ବିଡ଼ମ୍ବନା

ଏଭଳି ସ୍ଥଳେ ପରିଶେଷରେ ଯାହା ଏକ ବିସ୍ମୟ ସୃଷ୍ଟିକାରୀ ଅସମାହିତ ପ୍ରଶ୍ନ ହୋଇ ରହିଯାଏ, ତାହା ହେଲା ପାନ୍‌ଧେର ବା ସୁରେନ୍ଦ୍ର କୋଲି ଅପରାଧୀ ନୁହନ୍ତି ତ ପ୍ରକୃତ ଅପରାଧୀ କିଏ? ଏବଂ ଏଭଳି ପରିସ୍ଥିତିରେ ବିଡ଼ମ୍ବିତ ବାସ୍ତବତା ହେଲା ୧୭ ବର୍ଷ ପ୍ରତୀକ୍ଷା କରି ମଧ୍ୟ ପୀଡ଼ିତାମାନଙ୍କ ପରିବାର ନ୍ୟାୟ ପାଇ ପାରନ୍ତି ନାହିଁ। ଏବଂ ତା’ ଠାରୁ ଅଧିକ ବିଡ଼ମ୍ବନା ହେଲା ତଦନ୍ତକାରୀ ସଂସ୍ଥା ଏବଂ ଗଣମାଧ୍ୟମକୁ ସଂପୂର୍ଣ୍ଣ ବିଶ୍ବାସ କରି ସାରିଥିବା ଜନସାଧାରଣଙ୍କ ସମ୍ମୁଖରେ ଅଦାଲତଙ୍କ ସୂକ୍ଷ୍ମ ବିବେଚନାବୋଧ ପ୍ରସୂତ ନିଷ୍ପତ୍ତି କେବଳ ନିରର୍ଥକ ନୁହେଁ, ସନ୍ଦେହାସ୍ପଦ ମଧ୍ୟ ହୋଇପଡ଼େ।

ଗଲା ସୋମବାର ଦିନ ଆଲାହାବାଦ ହାଇକୋର୍ଟଙ୍କ ଏକ ରାୟ ଦେଶ ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯହିଁରେ ୨୦୦୫-୦୬ରେ ଧରା ପଡ଼ିଥିବା ନିଠାରି ‘ସିରିଏଲ ମର୍ଡର’, ଦୁଷ୍କର୍ମ, ଅପ୍ରାକୃତିକ ଯୌନ ସଂସର୍ଗ, ନରମାଂସ ଭକ୍ଷଣ ଭଳି ଅସହନୀୟ ଅପରାଧରେ ଅଭିଯୁକ୍ତ ମନିନ୍ଦର ସିଂହ ପାନ୍‌ଧେର ଏବଂ ସୁରେନ୍ଦ୍ର କୋଲି ନିର୍ଦ୍ଦୋଷରେ ଖଲାସ ହେବାର ପଥ ଉନ୍ମୁକ୍ତ ହୋଇଯାଇଛି। କହିବା ବାହୁଲ୍ୟ ଯେ ନିଠାରି ଘଟଣା ସମଗ୍ର ଦେଶରେ ଏଭଳି ଆଲୋଡ଼ନ ସୃଷ୍ଟି କରିଥିଲା ଯେ ସେ ସମୟରେ ସାମାନ୍ୟ ହେତୁ ପାଇଥିବା କୌଣସି ଭାରତୀୟ ତାହାକୁ ପାଶୋରି ଯାଇ ନ ଥିବେ। ପ୍ରକାଶ ଥାଉ କି, ୨୦୦୫ ଏବଂ ୨୦୦୬ ମସିହାର କାଳଖଣ୍ଡରେ ନୋଇଡ଼ା ନିକଟବର୍ତ୍ତୀ ନିଠାରି ଅଞ୍ଚଳର ପ୍ରାୟ ତିନି ଡଜନ ସରିକି ବାଲିକା ନିରୁଦ୍ଦିଷ୍ଟ ହୋଇଯିବା ପରିପ୍ରେକ୍ଷୀରେ ଅଗତ୍ୟା ମନିନ୍ଦର ସିଂହ ପାନ୍‌ଧେରର ବିଶାଳ ହର୍ମ୍ୟ ‘ଡି-୫’ ପଛ ପଟେ ଥିବା ନାଳର ନର୍ଦ୍ଦମା ମଧ୍ୟରୁ ମନୁଷ୍ୟ ଖପୁରି ଏବଂ ହାଡ଼ମାନ ଆବିଷ୍କୃତ ହେବା ଏବଂ ଏହା ସହିତ ଭୟାନକ ସଇତାନୀ ହିଂସା ଏବଂ ବିକୃତିର ଚିତ୍ରମାନ, ଏହାର ତଦନ୍ତକାରୀ ସଂସ୍ଥା ସି.ବି.