କେରଳରେ ଆରମ୍ଭ ହେଲା ଏକ ଲିଙ୍ଗୀ ସ୍କୁଲ୍ ୟୁନିଫର୍ମ

ଦର୍ପଣ

କେରଳର ସ୍କୁଲ୍‌ମାନଙ୍କରେ ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ସମାନ ପ୍ରକାର ୟୁନିଫର୍ମ ଲାଗୁ କରିବାର ଅଭିଯାନ ଆରମ୍ଭ ହୋଇଯାଇଛି। କେରଳର ବଲୟନଚିରଙ୍ଗରାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତିନି ବର୍ଷ ହେଲା ଏଭଳି ଏକ ଲିଙ୍ଗୀ ସ୍କୁଲ୍‌ ପୋଷାକ ବ୍ୟବସ୍ଥା ପ୍ରଚଳିତ ହୋଇ ଆସିଛି। ତେବେ, ଏହାର ସଫଳତା ପରେ ଏହି ମଡେଲ୍‌କୁ ଅନୁକରଣ କରି କେରଳର ଏକ ଡଜନ୍‌ରୁ ଅଧିକ ସ୍କୁଲ୍‌ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ୟୁନିଫର୍ମ ନିୟମ ଲାଗୁ କରିସାରିଲେଣି। ଏବେ ସମଗ୍ର କେରଳ ରାଜ୍ୟରେ ଏହାକୁ ଲାଗୁ କରିବା ଲାଗି ଶାସକ କମ୍ୟୁନିଷ୍ଟ ଦଳ ବିଶେଷ ଭାବେ ଆଗ୍ରହୀ ହୋଇ ଉଠିଛି। କେତେକ ମହିଳା ଅଧିକାର ଗୋଷ୍ଠୀ ମଧ୍ୟ ଏହାର ସମର୍ଥନ କରୁଛନ୍ତି। ଏହି ପରିବର୍ତ୍ତନ ଲିଙ୍ଗ ବିଭାଜନକୁ ଦୂର କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

କେରଳର ସାକ୍ଷରତା ହାର ଦେଶରେ ସର୍ବାଧିକ। କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସାକ୍ଷରତା ହାର କମ୍। ସେହିପରି ସମାଜର ଅନେକ କ୍ଷେତ୍ରରେ ଏବେ ବି ମହିଳାଙ୍କୁ ପୁରୁଷପ୍ରାଧାନ୍ୟ ବିଚାରର ବୋଝ ମୁଣ୍ଡାଇବାକୁ ପଡୁଛି। ତେଣୁ ଅଳ୍ପ ବୟସରୁ ପିଲାମାନେ ଗୋଟିଏ ପ୍ରକାର ୟୁନିଫର୍ମ ପରିଧାନ କଲେ ତାହା ସେମାନଙ୍କ ମନରୁ ଲିଙ୍ଗ ଭେଦର ଭାବନା ଦୂର କରିବ ବୋଲି ଅନେକ ଆଶା ପୋଷଣ କରନ୍ତି। କେବଳ ସେତିକି ନୁହେ, ଝିଅମାନେ ସ୍କର୍ଟ‌୍ ବଦଳରେ ପ୍ୟାଣ୍ଟ୍‌ ପିନ୍ଧିଲେ ଖେଳକୁଦରେ ଭାଗ ନେବା ଅଧିକ ସହଜ ହୋଇପାରିବ।

ତେବେ କେତେକ ମୁସଲମାନ ଗୋଷ୍ଠୀ ଏଭଳି ୟୁନିଫର୍ମର ବିରୋଧ କରିଛନ୍ତି। କିନ୍ତୁ ଲୈଙ୍ଗିକ ସାମ୍ୟ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ଅଧିକାଂଶ ଏକମତ।

ସମ୍ବନ୍ଧିତ ଖବର