ପ୍ରାଚୀର ଚିତ୍ରରେ ଓଡ଼ିଶା

ଶ୍ୟାମସୁନ୍ଦର ଅଗ୍ରୱାଲା

ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କେନ୍ଦ୍ରବିନ୍ଦୁ ରାଜମହଲ ଛକ ଫ୍ଲାଇଓଭର ତଳେ ଚାରିଟି ପ୍ରାଚୀର ଚିତ୍ର ଅଙ୍କା ହୋଇଛି। ଗୋଟିଏ ଚିତ୍ରରେ ଜଣେ ଯୁବକ ଠେଲା ଗାଡ଼ିରେ କଦଳୀ ବିକୁଛି, ଦ୍ବିତୀୟ ଚିତ୍ରରେ ଜଣେ ଯୁବକ ସାଇକେଲରେ ଦୁଇଟି ଡେକଟି ବାନ୍ଧି ଦହିବରା ଆଳୁଦମ ବିକୁଛି, ତୃତୀୟ ଚିତ୍ରରେ କେତେ ଜଣ ଲୋକ ମୁଣ୍ଡ ଉପରେ ରଖି ମାଲ ବୋହୁଛନ୍ତି ଓ ଚତୁର୍ଥ ଚିତ୍ରରେ ଚାରିପାଞ୍ଚଜଣ ଯୁବକ ଗୋଟିଏ ପରିବା ବୋଝେଇ ଟ୍ରକ୍‌ ଉପରେ ଖଲାସୀ ବେଶରେ ବସିଛନ୍ତି। ଏହି ସମସ୍ତ ବୃତ୍ତିକୁ ସମ୍ମାନ ପ୍ରଦର୍ଶନ କରି ଗୋଟିଏ ପ୍ରଶ୍ନ କରାଯାଇପାରେ ଯେ ଉପରୋକ୍ତ ଯୁବକମାନେ କ’ଣ ଏହି ସବୁ ବୃତ୍ତିରେ ଯୋଗ ଦେବା ପାଇଁ ପିଲାଟି ଦିନୁ ସପ୍ନ ଦେଖୁଥିଲେ ନା ପରିସ୍ଥିତିର ଚାପରେ ପଡ଼ି ଏହାକୁ ଆଦରି ନେଇଛନ୍ତି? ଯଦି ପରିସ୍ଥିତିର ଚାପରେ ବଶବର୍ତ୍ତୀ ହୋଇ ଏହି ସବୁ ବୃତ୍ତି ସେମାନେ ବାଧ୍ୟବାଧକତାରେ ଆଦରି ନେଇଛନ୍ତି, ତେବେ ରାଜ୍ୟର ଏକ ପ୍ରମୁଖ ଛକ ଯେଉଁଠି ପ୍ରତ୍ୟହ ହଜାର ହଜାର ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି, ସେମାନଙ୍କୁ କାହିଁକି ଏହିପରି ଚିତ୍ର ପ୍ରଦର୍ଶନ କରାଯାଉଛି? ଏହା କ’ଣ ଆମ ଯୁବ ସମାଜର ସ୍ବପ୍ନ ନା ଏହା ହିଁ ବର୍ତ୍ତମାନ ଆମ ରାଜ୍ୟର ପରିଚୟ?