ଆଇ. ପକ୍ଷରୁ ପ୍ରଦତ୍ତ ବିବରଣୀ ଆଧାରରେ, ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହେବା ଫଳରେ ଉପର ବର୍ଣ୍ଣିତ ଦୁଇ ଚରିତ୍ର ଯେ ସଂପୂର୍ଣ୍ଣ ଭାବେ ଦୋଷୀ ତାହା ରାଷ୍ଟ୍ରର ସାମୂହିକ ଚେତନାରେ ଚିହ୍ନିତ ହୋଇ ଯାଇଥିଲା। ସୁତରାଂ, ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଯିବା ଭଳି ଘଟଣା ଯେଉଁ କେତେକ ଗୁରୁତର ଏବଂ ଅସ୍ବସ୍ତିକର ବିଡ଼ମ୍ବନାଗୁଡ଼ିକୁ ଉଜାଗର କରିଥାଏ, ସେ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୁଏ।
ଉଲ୍ଲେଖଯୋଗ୍ୟ ଯେ, ସି.ବି.ଆଇ. ତଦନ୍ତର ବିବରଣୀ ଅନୁସାରେ ବିତ୍ତଶାଳୀ ବ୍ୟବସାୟୀ ପାନ୍‌ଧେର ଥିଲା ଜଣେ ଯୌନ ରାକ୍ଷସ, ଯାହାର ଆଦିମ କ୍ଷୁଧା ଚରିତାର୍ଥ କରିବା ଲାଗି ତାର ଘରୋଇ ଭୃତ୍ୟ ସୁରେନ୍ଦ୍ର କୋଲି ନାବାଳିକାମାନଙ୍କୁ ଚକୋଲେଟ୍‌ ବା ଅନ୍ୟାନ୍ୟ ଦ୍ରବ୍ୟ ଦ୍ବାରା ପ୍ରଲୁବ୍‌ଧ କରି କୋଠି ମଧ୍ୟକୁ ଘେନି ଆଣୁଥିଲା। ସେହି ବିବରଣୀ ଅନୁସାରେ ସୁରେନ୍ଦ୍ର କୋଲି ମଧ୍ୟ ଥିଲା ଜଣେ ଯୌନ ବିକାରଗ୍ରସ୍ତ ନର ମାଂସଭକ୍ଷୀ ସୈତାନ, ଯିଏ ‌େସହି ପୀଡ଼ିତାମାନଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ମାଂସ ଭକ୍ଷଣ କରୁଥିଲା ଏବଂ ଅବୟବଗୁଡ଼ିକୁ ପଛ ପଟ ନିକାଞ୍ଚନ ନାଳରେ ଫିଙ୍ଗି ଦେଉଥିଲା। ‘ଡି-୫’ ପଛ ପଟ ନାଳରୁ ମିଳିଥିବା ମ‌ାନବ ଶରୀରାବଶେଷକୁ ପରୀକ୍ଷାନିରୀକ୍ଷା କରି ସେ ସବୁ ୧୯ ଜଣ ହତଭାଗିନୀଙ୍କର ବୋଲି ‘ଫୋରେନସିକ’ ବିଶେଷଜ୍ଞମାନେ ଉପସଂହାରରେ ପହଞ୍ଚିଥିଲେ। ପ୍ରକାଶ ଥାଉ କି, ପାୟଲ ନାମକ ଜଣେ ବାଳିକା ‘ଡି-୫’କୁ ଯାଉଥିବା ବିଷୟ ନିର୍ଦ୍ଦିଷ୍ଟ ରୂପେ ତା’ ପିତାମାତାଙ୍କୁ କହି ଘରୁ ବାହାରି ଯିବା ପରେ ନିରୁଦ୍ଦିଷ୍ଟା ହୋଇଯିବା ଏବଂ ସେ ସଂପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ ପ୍ରାରମ୍ଭ ହେବା ପରେ ଯାଇ ଦେଶକୁ ଦୋହଲାଇ ଦେଇଥିବା ଭଳି ଶଂସିତ ଘଟଣା ଉଜାଗର ହୋଇଥିଲା। ସିବିଆଇ ‘ଟ୍ରାଏଲ୍‌ କୋର୍ଟ’ରେ ଉଭୟ ପାନ୍‌ଧେର