ଅଧାରୁ ମଞ୍ଚ ଉପରକୁ ଚଢ଼ି କାର୍ଯ୍ୟକ୍ରମକୁ ବନ୍ଦ କଲା ପୁଲିସ୍‌; ଗୀତ ଗାଇବା ମଝିରେ ମଞ୍ଚ ତଳକୁ ଓହ୍ଲାଇଲେ ଏଆର୍‌ ରହମାନ୍‌

ପୁଣେ: ଓସ୍କାର ବିଜେତା ଗାୟକ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍ ରହମାନଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ରବିବାର ଦିନ, ମହାରାଷ୍ଟ୍ରର ପୁଣେରେ ଏଆର୍ ରହମାନ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରିଥିଲେ, କିନ୍ତୁ ପୁଣେ ପୁଲିସ ଏଥିରେ ହସ୍ତକ୍ଷେପ କରି ସଙ୍ଗୀତ କନସର୍ଟକୁ ଅଧାରୁ ବନ୍ଦ କରି ଦେଇଥିଲା। କନସର୍ଟର ସମୟସୀମା ଶେଷ ହେବା ପରେ ମଞ୍ଚ ଉପରକୁ ଚଢ଼ି ପୁଲିସ୍‌ ଗାୟକଙ୍କୁ ଗୀତ ଗାଇବାକୁ ବନ୍ଦ କରି ଦେଇଥିଲା ବୋଲି ଅଭିଯୋଗ ହୋଇଛି।

ଖବର ମୁତାବକ, ଏ ଆର୍ ରହମାନଙ୍କ ଏହି ମ୍ୟୁଜିକ୍ କନ୍ସର୍ଟ ଲାଗି ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ଥିଲା। ଅଧିକ ସମୟ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ନିକଟରୁ ଆୟୋଜକ କୌଣସି ଅନୁମତି ନେଇନଥିଲେ। ଯେଉଁଥିପାଇଁ ପୁଲିସ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲେ।

ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ର ସୂଚନା ଅନୁଯାୟୀ, ଏଆର୍ ରହମାନ ଏପ୍ରିଲ୍ ୩୦ ତାରିଖରେ ପୁଣେର ରାଜା ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟରେ ଗୀତ ଗାଉଥିଲେ। ଏଆର୍ ରହମାନଙ୍କ ଏହି ସଂଗୀତ କନସର୍ଟରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ତେବେ ରାତି ୧୦ଟା ଟପିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥଲା। କିନ୍ତୁ ଏଆର୍ ରହମାନ ତାଙ୍କ ଯାଦୁକରୀ ସ୍ୱରରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କାର୍ଯ୍ୟକ୍ରମ ଶେଷ ନ ହେବା ଦେଖି ପୁଲିସ ଲାଇଭ୍ ମ୍ୟୁଜିକ୍ କନସର୍ଟକୁ ମଝିରୁ ଅଟକାଇ ଦେଇଥିଲା।

ଜଣେ ପୁଲିସ୍‌ କର୍ମୀ ମଞ୍ଚ ଉପରକୁ ଚଢ଼ି ଏଆର୍‌ ରହମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇଶାରାରେ କହିଥିଲେ। ଫଳରେ କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା ଏବଂ ଏଆର୍ ରହମାନ  ମଞ୍ଚ ତଳକୁ ଓହ୍ଲାଇ  ଯାଇଥିଲେ।

ସମ୍ବନ୍ଧିତ ଖବର