ପିଲାଦିନେ ଆମେମାନେ ଓଡ଼ିଆ ସାଧବମାନଙ୍କର ସମୁଦ୍ର ପଥରେ ଜାଭା, ସୁମାତ୍ରା ଓ ବାଲିଦ୍ୱୀପ ସହିତ ଆମଦାନି ଓ ରପ୍ତାନି ବ୍ୟବସାୟର ଚିତ୍ର ଦେଖୁଥିଲୁ। ଏହାକୁ ଦେଖି ଆମେ ଗର୍ବ ଅନୁଭବ କରିବା ସହିତ ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଉତ୍ସାହିତ ହେଉଥିଲୁ। କୋଣାର୍କ ଓ ଧର୍ମପଦର ଚିତ୍ର ଦେଖି ଓଡ଼ିଶାର ସ୍ଥାପତ୍ୟ କଳା ପ୍ରତି ଅନୁପ୍ରାଣିତ ହେଉଥିଲୁ। ପାଠ୍ୟ ପୁସ୍ତକମାନଙ୍କରେ ଚିତ୍ର ଦେଖି ପଢୁଥିଲୁ “କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସାଙ୍ଗେ ଲଢ଼ିବି।” ସ୍କୁଲ କାନ୍ଥମାନଙ୍କରେ ପଗଡ଼ିପିନ୍ଧା ମଧୁବାବୁଙ୍କ ଚିତ୍ର ଦେଖି ବାରିଷ୍ଟର ହେବାର ସ୍ୱପ୍ନ ଦେଖୁଥିଲୁ। ଏବେ କିନ୍ତୁ ପ୍ରାଚୀର ଚିତ୍ରରେ ଯୁବକମାନଙ୍କର କଦଳୀ ଓ ଦହିବରା ଆଳୁଦମ ବିକିବାର ଚିତ୍ର ପ୍ରଦର୍ଶିତ ହେଉଛି। ଟ୍ରକ୍‌ମାନଙ୍କ ଉପରେ ଖଲାସୀ ମାନଙ୍କର ଦାରିଦ୍ର୍ୟର ଚିତ୍ର ଅଙ୍କା ଯାଉଛି। ଥରେ ଭାବନ୍ତୁ ତ, ଯେଉଁ ଯୁବସୁଲଭ ଛାତ୍ରଛାତ୍ରୀମାନେ ରାଜଧାନୀର ପେଣ୍ଠ ସ୍ଥଳରେ ଏହି ସବୁ ଚିତ୍ର ଦେଖୁଥିବେ ସେମାନେ କିଭଳି ଜୀବନରେ ଡାକ୍ତର, ଇଞ୍ଜିନିୟର, ବାରିଷ୍ଟର, ଶିକ୍ଷାବିତ, ସ୍ଥପତି କିଂବା ଉଦ୍ୟୋଗପତି ହେବାର ସ୍ବପ୍ନ ଦେଖିବେ? ଭୂତପୂର୍ବ ରାଷ୍ଟ୍ରପତି ଅବଦୁଲ କାଲାମ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହୁଥିଲେ ଯେ ଜୀବନରେ ବଡ଼ ବଡ଼ ସପ୍ନ ଦେଖ। ସ୍ବପ୍ନ ଶୋଇକି ଦେଖନାହିଁ, ଏମିତି ସ୍ବପ୍ନ ଦେଖ ଯାହା ତୁମକୁ ଶୋଇବାକୁ ଦେବ ନାହିଁ।

ଆଜି କିନ୍ତୁ ଆମେମାନେ ନିଘୋଡ଼ ନିଦରେ ଶୋଇ ଦାଦନ ଶ୍ରମିକ ହେବାର ସପ୍ନ ଦେଖୁଛୁ। ମୁମ୍ବାଇ ଆଉ ସୁରାଟ ହେଉଛି ଆମର ସ୍ବପ୍ନର ନଗରୀ। ମା’ ଓ ମାଟିକୁ ଛାଡ଼ି ଆମେ ଅନ୍ୟମାନଙ୍କର ସ୍ୱପ୍ନ ସାକାର କରିବା ନିମନ୍ତେ ଦାଦନ ଶ୍ରମିକ ହୋଇ ଖଟୁଛୁ। ମୁମ୍ବାଇ ମହାନଗରର ଯେ କୌଣସି ପଞ୍ଚତାରକା ହୋଟେଲର ଜଣେ ୱେଟରକୁ ଯଦି ଆପଣ “ତୁମ ଘର କେଉଁଠି?” ବୋଲି ପ୍ରଶ୍ନ କରିବେ, ତେବେ ଶତକଡ଼ା ପଞ୍ଚସ୍ତରି ଉତ୍ତର ଆପଣଙ୍କୁ ଓଡ଼ିଆରେ ଓଡ଼ିଶାର କୌଣସି ଜିଲ୍ଲାର ନାଁ ସହିତ ଶୁଣିବାକୁ ମିଳିବ। ସୁରାଟ ସହରର ଯେ କୌଣସି ବୃହତ ଶିଳ୍ପାନୁଷ୍ଠାନରେ ଛିଡ଼ା ହୋଇ ଆପଣ ଯଦି ଟେକାଟିଏ ଫିଙ୍ଗିବେ, ତେବେ ତାହା ନିଶ୍ଚିତ ଯାଇ କୌଣସି ଓଡ଼ିଆ ଯୁବକ ଉପରେ ପଡ଼ିବ।