ଏବଂ କୋଲିଙ୍କୁ ଯଥାକ୍ରମେ ୨ଟି ଏବଂ ୧୨ଟି ହତ୍ୟା ଲାଗି ମୃତ୍ୟୁ ଦଣ୍ଡ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ, କୋଲିର ମୃତ୍ୟୁଦଣ୍ଡ ସକାଶେ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଯାଇଥିଲା; ଯଦିଓ ତାହା ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ପରେ ହାଇକୋର୍ଟରେ ବିଚାର ନ ସରିବା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। କହିବା ବାହୁଲ୍ୟ ଯେ, ଘଟଣାଗୁଡ଼ିକର ଏଭଳି ଘନଘଟା ଭିତରେ ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ଯେ ସନ୍ଦେହାତୀତ ଭାବେ ଦୋଷୀ, ସେଭଳି ଏକ ଧାରଣା ଦୃଢ଼ମୂଳ ହୋଇଯାଇଥିଲା; ଯେଉଁ କାରଣରୁ ଆଲାହାବାଦ ଉଚ୍ଚ ଅଦାଲତଙ୍କ ସଦ୍ୟତମ ଆଦେଶ ଦ୍ବାରା ସାଧାରଣରେ ଏବଂ ବିଶେଷତଃ ପୀଡ଼ିତାମାନଙ୍କ ପରିବାରରେ ଦୁଃଖ, ହତାଶା ଏବଂ ଅସହାୟତା ସୃଷ୍ଟି ହେବା ସହିତ ସେମାନଙ୍କ ଚକ୍ଷୁରେ ଅଦାଲତଙ୍କ କାର୍ଯ୍ୟକଳାପ ସନ୍ଦେହର ବଳୟ ମଧ୍ୟକୁ ଟାଣି ହୋଇ ଆସିଥାଏ। କିନ୍ତୁ ଏକ ବିଡ଼ମ୍ବନା ହେଲା ଅଦାଲତଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ସୂକ୍ଷ୍ମ ଏବଂ ତୀକ୍ଷ୍‌ଣ ବିବେଚନାବୋଧ ଉପରେ ଆଧାରିତ, ଯାହା ରାୟରେ ପ୍ରଦତ୍ତ କାରଣମାନଙ୍କରୁ ସ୍ପଷ୍ଟ।
ପ୍ରଥମତଃ, ମାଜିଷ୍ଟ୍ରେଟଙ୍କ ସମକ୍ଷରେ ସୁ‌େରନ୍ଦ୍ର କୋଲି ପ୍ରଦାନ କରିଥିବା ସ୍ବୀକାରୋକ୍ତି ଏହି ମାମଲାର ମଞ୍ଜ ହୋଇଥିବା ବେଳେ ଅଦାଲତ କହିଛନ୍ତି ଯେ କୋଲିର ସ୍ବୀକାରୋକ୍ତିରେ ପୀଡ଼ିତାମାନଙ୍କ ନାମ ଏବଂ ଘଟଣାର ତାରିଖଗୁଡ଼ିକ ପ୍ରାଂଜଳ ଭାବେ ବର୍ଣ୍ଣିତ ହୋଇଛି ସତ; କିନ୍ତୁ ଘଟଣାର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶ ଯେପରିକି ସେମାନଙ୍କ ହତ୍ୟା ବା ସେମାନଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦିଆଯିବା ଭଳି ବିଷୟ ଅସ୍ପଷ୍ଟତା ଓ ସଂଶୟ ବିଜଡ଼ିତ ଗୋଳିଆମିଶା