ଇରାକୀ ପ୍ରଶଂସକଙ୍କ ପୁଅର ହୃତପିଣ୍ଡ ସର୍ଜରୀ କରାଇଲେ ମହେଶ ବାବୁ

ମୁମ୍ବାଇ: ବଲିଉଡରେ ଡେବ୍ୟୁ ନକରିବା ପଛର କାରଣ କହି କିଛି ମାସ ତଳେ ବିବାଦୀୟ ହୋଇପଡ଼ିଥିବା ଟଲିଉଡ ସୁପରଷ୍ଟାର ମହେଶ ବାବୁ ଏବେ ନିଜ ମହତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହେଶ ବାବୁ ଜଣେ ଇରାକୀ ପ୍ରଶଂସକଙ୍କ ପୁଅର ହୃତପିଣ୍ଡ ସର୍ଜରୀ କରାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମହେଶଙ୍କ ପ୍ରଶଂସକ ହୁସମ ତାଲିବ ହମାଜ ଇରାକର ନାଗରିକ ହୋଇଥିବା ବେଳେ ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ବିଶାଖାପଟନମସ୍ଥିତ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରୁଛନ୍ତି। ତାଙ୍କ ପୁଅ ରକନ ହୁସମ ତାଲିବଙ୍କ ହୃତପିଣ୍ଡରେ ସମସ୍ୟା ଥିବା ବେଳେ ଡାକ୍ତର ସର୍ଜରୀ କରାଇବାକୁ ପରାମର୍ଶ ଦେଇଥିଲେ। ସମସ୍ୟା ଜାଣିବା ପରେ ହୁସମ ତାଲିବ ହମାଜ ଖୁବ୍ ଶୀଘ୍ର ମହେଶ ବାବୁଙ୍କ ଫାଉଣ୍ଡେସନ ସହିତ ଯୋଗାଯୋଗ କରି ତାଙ୍କ ପୁଅ ପାଇଁ ତୁରନ୍ତ ସାହାଯ୍ୟ ଲୋଡିଥିଲେ। ହୁସମଙ୍କ ସମସ୍ୟା ଜାଣିବା ପରେ ଅଭିନେତାଙ୍କ ଟିମ୍ ସମସ୍ତ ବ୍ୟବସ୍ଥା କରାଇ ଆନ୍ଧ୍ର ହସ୍ପିଟାଲରେ ରକନଙ୍କ ଅସ୍ତ୍ରୋପଚାରକୁ କରାଇଥିବା ଜଣାପଡ଼ିଛି। ମେ’ ୧୦ରେ ରକନଙ୍କ ହୃତପିଣ୍ଡ ସର୍ଜରୀ ହୋଇଥିବା ବେଳେ ଦୁଇ ଦିନ ପାଇଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ରକନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଛି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ ବୋଲି କୁହାଯାଉଛି।

ତେବେ ମ‌େ’ ୨୦୨୨ରେ ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଥିଲା। ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବେ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।

ସମ୍ବନ୍ଧିତ ଖବର