‘କୋର୍ବେଭାକ୍ସ’ର ପାଞ୍ଚ କୋଟି ଡୋଜ କିଣିବ କେନ୍ଦ୍ର, ପ୍ରତ୍ୟେକ ଡୋଜର ମୂଲ୍ୟ ରହିବ ଏତିକି ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ‘କୋର୍ବେଭାକ୍ସ’ର ପାଞ୍ଚ କୋଟି ଡୋଜ କିଣିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଡୋଜର ମୂଲ୍ୟ ଟ୍ୟାକ୍ସ ସହିତ ୧୪୫ଟଙ୍କା ରହିବ ବୋଲି ଜଣାପଡ଼ିଛି। ସରକାରୀ ସୂତ୍ର ମିିଳିଥିବା ସୂଚନା ଅନୁଯାୟୀ, କେଉଁ ବର୍ଗର ହିତାଧିକାରୀଙ୍କୁ ଏହି ନୂତନ ଟିକା ଦିଆଯିବ ତାହା ସରକାର ଏପର୍ଯ୍ୟନ୍ତ ସ୍ଥିର କରିନାହାଁନ୍ତି।

ସୂଚନା ମୁତାବକ, ଗତ ବର୍ଷ ଡିସେମ୍ବର ୨୯ରେ ଭାରତରେ କରୋନା ବିରୋଧୀ ଲଢ଼େଇକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଆଉ ୨ଟି କୋଭିଡ ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍‌ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଦେଶବ୍ୟାପୀ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସହ ଲଢ଼ିବା ପାଇଁ ଏବେ ଭାରତ ପାଖରେ ୮ଟି ଟିକା ଉପଲବ୍ଧ ଅଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ସିଡିଏସ୍‌ସିଓ (ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରାଲ ଅର୍ଗାନାଇଜେସନ୍‌) ଗୋଟିଏ ଦିନରେ ୨ଟି ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍‌ ଔଷଧକୁ ସ୍ବୀକୃତି ଦେଇଥିବାରୁ ଏସବୁର ଉତ୍ପାଦନ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବ। ସରକାର ହାଇଦ୍ରାଦାବାଦ ସ୍ଥିତ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା, ‌ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭଭାକ୍ସ ଟିକା ଏବଂ ଆଣ୍ଟି ଭାଇରାଲ୍‌ ଔଷଧ ମୋଲ୍‌ନୁପିରାଭିର୍‌ର ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶରେ ମୋଲୁନୁପିରାଭିର୍‌ ଉତ୍ପାଦନ ପାଇଁ ୧୩ଟି ସ୍ଥଂସ୍ଥାକୁ ଅନୁମତି ମିଳିଛି। ଜରୁରୀ ବ୍ୟବହାର ନିମନ୍ତେ ଏହି ଟାବ୍‌ଲେଟ ସର୍ତ୍ତମୂଳକ ଭାବେ ବିକ୍ରି ହେବ।

ସମ୍ବନ୍ଧିତ ଖବର