ବୟାନ ଦ୍ବାରା ଆକ୍ରାନ୍ତ; ଯାହାକୁ ଅଦାଲତ ଅବାସ୍ତବ ବା ବିସ୍ମୟକର ବୋଲି ଆଖ୍ୟା ଦେବା ସହିତ ସୂଚାଇଛନ୍ତି ଯେ ମନେ ହୋଇଥାଏ ପୀଡ଼ିତାମାନଙ୍କ ନାମ ଏବଂ ଘଟଣାର ତାରିଖକୁ ଘୋଷି ମନେ ରଖିବାକୁ ସତେ ଯେମିତି କୋଲିକୁ ବାଧ୍ୟ କରାଯାଇଛି। ସେମିତି ‘ଡି-୫’ର ରୋଷେଇ ଘରେ ହୋଇଥିବା ଟିକିନିଖି ଡି.ଏ୍‌ନ.ଏ, ବିଶ୍ଲେଷଣରୁ ନର ମାଂସ ରନ୍ଧନ ଏବଂ ଭକ୍ଷଣର କୌଣସି ସୁରାକ୍‌ ମିଳିନାହିଁ। ଅନୁରୂପ ଭାବେ ଘୋର ସନ୍ଦେହାତ୍ମକ ନିଷ୍କର୍ଷମାନ ପ୍ରଦାନ କରୁଥିବା ‘ନାର୍କୋ ଆନାଲିସିସ’ର ରିପୋର୍ଟ ଅଦାଲତଙ୍କ ଦ୍ବାରା ଗ୍ରହଣୀୟ ହୋଇ ନ ଥାଏ। କେବଳ ସେତିକି ନୁହେଁ ଶିକାରମାନଙ୍କୁ ପ୍ରଲୁବ୍‌ଧ କରିବା ବା ସେମାନଙ୍କ ଶରୀରାବଶେଷକୁ ନାଳରେ ଫିଙ୍ଗି ଦେଉଥିବା ଭଳି ଘଟଣାର କୌଣସି ଜଣେ ହେଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ତଦନ୍ତକାରୀ ସଂସ୍ଥା ଉପସ୍ଥାପନ କରି ପାରିନାହିଁ। ନିଠାରିରେ ଅଧିକ ସଂଖ୍ୟାରେ ନାବାଳିକା ନିରୁଦ୍ଦିଷ୍ଟ ହୋଇଥିଲେ ହେଁ ସେହି ନଳାରେ ୧୯ ଜଣଙ୍କ ଶରୀରାବଶେଷ ମିଳିଥିଲା ଏବଂ ସେମାନଙ୍କ ମୁଖ୍ୟ ଗଣ୍ଡିମାନ ଆବିଷ୍କୃତ ହୋଇ ପାରି ନ ଥିଲା। ସୁତରାଂ, ଏଭଳି ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥାଏ ଯେ, ସମ୍ଭବତଃ ଏହା କୌଣସି ଏକ ଅଙ୍ଗ ଚୋରା ଚାଲାଣକାରୀ ରୢାକେଟର କାର୍ଯ୍ୟ ହୋଇଥିବ, ଯହିଁରେ ପାନ୍‌ଧେର ଏବଂ କୋଲି ଛନ୍ଦି ହୋଇଯାଇଛନ୍ତି! ଏହା ସୁବିଦିତ ଯେ କେବଳ ବଳିଷ୍ଠ ତଥ୍ୟ ଓ ପ୍ରମାଣ ଉପରେ ଅଦାଲତଙ୍କ ରାୟ ନିର୍ଭର କରିଥାଏ; ସୁତରାଂ, କୋଲିର ସ୍ବୀକାରୋକ୍ତି ସତ୍ତ୍ବେ ଉପଯୁକ୍ତ ପ୍ରମାଣ ଅଭାବରୁ ଉଭୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଳାସ ହୋଇଯାଇଛନ୍ତି।
