‘ଫାଷ୍ଟ୍‌-ଟ୍ରାକ୍‌’ କୋର୍ଟରେ ବିଚାର ହେବ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲା: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଋଷିକେଶ ନିକଟସ୍ଥ ଏକ ରିସର୍ଟରେ ‘ରିସେପ୍‌ସନିଷ୍ଟ୍‌’ କାର୍ଯ୍ୟ କରୁଥିବା ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡ ମାମଲାର ବିଚାର ‘ଫାଷ୍ଟ୍‌-ଟ୍ରାକ୍‌ କ‌ୋର୍ଟ’ରେ କରାଯିବ ବୋଲି ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି।

ମୃତ ପୌରୁ-ଗଡ଼ୱାଲ୍‌ର ତରୁଣୀ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ରିସର୍ଟକୁ ଆସୁଥିବା ଅତିଥିମାନଙ୍କ ସହିତ ଦୈହିକ ସମ୍ପର୍କ (ସେମାନଙ୍କ ସାଙ୍କେତିକ ଭାଷାରେ ସ୍ପେସାଲ୍‌ ସର୍ଭିସ୍‌) ରଖିବାକୁ ମନା କରିବାରୁ ରିସର୍ଟର ମାଲିକ ବହିଷ୍କୃତ ‘ବିଜେପି’ ନେତା ବିନୋଦ ଆର୍ଯ୍ୟଙ୍କ ପୁତ୍ର ପୁଲକିତ ଆର୍ଯ୍ୟ ଏବଂ ତାଙ୍କର ଦୁଇଜଣ କର୍ମଚାରୀ ମିଶି ଅଙ୍କିତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେଉଛି।

Image Courtesy of India Posts English

ଅଙ୍କିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୃତ୍ୟୁର ୪ ଦିନ ପରେ ରିସର୍ଟ ନିକଟରେ ପ୍ରବାହିତ ଗୋଟାଏ କେନାଲ୍‌ରୁ ଅଙ୍କିତାଙ୍କ ଶବ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଯିବାରୁ ଅଙ୍କିତାଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଦେହ କ୍ଷତାକ୍ତ ହୋଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ତିନି ଆତତାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରିବାର ପାଇଁ କ୍ଷତିପୂରଣ ଅର୍ଥ ଦାବି କରି ପ୍ରବଳ ପ୍ରତିବାଦ କରାଯାଉଥିବା ପରିସ୍ଥିତିରେ ଅଙ୍କିତାଙ୍କ ଶବ ସତ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର