ହିମାଚଳ‌ର ଏହି ଆସନରୁ ନିର୍ବାଚନ ଲଢ଼ିବେ କଙ୍ଗନା !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ତାଙ୍କ ବୟାନ ଯୋଗୁଁ ଚର୍ଚ୍ଚାରେ ରହିଥା’ନ୍ତି | ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରୁଥିବା ସହ ବେଳେବେଳେ ଏହି କାରଣରୁ ସେ ଟ୍ରୋଲ ହୋଇ ବିବାଦ ଘେରକୁ ଆସିଥାନ୍ତି। ହେଲେ ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ। ଆଗାମୀ ଲୋଭସଭା ନିର୍ବାଚନରେ କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

କୁହାଯାଉଛି ଯେ କଙ୍ଗନା ୨୦୨୪ରେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଆଗାମୀ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା ସରିବା ପରେ ହିମାଚଳର ମଣ୍ଡି ଆସନରୁ ବିଜେପି କଙ୍ଗନାକୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି। ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ସୂଚନା ମୁତାବକ, ହିମାଚଳ ପ୍ରଦେଶର ୪ଟି ଆସନ ମଧ୍ୟରୁ ଦୁଇଟି ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏବେ ଆଉ ଦୁଇଟି ଆସନ କାଙ୍ଗରା ଏବଂ ମଣ୍ଡି ବାକି ରହିଛି। ସୂଚନାନୁସାରେ, ମଣ୍ଡି ଆସନରୁ ପ୍ରାର୍ଥୀ ହେବା ପାଇଁ ବିଜେପି ଅନେକ ନାମ ଉପରେ ବିଚାର କରୁଛି, ଯେଉଁଥିରେ କଙ୍ଗନା ରାନାୱତଙ୍କ ନାମ ମଧ୍ୟ ରହିଛି।

ଏହା ପୂର୍ବରୁ ରାଜନୀତିରେ ପ୍ରବେଶ କରିବା ପ୍ରଶ୍ନ ଉପରେ କଙ୍ଗନା କହିଥିଲେ ଯେ, ଯଦି ଭଗବାନ କୃଷ୍ଣ ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସମ୍ବନ୍ଧିତ ଖବର