ଏହି ସଂଦର୍ଭରେ ଯାହା ଉଲ୍ଳେଖଯୋଗ୍ୟ, ତାହା ହେଲା ୨୦୦୮ ମସିହାରେ ଘଟିଥିବା ରାଜସ୍ଥାନ ଆତଙ୍କବାଦୀ ବୋମା ବିସ୍ଫୋରଣ ମାମଲା ହେଉ ବା ୨୦୧୮ ମସିହାର ବିମା କୋରେଗାଓଁ ଘଟଣା ହେଉ ବା ୨୦୨୦ ମସିହାର ହଥରସ ଗଣଦୁଷ୍କର୍ମ ହତ୍ୟା ମାମଲା ହେଉ; ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଦେଶ ବ୍ୟାପୀ ବିଚଳିତବୋଧ ସୃଷ୍ଟି କରିଥିବା ଘଟଣାଗୁଡ଼ିକରେ ମଧ୍ୟ ତଦନ୍ତକାରୀ ସଂସ୍ଥାଙ୍କ ତ୍ରୁଟି-ବିଚ୍ୟୁତି କାରଣରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଏକ ବଡ଼ କାରଣ ଏୟା ହୋଇପାରେ ଯେ, କୌଣସି ଅପରାଧର ତୁରନ୍ତ ସମାଧାନ ସକାଶେ ଚାପର ବଶବର୍ତ୍ତୀ ପୁଲିସ ବା କୌଣସି ତଦନ୍ତକାରୀ ସଂସ୍ଥା ଅନେକ ସମୟରେ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କୁ ସନ୍ଦିଗ୍‌ଧ ଅପରାଧୀ ରୂପେ ଗିରଫ କରନ୍ତି, ଯେଉଁମାନେ ଅସହନୀୟ ନିର୍ଯାତନା କାରଣରୁ ହୁଏତ ସର୍ବସମକ୍ଷରେ ଦୋଷ ସ୍ବୀକାର ମଧ୍ୟ କରିପକାନ୍ତି; ଅଥଚ ପରବର୍ତ୍ତୀ ସମୟରେ ଅଦାଲତ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିବା ତଦନ୍ତକାରୀ ସଂସ୍ଥା ପକ୍ଷରେ ସମ୍ଭବ ହେଉ ନ ଥିବାରୁ ସେମାନେ ଅବଲୀଳା କ୍ରମେ ଖଲାସ ହୋଇଯାଆନ୍ତି। କିନ୍ତୁ ବିଡ଼ମ୍ବନା ହେଲା, ଗିରଫ ହେବା ମାତ୍ରକେ ଗଣମାଧ୍ୟମର ଉଚ୍ଚାଟ ସେହି ଅଭିଯୁକ୍ତମାନଙ୍କୁ ହିଁ ଅପରାଧୀ ରୂପେ ଜନମାନସରେ ଚିହ୍ନିତ କରି ପକାଏ। ଏଭଳି ସ୍ଥଳେ ପରିଶେଷରେ ଯାହା ଏକ ବିସ୍ମୟ ସୃଷ୍ଟିକାରୀ ଅସମାହିତ ପ୍ରଶ୍ନ ହୋଇ ରହିଯାଏ, ତାହା ହେଲା ପାନ୍‌ଧେର ବା ସୁରେନ୍ଦ୍ର କୋଲି ଅପରାଧୀ ନୁହନ୍ତି ତ ପ୍ରକୃତ ଅପରାଧୀ କିଏ? ଏବଂ ଏଭଳି ପରିସ୍ଥିତିରେ ବିଡ଼ମ୍ବିତ ବାସ୍ତବତା ହେଲା ୧୭ ବର୍ଷ ପ୍ରତୀକ୍ଷା କରି ମଧ୍ୟ ପୀଡ଼ିତାମାନଙ୍କ ପରିବାର ନ୍ୟାୟ ପାଇ ପାରନ୍ତି ନାହିଁ। ଏବଂ ତା’ ଠାରୁ ଅଧିକ ବିଡ଼ମ୍ବନା ହେଲା ତଦନ୍ତକାରୀ ସଂସ୍ଥା ଏବଂ ଗଣମାଧ୍ୟମକୁ ସଂପୂର୍ଣ୍ଣ ବିଶ୍ବାସ କରି ସାରିଥିବା ଜନସାଧାରଣଙ୍କ ସମ୍ମୁଖରେ ଅଦାଲତଙ୍କ ସୂକ୍ଷ୍ମ ବିବେଚନାବୋଧ ପ୍ରସୂତ ନିଷ୍ପତ୍ତି କେବଳ ନିରର୍ଥକ ନୁହେଁ, ସନ୍ଦେହାସ୍ପଦ ମଧ୍ୟ ହୋଇପଡ଼େ।

ସମ୍ବନ୍ଧିତ ଖବର