାଏ। ଏହି ଦୃଷ୍ଟିକୋଣରୁ ଏହି ସମ୍ବାଦପତ୍ରର ଅଧିକାଂଶ ପାଠକ ପାଠିକା ନିଶ୍ଚିତ ରୂପେ ‘ଆର୍ଟ ଅଫ୍ ଲିଭିଙ୍ଗ୍’ (‘ବଞ୍ଚିବାର କଳା’) ତାଲିମ ଶିବିରମାନ ଭଳି ‘ଆର୍ଟ ଅଫ୍ ଡାଇଙ୍ଗ୍’ (‘ମରିବାର କଳା’) ତାଲିମ ଶିବିରମାନ ଆୟୋଜନ କରାଯିବା ପାଇଁ ସୋମବାର ଦିନ ପ୍ରକାଶିତ ତାଙ୍କ ରଚନାରେ ସ୍ତମ୍ଭକାର ଭଗବାନପ୍ରକାଶ ଦେଇଥିବା ଆହ୍ବାନ ସହିତ ଏକମତ ହୋଇଥିବେ।

କିନ୍ତୁ ଏଭଳି ଶିବିରରେ ଯୋଗଦାନ କରି ନିଜ ମନ ଭିତରେ ମୃତ୍ୟୁ ପ୍ରତି ଥିବା ଭୟକୁ ଦମନ କରିବାରେ ସଫଳ ହେବା ପରେ କେତେ ଜଣଙ୍କ ପାଇଁ ଇଚ୍ଛାମୃତ୍ୟୁ ଲାଭ ଏକ ବାସ୍ତବ ବିକଳ୍ପର ରୂପ ନେବ, ତାହା ଏକ ବିରାଟ ପ୍ରଶ୍ନବାଚୀ। ଅଧିକାଂଶଙ୍କ ପାଇଁ ଯେତେବେଳେ ସେପରି ସମୟ ଉପସ୍ଥିତ ହୁଏ, ସେତେବେଳେ ପିଲାମାନେ କିମ୍ବା ଜ୍ଞାତି କୁଟୁମ୍ବମାନେ ତାଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରିଦିଅନ୍ତି। ସେଠାରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ ଆଦି ଏହି ମନୁଷ୍ୟ ଶରୀରଟିକୁ ପାଇଯିବା ପରେ ସେଥି ପ୍ରତି ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମ୍ପୂର୍ଣ୍ଣ ନିଃସନ୍ଦେହ ଥା’ନ୍ତି: ତାହା ହେଲା ଉପଲବ୍‌ଧ ସମସ୍ତ ଜ୍ଞାନକୌଶଳ ଓ ଉପକରଣମାନ ପ୍ରୟୋଗ କରି ସେ ଶରୀରଟିକୁ ଜୀବନ୍ତ ଅବସ୍ଥାରେ ରଖିବା। ଇତି ମଧ୍ୟରେ ହୁଏ’ତ ଶରୀରଟିର ମାଲିକ ନିଜର ବୋଧ ଶକ୍ତି କିମ୍ବା ନିଷ୍ପତ୍ତି ଗ୍ରହଣ ଶକ୍ତି କିମ୍ବା ମନୋଭାବ ପ୍ରକାଶ ଶକ୍ତି ହରାଇ ସାରିଥିବେ। ସେ ‘ମରିବା କଳା’ ଶିବିରରେ ତାଲିମ ନେଇଥିଲେ ମଧ୍ୟ ତାଲିମକୁ କାର୍ଯ୍ୟରେ ଲଗାଇ ତାଙ୍କର ସମସ୍ତ ପ୍ରକାର ତଥାକଥିତ କୃତ୍ରିମ ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା ବନ୍ଦ କରି ତାଙ୍କୁ ଏଭଳି ଏକ ବନସ୍ପତି ଜୀବନରୁ ମୁକ୍ତି ଦେବା ପାଇଁ ସେ କାହାରିକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ କିମ୍ବା ଅନୁରୋଧ କରିପାରିବେ ନାହିଁ।

ଆଉ ଯଦି ବି ସେ ନିଜର ଏହି ନିଷ୍ପତ୍ତି ଜଣାଇ ପାରିବା ଅବସ୍ଥାରେ ଥା’ନ୍ତି, ତାଙ୍କର ନିର୍ଦ୍ଦେଶ ଯେ ଆଦୌ ପାଳନ କରା ହେବ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଏହା କେବଳ ଯେ ଅନୈତିକ ବୋଲି ବିଚାର କରାଯିବ, ତାହା ନୁହେଁ, ଏହା ମଧ୍ୟ ଆଇନବିରୁଦ୍ଧ। ଏହାର ସମାଧାନର ଏକ ବାଟ ହୋଇପାରେ ବ୍ୟକ୍ତିକୁ ଆଇନଗତ ଅଧିକାର ପ୍ରଦାନ କରିବା, ଯାହା ବଳରେ ସେ ନିଜର ସ୍ବାଧୀନ ନିଷ୍ପତ୍ତି ଗ୍ରହଣ କରି ପାରୁଥିବା ସମୟରେ ନିଜର ଅନ୍ତିମ ଚିକିତ୍ସା ସମ୍ବନ୍ଧରେ ଅଗ୍ରିମ ନିର୍ଦ୍ଦେଶ ପ୍ରଦାନ କରିପାରିବେ; ଯାହାର ପାଳନ ବାଧ୍ୟତାମୂଳକ ହେବ। ଅନେକ କିନ୍ତୁ ଏପରି ଏକ ଆଇନଗତ ବ୍ୟବସ୍ଥାକୁ ଏକ ଖସଡ଼ା ଗଡ଼ାଣି ରୂପେ ବିଚାର କରିଥା’ନ୍ତି। ଶେଷ ସମୟରେ ଆବଶ୍ୟକ ସେବା ପ୍ରଦାନର ବୋଝ ଦ୍ବାରା ଅତିଷ୍ଠ ହୋଇ ପଡ଼ିଥିବା ପରିବାରର ‌ସଦସ୍ୟମାନେ ଶେଷ-ଶଯ୍ୟାଶାୟୀ ବ୍ୟକ୍ତିଙ୍କ ଉପରେ ଆଇନର ସୁଯୋଗ ନେଇ ତାଙ୍କର ଇଚ୍ଛା ବିରୋଧରେ ଏକ ‘ଇଚ୍ଛାମୃତ୍ୟୁ’ ଲଦି ଦେଇ ପାରନ୍ତି। ସେବା ପ୍ରଦାନର ଆର୍ଥିକ ବୋଝ ମଧ୍ୟ ଏଭଳି ପରିଣାମ ସୃଷ୍ଟି କରିପାରେ।

ଏହାର ଅନ୍ୟ ଏକ ପାର୍ଶ୍ବ ରହିଛି, ଯେଉଁଠି ପରିଣାମ ସମାନ ହୋଇଥିଲେ ହେଁ, ଏଥିରେ ନିହିତ ହୃଦୟହୀନତା ଏପରି ନଗ୍ନ ରୂପ ଧାରଣ କରି ନ ଥାଏ। ଏପରି ଏକ ଆଇନ ଉପଲବ୍‌ଧ ହେବା ପରେ ଅବିରତ, ବ୍ୟୟବହୁଳ ସେବା ଆବଶ୍ୟକ କରୁଥିବା ମୃତ୍ୟୁମୁଖୀ-ବିବେଚିତ ବ୍ୟକ୍ତିମାନେ ଇଚ୍ଛା ମୃତ୍ୟୁ ବରଣ କରିବାକୁ ଏକ ନିରବ କିନ୍ତୁ ଅସହନୀୟ ସାମାଜିକ କିମ୍ବା ନୈତିକ ଚାପର ସମ୍ମୁଖୀନ ହୋଇ ପାରନ୍ତି। ମରଣ ଯେତେବେଳେ ଯମ ହାତରେ ଥାଏ ବୋଲି ବିଶ୍ବାସ କରାଯାଏ, ସେତେବେଳେ ଏଭଳି ଚାପ ଦେଖାଯାଏ ନାହିଁ କିମ୍ବା ନଗଣ୍ୟ ହୋଇଥାଏ; କିନ୍ତୁ ଆଇନ ପ୍ରଣୟନ ପରେ ମରିବାର ନିଷ୍ପତ୍ତି ଯେତେବେଳେ ସମ୍ପୃକ୍ତ ବ୍ୟକ୍ତିର ନିୟନ୍ତ୍ରଣ ଅଧୀନକୁ ଚାଲି ଆସିବ, ସେତେବେଳେ ଏହି ଚାପ ତୀବ୍ର ରୂପ ଗ୍ରହଣ କରି ତାକୁ ଅସ୍ତବ୍ୟସ୍ତ କରି ଦେଇପାରେ। ଅବଶ୍ୟ ଏ ଭଳି ଅସ୍ବସ୍ତି ଯଦି କେବଳ ଅସ୍ବସ୍ତି ସ୍ତରରେ ରହେ, ଆଇନ ପ୍ରଣୟନ ବିରୋଧରେ ତାହା ଏକ ଯଥେଷ୍ଟ ବଳିଷ୍ଠ ଯୁକ୍ତି ରୂପେ ବିବେଚିତ ହେବ ନାହିଁ। ବାସ୍ତବରେ ଇଚ୍ଛାମୃତ୍ୟୁ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ସେ ନିଷ୍ପତ୍ତି ନେବା ଅଧିକାରରୁ ବଞ୍ଚିତ କରିବା ପାଇଁ କେତେକଙ୍କର ଅସ୍ବସ୍ତି ଏକ ଯଥାର୍ଥ କାରଣ ହୋଇ ପାରିବ ନାହିଁ।

ପୁଣି, ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ପ୍ରବଣ ହୋଇପଡ଼ିଥିବା ବ୍ୟକ୍ତିମାନଙ୍କୁ ଏହି ଇଚ୍ଛାମୃତ୍ୟୁ ଅଧିକାର ପ୍ରଦାନ କରାଯାଇ ପାରିବ କି ନାହିଁ, ତାହା ମଧ୍ୟ ଏକ ବିବଦମାନ ପ୍ରଶ୍ନ ହୋଇ ରହିବ। ଏଭଳି ଆତ୍ମହତ୍ୟା ପ୍ରବଣତା ମଧ୍ୟ ଛାଇ ଆଲୁଅ ଭଳି କେତେବେଳେ ଦେଖା ଦେଇପାରେ ତ କେତେବେଳେ ଲୁଚି ଯାଇ ପାରେ, ଯାହା ସମସ୍ୟାକୁ ଆହୁରି ଜଟିଳ କରି ଦେବ। ଡିମେନ୍‌ସିଆ କିମ୍ବା ଆଲ୍‌ଜହାଇମର୍ ରୋଗୀମାନେ ପୂର୍ବରୁ ନିଜର ଇଚ୍ଛାମୃତ୍ୟୁ ନିଷ୍ପତ୍ତି ଲିପିବଦ୍ଧ କରିଥିଲେ ହେଁ, ଠିକଣା ସମୟରେ ସେମାନଙ୍କ ମନରେ ଯେ ପରିବର୍ତ୍ତନ ଘଟି ନ ଥିବ, ତାହା ଠଉରାଇବା ସହଜ ନୁହେଁ। ଯଦି ଇଚ୍ଛାମୃତ୍ୟୁକୁ ବୈଧତା ପ୍ରଦାନ କରି କେବେ ଆଇନ ପ୍ରଣୟନ କରାଯାଏ, ସେତେବେଳେ ଏ ଭଳି କୌଣସି ସମ୍ଭାବ୍ୟ ଅଘଟଣମାନଙ୍କ ମଧ୍ୟରୁ କିଛି ବି ନ ଘଟିବା ପାଇଁ ଆବଶ୍ୟକ ମେଡିକାଲ୍ ଯାଞ୍ଚ ନିମିତ୍ତ ଆଇନରେ କଡ଼ାକଡ଼ି ବ୍ୟବସ୍ଥା ରଖିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଶେଷରେ ଇଚ୍ଛାମୃତ୍ୟୁ ଏଭଳି କଠୋର ସର୍ତ୍ତମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବ ଯେ, ତାହାର ଅସଲ ସ୍ବରୂପକୁ ଦେଖିବାକୁ ମିଳିପାରେ ବ୍ୟକ୍ତିର କଳ୍ପିତ ଇଚ୍ଛା ମୃତ୍ୟୁଠାରୁ ବହୁ ଦୂରରେ। ‘ମରିବାର କଳା’ରେ ଯେତେ ତାଲିମ ଗ୍ରହଣ କରିଥିଲେ ହେଁ, ସେ ଶେଷରେ ଯେଉଁ ମୃତ୍ୟୁ ଲାଭ କରିବ ତାହା ଇଚ୍ଛାମୃତ୍ୟୁ ନ ହୋଇ ଅନିଚ୍ଛା-ମୃତ୍ୟୁ ହୋଇଥିବା ସମ୍ଭାବନା ହେବ ପୂର୍ବ ଭଳି ବହୁ ଅଧିକ।

ସମ୍ବନ୍ଧିତ ଖବର