ସାଣ୍ଟିଆଗୋ: ଚିଲିର ଦକ୍ଷିଣ ପ୍ରାନ୍ତରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ହେବାରୁ ସଂଘଠିତ ବନାଗ୍ନି ଯୋଗୁଁ ଅନ୍ୟୂନ ୧୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫,୦୦୦ ଏକର ଜମି ଓ ଜଙ୍ଗଲ ପୋଡ଼ି ଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ ରିପୋର୍ଟ କରିଛନ୍ତି।

Advertisment

ରାଜଧାନୀ ସାଣ୍ଟିଆଗୋର ଦକ୍ଷିଣକୁ ପ୍ରାୟ ୫୦୦ କିଲୋମିଟର୍‌ ଦୂରରେ ଥିବା ବାୟୋବାୟୋ ଅଞ୍ଚଳର ସାଣ୍ଟା ଜୁଆନା ନଗରୀରେ ଜଣେ ଦମକଳ ବାହିନୀ କର୍ମଚାରୀଙ୍କ ସମେତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

କୃଷିମନ୍ତ୍ରୀ ମଧ୍ୟ ରିପୋର୍ଟ କରିଛନ୍ତି ଯେ, ଦକ୍ଷିଣାଞ୍ଚଳର ଲା ଆରାଉକାନିଆରେ ଜରୁରୀକାଳୀନ ସେବାରେ ନିୟୋଜିତ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ୍‌ ଓ ଜଣେ ମେକାନିକଙ୍କର ମୃତ୍ୟୁ ଘଟିଛି।

ବାୟୋବିୟୋ ଏବଂ ନିକଟବର୍ତ୍ତୀ ନ୍ୟୁବଲ୍‌ର କ୍ଷେତ ଓ ଅରଣ୍ୟାଞ୍ଚଳରେ ରାଷ୍ଟ୍ରୀୟ ଦୁର୍ବିପାକ ଘୋଷଣା କରାଯାଇଥିବାରୁ ସୈନ୍ୟ ଏବଂ ଅତିରିକ୍ତ ସମ୍ବଳ ମୁତୟନ କରାଯାଇଛି।

publive-image Image Courtesy of The Guardian

ସମଗ୍ର ଦେଶରେ ୩୯ଟି ସ୍ଥାନରେ ବନାଗ୍ନି ଲାଗିବାରୁ ଶହ ଶହ ଘର ପୋଡ଼ି ନଷ୍ଟ ହୋଇଯାଇଥିବା କଥା ଗୃହମନ୍ତ୍ରୀ କ୍ୟାରୋଲିନା ତୋହା କହିଛନ୍ତି। ଆଗାମୀ ଦିନରେ ପରିସ୍ଥିତି ଆହୁରି ବିପଜ୍ଜନକ ହେବ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଭୂପୃଷ୍ଠରୁ ବ୍ୟବହୃତ ଉପକରଣ ସମେତ ୬୩ଟି ବିମାନ ନିଆଁଲିଭା କାର୍ଯ୍ୟରେ ଲାଗିଛି। ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାଠାରୁ ସାହାଯ୍ୟ ଆଶା କରାଯାଉଛି।

ଶୁକ୍ରବାର ଦିନ ପାଣିପାଗ ବିଭାଗ କହିଛି ଯେ, ନ୍ୟୁବଲ୍‌ର ରାଜଧାନୀ ଚିଲ୍ଲାନ୍‌ରେ ତାପମାତ୍ରା ୩୮ ଡିଗ୍ରି ସେଲିସିୟସ୍‌ ଟପିବା ସହିତ ପ୍ରଖର ବେଗରେ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ବନାଗ୍ନି ପରିସ୍ଥିତି ଆହୁରି ଉତ୍କଟ ହୋଇପାରେ।