ବର୍ତ୍ତମାନ ଆମର ଏହି ଦାଦନ ଶ୍ରମିକ ମାନଙ୍କର ସ୍ୱପ୍ନକୁ ଖାପ ଖୁଆଇ ପ୍ରଧାନମନ୍ତ୍ରୀ ଏକ ‘ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଭାରତବର୍ଷରେ ସର୍ବାଧିକ ଗରିବ ପ୍ରବାସୀ ଶ୍ରମିକ ଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ଅନ୍ୟତମ ସ୍ଥାନ ପାଇଛି। ଏହି ଯୋଜନାର ‘ଗରିବ’ ନାଁ’ଟି ଆମକୁ ବେଶ ଉଲ୍ଲସିତ କରିଛି। ‘ଗରିବ’ ଶବ୍ଦଟି ଆମ ସମସ୍ତଙ୍କର ପ୍ରିୟ ଅଟେ। ସମସ୍ତେ ଚାହାନ୍ତି ଆମେ ଯୁଗେ ଯୁଗେ ଗରିବ ହୋଇ ରହିଥାଉ। ଜନନୀ ସୁରକ୍ଷା ଯୋଜନାରେ ଆମେ ଜନ୍ମ ହେଉ। ବିଜୁ ପକ୍କାଘର ଯୋଜନାରେ ଆମକୁ ଘରଟିଏ ମିଳୁ। କାଳିଆ ଯୋଜନାରେ ଆମର ଦାନାପାଣି ଚାଲୁ। ଟଙ୍କିକିଆ ଚାଉଳ, ଦିଟଙ୍କିଆ ଡାଲି ଓ ପାଞ୍ଚଟକିଆ ଭାତଡାଲମାରେ ଆମର ଜୀବନ ବିତିଯାଉ ଆଉ ମହାପ୍ରୟାଣ ଯୋଜନାରେ ଆମର ଅନ୍ତ୍ୟେଷ୍ଟି କ୍ରିୟା ହେଉ। ବନ୍ଧୁଗଣ, ଥରେ ଜଣେ ଦାର୍ଶନିକ କହିଥିଲେ ଯେ ଗରିବ ହୋଇ ଜନ୍ମ ନେବା ପାପ ନୁହେଁ, କିନ୍ତୁ ଗରିବ ହୋଇ ମରିଯିବା ହେଉଛି ମହାପାପ। ଦୁଃଖର କଥା ଆଜି ଆମେ ଓ ଆମର ନେତୃବୃନ୍ଦ ଉଭୟ ‘ଗରିବ’ ଶବ୍ଦଟିର ପ୍ରେମରେ ଉବୁଟୁବୁ ହେଉଛନ୍ତି। ଆମର ସ୍ବପ୍ନ ଗଲାଣି ଚୁଲିକୁ, ଆଉ ଆଜି ଆମେ ରାସ୍ତାକଡ଼ରେ ଛିଡ଼ା ହୋଇ କଦଳୀ ବିକୁଛୁ କିଂବା ସାଇକେଲରେ ଡେକଚି ବାନ୍ଧି ଦହିବରା ଆଳୁଦମ ପସରା ମେଲେଇ ଗରିବ କଲ୍ୟାଣ ଯୋଜନା ଗୁଡ଼ିକର ଜୟ ଜୟକାର କରୁଛୁ।
ଏହି ଯୋଜନାଗୁଡ଼ିକର ପ୍ରଭାବରେ ଆମେ ଦିନକୁ ଦିନ ଆହୁରି କର୍ମକୋଢ଼ିଆ ହୋଇ ପଡ଼ୁଛୁ। ପରିଶ୍ରମ ନାଁ ଶୁଣିଲେ ଆମକୁ ଜ୍ବର ମାଡ଼ିବସୁଛି। ଚାତକଙ୍କ ଭଳି ସର୍ବଦା ଏହି ଯୋଜନା ଗୁଡ଼ିକୁ ଅନେଇ ବସିଛୁ। ଥରେ ଜଣେ ବ୍ୟକ୍ତ ଦିନ ଦଶଟା ବେଳେ ଗଛମୂଳେ ଆରାମରେ ଶୋଇଥିଲା। ତାକୁ ପ୍ରଶ୍ନ କରାଗଲା ତୁମେ ଏହି ସମୟରେ କୌଣସି କାମକୁ ନ ଯାଇ ଗଛମୂଳେ କାହିଁକି ଶୋଇଛ?’

ବ୍ୟକ୍ତି ଜଣକ ଆଖି ମଳୁ ମଳୁ କହିଲା, ‘କାମକୁ ଗଲେ କ’ଣ ହେବ?’

ଉତ୍ତରରେ କୁହାଗଲା ‘କାମକୁ ଗଲେ ତୁମେ ଟଙ୍କା ପଇସା ରୋଜଗାର କରିବ।’

ସେ ପୁଣି ପ୍ରଶ୍ନ କଲା ‘ଟଙ୍କା ପଇସା ରୋଜଗାର କଲେ କ’ଣ ହେବ?’

ପୁଣି ତାକୁ କୁହାଗଲା ‘ଟଙ୍କା ପଇସା ହେଲେ ତୁମେ ବଡ଼ ବ୍ୟବସାୟ କରିବ, ଘରଦ୍ବାର ତିଆରି କରିବ ଓ ବାହାତୋଳା ହୋଇ ପୁଅଝିଅମାନଙ୍କ ସହିତ ସୁଖ ଓ ଆନନ୍ଦରେ ଜୀବନ ଅତିବାହିତ କରିବ।’

ଲୋକଟି ଟିକେ ବିରକ୍ତ ହୋଇ କହିଲା, ‘ଏବେ ମୁଁ ସୁଖ ଓ ଆନନ୍ଦରେ ନାହିଁକି? ଅଯଥା ଆପଣମାନେ ମୋତେ ନିଦରୁ ଉଠେଇ ଏଇୟା ପାଇବା ପାଇଁ ଏତେ କଥା କରିବାକୁ କହୁଛନ୍ତି!’

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର